ETV Bharat / state

ପ୍ରତିଶ୍ରୁତିରେ ଅଟକିଛି ଦାବି, ଗୁରୁଦିବସରେ ଗୁରୁ କରିବେ ଆନ୍ଦୋଳନ!

author img

By ETV Bharat Odisha Team

Published : Sep 3, 2023, 7:33 PM IST

ଦାବି ପୂରଣ ହୋଇନଥିବାରୁ ଶିକ୍ଷକଙ୍କ ଅସନ୍ତୋଷ । ଗୁରୁଦିବସରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ

teachers to stage protest on teachers day
ଗୁରୁ ଦିବସରେ ଗୁରୁଙ୍କ ଆନ୍ଦୋଳନ ଚେତାବନୀ

ଗୁରୁ ଦିବସରେ ଗୁରୁଙ୍କ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ଶୁଣୁ ନାହାନ୍ତି ସରକାର, ଶିକ୍ଷକ ସଂଘର ଦାବିକୁ ନେଇ ବାରମ୍ବାର ପ୍ରତିଶ୍ରୁତିରେ ଅଟକି ରହିଛନ୍ତି । ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ନିଷ୍ପତି ଗ୍ରହଣ କରାଯାଉନାହିଁ । ତେଣୁ ଗୁରୁ ଦିବସ ଅବସରରେ ହଜାରହଜାର ସଂଖ୍ୟାରେ ଶିକ୍ଷକମାନେ କଳା ବ୍ୟାଚ୍‌ ପରିଧାନ ସହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି । ଏହାସହ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍‌ଠାରେ ସମସ୍ତ ଜିଲ୍ଲାରୁ ହଜାରହଜାର ସଂଖ୍ୟାରେ ଏକତ୍ରିତ ହେବେ ବୋଲି କୁହାଯାଇଛି ।

ସରକାରଙ୍କର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏଁ ତାହା ପାଳନ କରିନଥିବା ନେଇ ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ । ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଉନାହିଁ । ତେଣୁ ଗୁରୁ ଦିବସ ଅବସରରେ ହଜାର ହଜାର ସଂଖ୍ୟାରେ ଶିକ୍ଷକମାନେ କଳା ପଟି ପିନ୍ଧି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । "ଯେଉଁଠାରେ ଗୁରୁଙ୍କର ମର୍ଯ୍ୟାଦା ନାହିଁ, ସେଠାରେ ଗୁରୁଦିବସ କାହା ପାଇଁ ?" ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ।


ସୂଚନା ଅନୁଯାୟୀ, ଅଗଷ୍ଟ ୧୬, ୧୭, ୧୮ ଏହି 3 ଦିନ ଧରି ଅହୋରାତ୍ର ଧାରଣାରେ ରହିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା 8 ଦିନ ମଧ୍ୟରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ବସି ସମସ୍ୟାର ସମାଧାନ କରାଯିବ । ଏହି ବୈଠକ ପରେ ସଂଘ ଏଥିରେ ଏକମତ ହୋଇ ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ୨ହଜାର ୬୦୮ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୩୦ ହଜାରରୁ ଅଧିକ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ସରକାର ବାରମ୍ବାର ପ୍ରତାରିତ କରି ଚାଲିଥିବା ନେଇ ଅଭିଯୋଗ ହୋଇଛି । ଏହା ଭିତରେ 5 ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଅବସର ନେଇ ସାରିଲେଣି ।

ଏହା ବି ପଢନ୍ତୁ...ଅଧ୍ୟାପକ ସଂଘର ଗ୍ରେଡ ପେ' ବୃଦ୍ଧି ଦାବି, ସରକାର ନଶୁଣିଲେ କଳାବ୍ୟାଚ୍ ଆନ୍ଦୋଳନ ଚେତାବନୀ

ଏପରିକି ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ମଧ୍ୟ ସେମାନେ ଯୋଗ୍ୟ ବିବେଚିତ ହୋଇନଥିବା ଅଭିଯୋଗ କରିଛନ୍ତି। ଏନେଇ ଓଷ୍ଟା ସାଧାରଣ ସମ୍ପାଦକ କହିଛନ୍ତି, "ସେମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରାନଗଲେ ସମାଜରେ ବଞ୍ଚି ରହିବା ମଧ୍ୟ କଷ୍ଟକର ହୋଇପଡ଼ିବ। ଦାବି ମୁତାବକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ ଓ ଏଥିରେ କାର୍ଯ୍ୟରତ ୫୨ ଜଣ ସେକ୍ସନ ଶିକ୍ଷକଙ୍କୁ ଦରମା ପ୍ରଦାନ, ୨୦୦୪ରୁ ୨୦୧୩ ବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ବାର୍ଷିକ ଦରମା ବୃଦ୍ଧି ସହ ବରିଷ୍ଠତା ପ୍ରଦାନ, ଆର.ଏ.ସି.ପି. ପ୍ରଦାନ କ୍ଷେତ୍ରରେ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରିବା ଇତ୍ୟାଦି ଦାବି ଗୁଡ଼ିକ ପୂରଣ କରିବା ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ସଂଘ ବାଧ୍ୟ ହୋଇ ଗୁରୁ ଦିବସରେ କଳାପଟି ପିନ୍ଧି ନୀରବ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ସମଗ୍ର ରାଜ୍ୟରୁ ଏହି ଦିନ 30 ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଏହି ଦିନଟିକୁ ମର୍ଯ୍ୟାଦା ଦିବସ ରୂପେ ପାଳନ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.