ETV Bharat / state

Rukuna Rathayatra 2023: ଅଢେଇ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି, ଆରମ୍ଭ ହେଲା ପହଣ୍ଡି

author img

By

Published : Mar 29, 2023, 3:43 PM IST

Updated : Mar 29, 2023, 4:03 PM IST

ଅଢେଇ ଘଣ୍ଟା ବିଳମ୍ବରେ ଚାଲିଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା । ଲିଙ୍ଗରାଜଙ୍କ ନୀତିକାନ୍ତି ପରେ ପହଣ୍ଡି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

Rukuna Rathayatra of lord lingaraj
ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା

ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା

ଭୁବନେଶ୍ବର: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା । ଯାତ୍ରାକୁ ନେଇ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ । ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର । ଲିଙ୍ଗରାଜଙ୍କ ନୀତିକାନ୍ତି ପରେ ପହଣ୍ଡି ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଥିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ବିଳମ୍ବ ହୋଇଥିବା କହିଛନ୍ତି ସମ୍ପାଦକ । ଯଦି ଏହିଭଳି ବିଳମ୍ବରେ ନୀତି ଚାଲେ, ତେବେ ରଥଟଣା ପାଇଁ ନିର୍ଦ୍ଧାରିତ ସମୟ ସାଢେ ତିନିଟା ପରିବର୍ତ୍ତେ ୫ଟା ବେଳେ ଆରମ୍ଭ ହେବ ବୋଲି ଅନୁମାନ କରି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ।

ପବିତ୍ର ରୁକୁଣା ଯାତ୍ରା ଅବସରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ନିମନ୍ତେ ଏକାମ୍ର କ୍ଷତ୍ରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ରାଜଧାନୀବାସୀଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ଓ ସନ୍ନ୍ୟାସୀଙ୍କ ସମାଗମ ହୋଇଛି । ରୁକୁଣା ରଥଯାତ୍ରା ଲାଗି ମନ୍ଦିର ପ୍ରଶାସନ, ବିଏମସି, ବିଦ୍ୟୁତ୍ ବିଭାଗ, ଜଳସମ୍ପଦ ବିଭାଗ ସହ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ସିଂହଦ୍ୱାରକୁ ଫୁଲରେ ସୁସଜ୍ଜିତ କରାଯାଇ ଚତୁଃପାର୍ଶ୍ବର ଆଲୋକୀକରଣ କରାଯାଇଛି । ଯାତ୍ରା ଏବଂ ବାହୁଡ଼ା ଲାଗି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ମଧ୍ୟ ରାତ୍ରିରୁ ଶ୍ରୀଲଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହୋଇଥିବା ବେଳେ ବିଧି ଅନୁସାରେ ପ୍ରଥମେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ହୋଇଥିଲା । ରଥ ପାଇଁ ପାଣି ଯିବା ପରେ ମରୀଚିକୁଣ୍ଡରୁ ଉଠିଥିବା ଅନ୍ୟ କଳସ ଜଳ ନିଲାମ କରାଯାଇଛି । କୁହାଯାଏ ଏହି ପାଣିରେ ସ୍ନାନ କଲେ ମହିଳାମାନଙ୍କୁ ସନ୍ତାପପ୍ରାପ୍ତି ହୋଇଥାଏ । ତେବେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ବେଶ ଆଡ଼ମ୍ବରେ ରୁକୁଣା ରଥଯାତ୍ରା ପାଳିତ ହେଉଛି । ନୀତି ବିଳମ୍ବ ପାଇଁ ଅପରାହ୍ନ ୫ଟାରୁ ୫.୩୦ ଭିତରେ ରଥଯାତ୍ରା ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ନୀତି ନିୟମ ଅନୁଯାୟୀ ସକାଳ ୫ଟାରୁ ୫.୩୦ରେ ମଙ୍ଗଳ ଆଳତୀରୁ ରୁକୁଣା ରଥର ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ ଅଢେଇ ଘଣ୍ଟା ବିଳମ୍ବରେ ଚାଲିଛି । ପରେପରେ ମଧ୍ୟାହ୍ନ ଭୋଗ ଲାଗି ହେବା ସହ ରଥରେ ପୂଜା କରାଯାଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ଅନ୍ୟାନ ନୀତିକାନ୍ତି ସମାପନ କରାଯିବ ଏବଂ ଏହାପରେ ରଥ ରୁଢ଼ ହେବେ ମହାପ୍ରଭୁ । ରଥ ଗଡ଼ିବ ହରହରି ଭେଟ ହେବ, କାରଣ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ସହ ଅନନ୍ତ ବାସୁଦେବ ଆଉ ରୁକ୍ମୁଣୀ ରଥାରୁଢ଼ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 29, 2023, 4:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.