ETV Bharat / state

ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ପ୍ରୟାସ, ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

author img

By ETV Bharat Odisha Team

Published : Nov 14, 2023, 10:10 PM IST

ରାଜଧାନୀ ଭୁବନେଶ୍ବର ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି । ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ କୃତି ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ପୋଷଣ ଓ ଖାଦ୍ୟ ନିରାପତ୍ତା ଉପରେ ସୁନ୍ଦର ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଛନ୍ତି । ଅଧିକ ପଢ଼ନ୍ତୁ

ଶିଶୁ ମହୋତ୍ସବ ‘ସୁରଭି’
ଶିଶୁ ମହୋତ୍ସବ ‘ସୁରଭି’

ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ବର: ରାଜଧାନୀର ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ଏହା ଆୟୋଜନ କରାଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରୋତ୍ସାହିତ କରିଛନ୍ତି ।

ତେବେ ଶିକ୍ଷକମାନେ ହେଉଛନ୍ତି ବିଶ୍ୱକର୍ମା । ସେମାନେ ଛାତ୍ରଛାତ୍ରୀଙ୍କ ବନ୍ଧୁ, ସହଯୋଗୀ ଏବଂ ମାର୍ଗଦର୍ଶକ । ପ୍ରତ୍ୟେକ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜୀବନକୁ ଉନ୍ନତ କରି ଗଢ଼ି ତୋଳନ୍ତୁ । ପିଲାମାନେ ନିଜ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ କରିବାକୁ ସଦାସର୍ବଦା ପ୍ରୟାସ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନେ ପାଠ ସହ ସହପାଠ ଭିତ୍ତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ । ପିଲାମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ । ସେମାନେ ନିଜ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବଦଳିଛି । ଉନ୍ନତ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ପାନୀୟ ଜଳ ସୁବିଧା, ଶୌଚାଳୟର ସୁବିଧା ରହିଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ସଦାସର୍ବଦା ରାଜ୍ୟସରକାର ପ୍ରୟାସ କରିଆସୁଛନ୍ତି । ପିଲାମାନେ ଏହି ସବୁ ସୁବିଧାସୁଯୋଗ ଉପଯୋଗ କରି ନିଜ ଭବିଷ୍ୟତ ଗଠନ କରନ୍ତୁ ।

ସେପଟେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଏସ୍‌. ଅଶ୍ୱଥୀ ଯୋଗଦେଇ କହିଛନ୍ତି ଯେ, ଚଳିତବର୍ଷ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମକୁ ସୁରଭିରେ ପ୍ରଦର୍ଶିତ କରାଯାଇଛି । କ୍ଲବ୍ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ଦେଉଛି ଆକାଂକ୍ଷୀ ପାଭିଲିୟନ୍ । ଏହାସହ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ କହିଛନ୍ତି ଯେ, ପିଲାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ କରିବାର ହିଁ ସୁରଭିର ଲକ୍ଷ୍ୟ ।

ଏହା ମଧ୍ୟ ପଢ଼ନ୍ତୁ.....ମଙ୍ଗଳବାରଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’, ମୁଖ୍ୟ ଆକର୍ଷଣ ସାଜିବ ଆକାଂକ୍ଷୀ ପାଭିଲିୟନ

ରାଜ୍ୟସ୍ତରୀୟ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତ ଜିଲ୍ଲାରୁ ଛାତ୍ରଛାତ୍ରୀ ଆସିଛନ୍ତି । ସେମାନଙ୍କୁ ଉତ୍ତମ ଅନୁଭୂତି ଦେବାକୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ବୁଧବାର ଅର୍ଥାତ୍ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବିଭିନ୍ନ ଦର୍ଶନୀୟସ୍ଥାନ ବୁଲି ଦେଖିବେ । ଏହାପରେ ଅପରାହ୍ଣରେ ସେମାନେ 'ଛାୟା ମିଳିତ ଜାତିସଂଘ' ପ୍ରଦର୍ଶିତ କରିବେ । ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ କୃତି ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ପୋଷଣ ଓ ଖାଦ୍ୟ ନିରାପତ୍ତା ଉପରେ ସୁନ୍ଦର ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଛନ୍ତି । ଅନ୍ୟପଟେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.