Budget Session: ରାଜସ୍ବ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଅସନ୍ତୁଷ୍ଟ ବିରୋଧି, ସୋମବାର ଯାଏଁ ଗୃହ ମୁଲତବୀ

author img

By

Published : Mar 18, 2023, 8:35 PM IST

ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ସପ୍ତମ ଦିବସରେ କୋଇଡା ବିଡିଓ ବଦଳି ପ୍ରସଙ୍ଗରେ ଗୃହରେ ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବାରମ୍ବାର ଗୃହ ମୁଲତବୀ ସତ୍ତ୍ବେ ରାଜସ୍ବ ବିଭାଗ ଖର୍ଚ୍ଚ ଦାବି ଆଲୋଚନା କରିଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏହାପରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ସପ୍ତମ ଦିବସ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । କୋଇଡା ବିଡିଓଙ୍କ ବଦଳି ଦାବିରେ ହୋହଲ୍ଲା କରିଥିଲେ ବିରୋଧି । ପ୍ରବଳ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଧୋଇଯାଇଥିଲା । ଏନେଇ ବାରମ୍ବାର ଗୃହ ମୁଲତବୀ ପରେ କୋଇଡା ବିଡିଓ ବଦଳି ପ୍ରସଙ୍ଗରେ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହାପରେ ରାଜସ୍ୱ ବିଭାଗ ଖର୍ଚ୍ଚ ଦାବି ଉପସ୍ଥାପନ ହୋଇଥିଲା । ତେବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧି ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହ ତ୍ୟାଗ କରିଥିଲେ । ଏହାପରେ ଆସନ୍ତା ୨୦ ତାରିଖ ତଥା ସୋମବାର ୧୦ଟା ୩୦ ମିନିଟ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଆଜିର ଅଧିବେଶନ ଆରମ୍ଭରୁ ସୁନ୍ଦରଗଡ ଜିଲ୍ଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହରେ କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ଉପସ୍ଥାପନ କରିଥିଲେ । ଯାହକୁ ସମର୍ଥନ କରି ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ଖୁବ୍ ହୋହଲ୍ଲା କରିଥିଲେ । ଶେଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବାହ୍ନ ସାଢେ ୧୧ ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ । ପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ପୁଣି ଗୃହରେ ସରକାରୀ ଅଫିସରଙ୍କ ବେପରୁଆ ମନୋଭାବ ପ୍ରସଙ୍ଗ ଉଠିଥିଲା । ଏନେଇ ପୁଣି ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖାଯାଇଥିଲା ।

ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗଣତନ୍ତ୍ରର ସୁରକ୍ଷା ଦାବି କରି ବିରୋଧି କଂଗ୍ରେସ ଓ ବିଜେପି ବିଧାୟକ ମାନେ ହୋହାଲ୍ଲା କରିଥିଲେ । ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ବାଚସ୍ପତି ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ । କୋଇଡା ବିଡିଓଙ୍କ ବଦଳି ପ୍ରସଙ୍ଗରେ ଗଣତନ୍ତ୍ରର ସୁରକ୍ଷା ଦାବି କରି ବିରୋଧିଙ୍କ ହଟ୍ଟଗୋଳ ପାଇଁ ଉପବାଚସ୍ପତି ଗୃହକୁ ଆଉ ୧୫ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ । ତେବେ କୋଇଡା ବିଡିଓ ବଦଳି ପ୍ରସଙ୍ଗରେ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହାପରେ ଆରମ୍ଭ ହୋଇଥିଲା ରାଜସ୍ୱ ବିଭାଗର ଖର୍ଚ୍ଚଦବି ଉପସ୍ଥାପନ । ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉପସ୍ଥାପନ କରିଥିବା ଖର୍ଚ୍ଚ ଦାବି ଅନୁଦାନ ହେଲା, ୧୫୮୬ କୋଟି ୪୧ ଲକ୍ଷ ୭୦ହଜାର ଟଙ୍କା । ଏହାକୁ ଶାସକ ଦଳ ବିଧାୟକ ଅମର ଶତପଥୀ, ରାଜେନ୍ଦ୍ର ସାହୁ, ପ୍ରଫୁଲ୍ଲ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା ଓ ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ସମର୍ଥନ କରିଥିବା ବେଳେ ବିରୋଧି ଦଳରୁ ନରସିଂହ ମିଶ୍ର, ସନାତନ ବିଜୁଳି, ସୁର ରାଉତରାୟ, ନିତ୍ୟାନନ୍ଦ ଗଣ୍ଡ ଓ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ସମର୍ଥନ କରିନଥିଲେ ।

ଆଲୋଚନାରେ ଭାଗ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, "ମୁଁ ଏହାକୁ ଗ୍ରହଣ କରିପାରୁନାହିଁ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏକ ଗୁରୁତତ୍ୱପୂର୍ଣ ବିଭାଗ । ଏହି ବିଭାଗ ଜନସାଧାରଣ ଓ ରାଜ୍ୟ ପାଇଁ ବଡ଼ ଜମି । ଏହାର ସୁରକ୍ଷା କରିବା ପାଇଁ ସରକାର ଯୋଜୋନ ମାନ କରନ୍ତି । ରାଜ୍ୟବାସୀ କିପରି ନିରପେକ୍ଷ ଭାବେ ରହିପାରିବେ, କୃଷି ଜମି ପାଇପାରିବେ, ସରକାର ଏହି ଦିଗରେ ପଦକ୍ଷେପ ନେବା ଦରକାର । ଏହି ଅଞ୍ଚଳର ବିକାଶ ସହ ଗମନାଗମନର ସୁବିଧା ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ରାସ୍ତା ପ୍ରଶସ୍ତ କରିବା ଉପରେ ଗୁରୁତ୍ଵ ଦେବା ଦରକାର । ଭୂମିହୀନଙ୍କୁ ଜମି ପ୍ରଦାନ କରିବା ଦରକାର । ଶିଳ୍ପ ହେଲେ ବିସ୍ଥାପିତଙ୍କୁ ଥଇଥାନ କରିବା ଉଚିତ୍ । କିନ୍ତୁ ଶିଳ୍ପ ନାଁରେ ଜମିକୁ ହଡ଼ପ କରି ଦୁରୁପଯୋଗ କରୁଛନ୍ତି । ରାଜସ୍ୱ ବିଭାଗ କିପରି ଏହି ଦାୟିତ୍ଵ ନେବ ତାହା ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁରୁତ୍ଵ ବହନ କରିପାରୁନାହିଁ । ଲଘୁ ଖଣିଜକୁ ଏହି ବିଭାଗରୁ କାହିଁକି ବାଦ ଦିଆଗଲା ବୁଝି ହେଉନାହିଁ । ରାଜସ୍ୱ ବିଭାଗରେ ସରକାରୀ ଅଧିକାରୀ ଥିଲେ ମଧ୍ୟ ବାଲି, ମୋରୋମ ଚୋରାଚାଲାଣ ରୋକିବାରେ ସରକାର ବିଫଳ ହେଲେ । ବେଆଇନ ଚୋରାଚାଲାଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରି ତହସିଲଦାର ଆକ୍ରମଣର ଶିକାର ହେଉଛନ୍ତି । ଲଘୁ ଖଣିଜ ଦ୍ରବ୍ୟର ପରିଚାଳନା ପାଇଁ କେହି ନାହାନ୍ତି ।"

ସେ ଆହୁରି କହିଛନ୍ତି, "ସହରରେ ବସ୍ତି ଅଛି । ଜବରଦଖଲ ହୋଇଛି । ସହରକୁ ବସ୍ତିମୁକ୍ତ କରିବା ପାଇଁ ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି । ମିଶନ ଚାଲିଲା । କିନ୍ତୁ ଏହା ବନ୍ଦ ହୋଇଯିବା ପରି ଲାଗୁଛି । ଏବେ ବି ଅନେକ ଭୂମିହୀନ ପରିବାର ଅଛନ୍ତି । ତେଣୁ ଜାଗା ମିଶନର ସଫଳତାର ଚିତ୍ର ନାହିଁ । ଅନୁସୂଚିତ ଜନଜାତି ୱେବସାଇଟରେ ତଥ୍ୟ ବାହାରୁଛି ଓଡ଼ିଶା ଦେଶର ଦ୍ୱିତୀୟ ଦରିଦ୍ରତମ ରାଜ୍ୟ । ଆଫ୍ରିକାର ଅଞ୍ଚଳ ପରି ମନେ ହେଉଛି । ଦାଦନ ଚାଲାଣ କିପରି ହେଉଛି, କ୍ଷୁଧା କିପରି ରହିଛି, ତାହାର ଚିତ୍ର ପ୍ରଦର୍ଶନ ହୋଇଛି । ପାଖାପାଖି ୨୩ ପ୍ରତିଶତ ଆଦିବାସୀଙ୍କ ଜୀବନଶୈଳୀ ଏହି ୱେବସାଇଟରୁ ଜଣାପଡୁଛି । ଭୂମିହୀନଙ୍କୁ ପଟ୍ଟା ଦେବାରେ ସରକାରଙ୍କ ବିଶ୍ବସ୍ତରୀୟ ଜାଗା ମିଶନ ଫେଲ ମାରିଛି । ୧୦ ପ୍ରତିଶତ ଲୋକଙ୍କୁ ଥଇଥାନ କରାଯାଇପାରିନାହିଁ । ସୀମା ବିବାଦ ସମ୍ବେଦନଶୀଳ ପ୍ରସଙ୍ଗ । ୧୪ ଜିଲ୍ଲା ୪ ରାଜ୍ୟ ସହ ସମସ୍ୟା ଲାଗି ରହିଛି । କୋଟିଆ ଓଡ଼ିଶାରେ ଥାଇ ନଥିବା ପରି । ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଗସ୍ତ କରିଥିଲେ । ଜଗନ୍ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଉଥିଲେ । ହେଲେ ଆମ ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତର ହେଲା ଆମ ପାଖରେ ଖବର ନାହିଁ । ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ କହିଲେ । ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବରେ କହିବେ କୋଟିଆ ପାଇଁ କଣ କରୁଛନ୍ତି । ଜିଲ୍ଲା ଗଠନ ପ୍ରକ୍ରିୟା କେମିତି ଚାଲିଛି । ପଡ଼ଆ ଗ୍ରାମକୁ ରାଜସ୍ୱ ଗ୍ରାମରେ କେବେ ପରିଣତ କରାଯିବ ।"

ତେବେ ରାଜସ୍ୱ ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉତ୍ତରରେ କହିଛନ୍ତି, "ଓଡ଼ିଶାରେ ଜନଜାତି ମାନଙ୍କୁ ସର୍ବାଧିକ ଜମି ଯୋଗାଇଛନ୍ତି ସରକାର । ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ୍ ବେଶୀ । କୋଟିଆରେ ରାଜ୍ୟ ସରକାର ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି । କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ରାଜ୍ୟରେ ୫୭ ହଜାର ୧୦୦ଜଣ ଘରଡିହ ନଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୫୦ ହଜାର ୫୨୮ଜଣଙ୍କୁ ଘରଡିହ ସରକାର ଯୋଗାଇଛନ୍ତି । ନଭେମ୍ବର ୨୦୨୨ରୁ ୮୦ଟି କୋର୍ଟରେ ଭର୍ଚୁଆଲ କୋର୍ଟ କାର୍ଯ୍ୟକାରୀ ହୋଇଛି । ଏପ୍ରିଲରୁ ସମସ୍ତ ତହସିଲ ଭର୍ଚୁଆଲ ହେବ । ୩୪ଟି ଲୋକସେବାକୁ ଅନଲାଇନ କରଯାଇଛି ।" ସମସ୍ତ ସାର୍ଟିଫିକେଟ ମିଳୁଛି ବୋଲି ଗୃହରେ ଉତ୍ତର ରଖିଥିଲେ ମନ୍ତ୍ରୀ । ଏହାପରେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ସମସ୍ତ କଂଗ୍ରେସ ଓ ବିଜେପି ବିଧାୟକ ଗୃହ ତ୍ୟାଗ କରିଥିଲେ । ପରେ ଆସନ୍ତା ସୋମବାର ୧୦ଟା ୩୦ ମିନିଟ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.