ETV Bharat / state

ଗଣିତରେ ଦକ୍ଷ ହେବେ ଛାତ୍ରଛାତ୍ରୀ; ବିଦ୍ୟାଳୟରେ କରାଯିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Nov 25, 2023, 12:05 PM IST

ପିଲାମାନଙ୍କୁ ଗଣିତ ଶିକ୍ଷାରେ ଅଧିକ ଦକ୍ଷ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ହେବ ସ୍ବତନ୍ତ୍ର ଗଣିତ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଗଣିତ ଶିକ୍ଷାରେ ଦକ୍ଷ ହେବେ ଛାତ୍ର ଛାତ୍ରୀ
ଗଣିତ ଶିକ୍ଷାରେ ଦକ୍ଷ ହେବେ ଛାତ୍ର ଛାତ୍ରୀ

ଭୁବନେଶ୍ବର: ଗଣିତ ଶିକ୍ଷାରେ ଦକ୍ଷ ହେବେ ଛାତ୍ରଛାତ୍ରୀ । ଏଥିପାଇଁ ବିଦ୍ୟାଳୟରେ କରାଯିବ ସ୍ୱତନ୍ତ୍ର ଗଣିତ କାର୍ଯ୍ୟକ୍ରମ । ଆସନ୍ତା ଶିକ୍ଷାବର୍ଷରେ ରାଜ୍ୟର ୪ ହଜାର ସରକାରୀ ବିଦ୍ୟାଳୟ ଓ ୧୮୦ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ (କେଜିବିଭି) ଛାତ୍ରଛାତ୍ରୀଙ୍କ ଗଣିତ ଶିକ୍ଷାକୁ ଅଧିକ ଦକ୍ଷ କରାଯିବ । ଏନେଇ ବିଦ୍ୟାଳୟ ଗୁଡିକରେ ସ୍ୱତନ୍ତ୍ର ଭାବରେ ଗଣିତ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ଚଳିତ ମାସ ଠାରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହେବ ।

ପିଲାମାନଙ୍କୁ ଗଣିତ ଶିକ୍ଷାରେ ଅଧିକ ସୁଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଆସନ୍ତା ଶିକ୍ଷା ବର୍ଷ ୨୦୨୪-୨୫ରୁ ଏହା କାର୍ଯ୍ୟକାରୀ ହେବ । ରାଜ୍ୟର ୪ ହଜାର ସରକାରୀ ବିଦ୍ୟାଳୟ ଓ ୧୮୦ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ (କେଜିବିଭି) ଛାତ୍ରଛାତ୍ରୀଙ୍କୁ ଗଣିତ ବିଷୟରେ ଦକ୍ଷ କରାଯିବାକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ବିଦ୍ୟାଳୟ ଗୁଡିକରେ ସ୍ୱତନ୍ତ୍ର ଭାବରେ ଗଣିତ କାର୍ଯ୍ୟକ୍ରମ କରାଯିବ ।

ଚଳିତ ମାସ ଠାରୁ ଆରମ୍ଭ କରି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରସ୍ତୁତି କରାଯିବ । ଅନ୍ୟପଟେ ବିଦ୍ୟାଳୟର ଆକାଂକ୍ଷୀ ପାଠ୍ୟକ୍ରମ ଅଧୀନରେ ଚାଲିଥିବା କ୍ଲବ୍ ‘ସାହିତ୍ୟ ସୃଜନୀ’, ‘କ୍ରୀଡାଙ୍ଗନ’, ‘ଜିଜ୍ଞାସା’ ଓ ‘କୌଶଳୀ’ ପାଇଁ ଆସନ୍ତା ବର୍ଷ ଉଦ୍ଦେଶ୍ୟରେ ପାଠ୍ୟକ୍ରମ ପ୍ରସ୍ତୁତ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଏହାର ଚୂଡାନ୍ତ ପାଠ୍ୟକ୍ରମ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଜଲ୍ଲି ଫୋନିକ୍ସ ସହଭାଗିତାରେ ଖୋର୍ଦ୍ଧାର ଭୁବନେଶ୍ୱର ବ୍ଲକ୍‌, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଶିକ୍ଷକଙ୍କୁ ଦକ୍ଷତା ବିକାଶ ଦିଗରେ ପ୍ରଶିକ୍ଷଣ ଦିଆଯିବ । ଏହାସହ କେନ୍ଦୁଝର ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ମଧ୍ୟ ଏ ଦିଗରେ ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା ଶିକ୍ଷକମାନେ ଶ୍ରେଣୀଗୃହରେ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେଇପାରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥୀ ଏସ ।


ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ୮ ଲକ୍ଷ ୧୯ ହଜାର ୯୮୮ ଜଣ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ନିଜ ବିଦ୍ୟାଳୟର ଉନ୍ନତି କରିବାକୁ ଯୋଡି ହୋଇଛନ୍ତି ବହୁ ପୁରାତନ ଛାତ୍ରଛାତ୍ରୀ । ଚଳିତ ମାସରେ ୭ ହଜାର ୩୮ ଜଣ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ୭.୯୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଦେଇଥିବା ବେଳେ ସେମାନଙ୍କ ଅନୁଦାନରେ ‘ମୋ ସ୍କୁଲ’ ଅଭିଯାନ ପକ୍ଷରୁ ଦୁଇଗୁଣା ଅନୁଦାନକୁ ମିଶାଇ ମୋଟ ୨୩.୮୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ୯୦୨ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଏହାମଧ୍ୟ ପଢନ୍ତୁ..ବଦଳିବ ସ୍କୁଲର ଭିତ୍ତିଭୂମି ରୂପରେଖ, ଯୋଡି ହେଉଛି ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ

ପୁରାତନ ଛାତ୍ରଛାତ୍ରୀଙ୍କ ଅନୁଦାନରେ ସର୍ବାଧିକ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା । ଯାଜପୁରରୁ ସର୍ବାଧିକ ୮୫.୧୯ ଲକ୍ଷ, ବାଲେଶ୍ୱରରୁ ୮୦ ଲକ୍ଷରୁ ଅଧିକ, କଟକରୁ ୨୭.୧୬ ଲକ୍ଷ, ଗଞ୍ଜାମରୁ ୨୪.୭୫ ଲକ୍ଷ, ବରଗଡ଼ରୁ ୨୨.୯୯ ଲକ୍ଷ, ଜଗତସିଂହପୁରରୁ ୨୧.୩୨ ଲକ୍ଷ ଟଙ୍କା ସମେତ ଅନ୍ୟ ସବୁ ଜିଲ୍ଲାରୁ ବିଦ୍ୟାଳୟର ସର୍ବଙ୍ଗୀନ ଉନ୍ନତି ପାଇଁ ଆର୍ଥିକ ସହାୟତା ମିଳିଛି । ସେହିପରି ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ୧୦.୬୨ କୋଟି ଟଙ୍କାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ବିଦ୍ୟାଳୟର ଉନ୍ନତି ପାଇଁ ଆସିଛି । ପୁରାତନ ଛାତ୍ରଛାତ୍ରୀ ଓ ସିଏସ୍‌ଆର୍ ପାଣ୍ଠିର ସହଯୋଗରେ ଆସିଥିବା ଅର୍ଥ ଏବଂ ‘ମୋ ସ୍କୁଲ୍‌’ ଅଭିଯାନର ଦୁଇଗୁଣା ଅର୍ଥକୁ ମିଶାଇ ସମୁଦାୟ ୫୫.୮୧ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି ।

ସୂଚନା ଅନୁଯାୟୀ, ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ପକ୍ଷରୁ ଶୁକ୍ରବାର ଦିନ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭାଗୀୟ ଶାସନ ସଚିବଙ୍କ ସମେତ ପରିଷଦର ସଦସ୍ୟ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ମନୋଜ ପାଢ଼ୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦୁର୍ଗାଚରଣ ମହାପାତ୍ର, ‘ମୋ ସ୍କୁଲ’ ଅଭିଯାନ ପରିଚାଳନା ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା, ମୁଖ୍ୟ ପରିଚାଳନା ଅଧିକାରୀ ରାଜଲକ୍ଷ୍ମୀ ଦାଶ, ଭାରପ୍ରାପ୍ତ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.