ETV Bharat / state

ବାଣୀବିହାରରେ JNU ପ୍ରଫେସରଙ୍କ ବକ୍ତବ୍ୟକୁ ବିରୋଧ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା ଛାତ୍ର ବିଜେଡି

author img

By

Published : Feb 13, 2023, 7:29 AM IST

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା ଘଟଣାକୁ ଦୃଢ ନିନ୍ଦା କଲା ଛାତ୍ର ବିଜେଡି । ଉକ୍ତ ଛାତ୍ର ଗୋଷ୍ଠୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢ଼ନ୍ତୁ

ବାଣୀବିହାରରେ ଉତ୍ତେଜନା
ruckus at utkal university

ବାଣୀବିହାରରେ JNU ପ୍ରଫେସରଙ୍କ ବକ୍ତବ୍ୟକୁ ବିରୋଧ ଘଟଣା

କଟକ: ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନକୁ ନେଇ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ଛାତ୍ର ରାଜନୀତି । ଆଲୋଚନା ଚକ୍ର ବେଳେ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଦେଖାଦେଇଥିବା ହିଂସାକୁ ଦୃଢ ନିନ୍ଦା କରିଛି ଛାତ୍ର ବିଜେଡି । ବିଶ୍ବବିଦ୍ୟାଳୟରେ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବା ଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଦାବି କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ମତ ରଖି ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଏଭଳି ଘଟଣାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଉଛି । ବିଶ୍ବବିଦ୍ୟାଳୟ ପରିସରରେ ଉନ୍ମତ୍ତ କାଣ୍ଡ ଭିଆଉଥବା ଛାତ୍ର ଏବଂ ଅଣଛାତ୍ରମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ବିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ତେବେ ରବିବାର ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଡିଟୋରିୟମ ଠାରେ 'ସମ୍ବିଧାନ ଏବଂ ଶିକ୍ଷା' ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା ।

JNUର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟମାନେ ଆସି ଏହାକୁ ବିରୋଧ କରିଥିଲେ । ଏହାପରେ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମକର୍ତ୍ତାମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିଥିଲେ । ଏପରିକି କିଛି ପ୍ରଫେସରଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଏବିଭିପିର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଲୋଚନା ଚକ୍ରରେ ପ୍ରଫେସର ସୁରଜିତ ମଜୁମଦାର ତାଙ୍କ ବକ୍ତବ୍ୟରେ ଦେଶ ବିରୋଧି ମନ୍ତବ୍ୟ କହିଥିବା ଏହି ଛାତ୍ର ସଂଗଠନର ସଦସ୍ୟମାନେ ଅଭିଯୋଗ କରିଛନ୍ତି ।

ପ୍ରଥମେ କଥା କଟାକଟି ପରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଜେଏନ୍‌ୟୁ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ର ସଂଗଠନ ପ୍ରବଳ ହଙ୍ଗାମା କରିଥିଲେ । ଏପରିକି ଠେଲାପେଲା ଧକ୍କା ମାରିବା ଭଳି ପରିସ୍ଥିତି ଉପୁଜିଥିଲା । ଏନେଇ ସହିଦନଗର ଥାନାରେ 2ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା । ଅଭିଯୋଗ ପରେ ପୋଲିସ ବାଣୀବିହାରରେ ପହଞ୍ଚିଥିଲା । ଏହି ସମୟରେ ଏବିଭିପି କର୍ମୀମାନେ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସକୁ ବିଶ୍ବବିଦ୍ୟାଳୟ ପରିସରକୁ ପ୍ରବେଶ କରିବାକୁ ଦେଇନଥିଲେ । ପରେ ପୋଲିସ ବୁଝାସୁଝା କରିବା ପରେ କର୍ମୀମାନେ ଆନ୍ଦୋଳନରୁ ଓହ୍ଲାଇଥିଲେ । ତେବେ ବିଶ୍ବବିଦ୍ୟାଳୟରେ ହୋଇଥିବା ଏଭଳି ହିଂସାକୁ ନିନ୍ଦା କରିଛି ଛାତ୍ର ବିଜେଡି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.