ETV Bharat / state

ବଢ଼େଇ ବାଙ୍କ ଛକରେ ଅଟକିଲା ରୁକୁଣା ରଥ, ଆଜି ପହଞ୍ଚିବ ରାମେଶ୍ବର ମନ୍ଦିରରେ

author img

By

Published : Mar 30, 2023, 7:41 AM IST

ବିଳମ୍ବରେ ଗଡିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ । ବଢ଼େଇବାଙ୍କ ଛକରେ ଅଟକିଲା ରଥ । ଆଜି ଅପରାହ୍ନ 2ଟାରେ ପୁଣି ଆରମ୍ଭ ହେବ ରଥ ଟଣା । ଅଧିକ ପଢନ୍ତୁ

rukuna ratha yatra in bhubaneswar
rukuna ratha yatra in bhubaneswar

rukuna ratha yatra in bhubaneswar

ଭୁବନେଶ୍ବର: ଘଣ୍ଟ ଘଣ୍ଟା, ଶଙ୍ଖନାଦ ଓ ହୁଳହୁଳିରେ କମ୍ପୁଥିଲା ଚତୁର୍ଦ୍ଦିଗ । ରଥ ଗ଼ଡିବା ବିଳମ୍ବ ହେଉଥିବାରୁ ଭଗବାନଙ୍କୁ ଦେଖିବାକୁ ଅଥୟ ହୋଇପଡୁଥିଲା ଭକ୍ତର ଆଖି । ଶେଷରେ ଏକ ଘଣ୍ଟା 50 ମିନିଟ ବିଳମ୍ବରେ ଗଡିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ । ପ୍ରଭୁ ଲିଙ୍ଗରାଜ, ଉଭଣୀ ରୁକ୍ମିଣୀ ଓ ପ୍ରଭୁ ଦୋଳ ଗୋବିନ୍ଦ ରଥାରୁଢ ହୋଇ ମାଉସୀ ଘର ତଥା ରାମେଶ୍ବର ମନ୍ଦିର ଅଭିମୁଖେ ବାହାରିଥିଲେ । ରୁକୁଣା ରଥ ଟାଣିବାକୁ ଲୋକାରଣ୍ୟ ହୋଇଥିଲା ଏକାମ୍ରକ୍ଷେତ୍ର । ବେଶ ଉତ୍ସାହର ସହ ମାଉସୀ ମାଆ ଘରକୁ ପ୍ରଭୁଙ୍କୁ ନେବା ପାଇଁ ରୁକୁଣା ରଥକୁ ଟାଣିଥିଲେ ଶ୍ରଦ୍ଧାଳୁ ।

ଡାହୁକର ଡାକ ସହ ଭକ୍ତରର ଆବେଗ ଓ ଆଗ୍ରହକୁ ନେଇ ପାଦେ ପାଦେ ରଥ ଗଡିଥିବା ବେଳେ ବଢ଼େଇବାଙ୍କ ଛକରେ ଗତକାଲି ଅଟକିଲା ରୁକୁଣା ରଥ । ନୀତିକାନ୍ତିରେ ବିଳମ୍ବ ଯୋଗୁଁ ରଥ ଅଟକିବାରୁ ଆଜି ଅପରାହ୍ନ 2 ଟାରେ ପୁଣି ଥରେ ରଥ ଟଣା ଆରମ୍ଭ ହେବ । ରାମେଶ୍ୱର ମନ୍ଦିରରେ ପହଞ୍ଚିବା ପରେ ପ୍ରଭୁଙ୍କୁ ପାଛୋଟି ନେବେ ସେବାୟତ । ଆଉ ମାଉସୀ ମାଆ ଘରେ ୩ଦିନର ଲୀଳାଖେଳା ସାରି ପୁଣି ପ୍ରଭୁ ଲିଙ୍ଗରାଜ ବାହାରିବେ ନିଜ ଘରକୁ ।

ସେବାୟତଙ୍କ ନୀତିକାନ୍ତି ସହ ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀର ପୂଜାର୍ଚ୍ଚନା ପରେ ଗଡିଥିଲା ରଥ । ଚଳିତବର୍ଷ କୋଭିଡ କଟକଣା ନଥିବାରୁ ଏକାମ୍ରକ୍ଷେତ୍ର ଲୋକାରଣ୍ୟ ହୋଇଥିଲା । ତେଣୁ ଆବାଳବୃଦ୍ଧ ବନିତା ସମସ୍ତେ ମିଶି ପ୍ରଭୁଙ୍କ ରଥକୁ ବେଶ ସୁରୁଖୁରୁରେ ଟାଣି ନେଇଥିଲେ । ଆଉ ପ୍ରଭୁ ରଥକୁ ଟାଣିବାର ସୁଯୋଗ ପାଇଁ ବେଶ ଖୁସି ଅନୁଭବ କରିଥିଲା ଭକ୍ତ । ଓମ ନମଃ ଶିଵାୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । କାରଣ ଲିଙ୍ଗରାଜଙ୍କ ଏହି ପବିତ୍ର ଯାତ୍ରାକୁ ବଡ ପ୍ରତୀକ୍ଷାର ସହ ଚାହିଁ ରହିଥାଏ ଭକ୍ତ ।

ଅନ୍ୟପଟେ ଗତକାଲି ସକାଳୁ ମହାପ୍ରଭୁଙ୍କ ନୀତି କାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ହୋଇଥିଲା । ସକାଳର ମଙ୍ଗଳ ଆଳତୀ ଅବକାଶ ନୀତି ସହ ସାହାଣ ମେଳା ଦର୍ଶନ, ସକାଳ ଧୂପ ମଧ୍ୟାହ୍ନ ଧୂପ ସରିବା ପରେ ପହଣ୍ଡି ବିଜେ ନୀତି କରାଯାଇଥିଲା । ପାଖାପାଖି ୩ଟାରେ ପହଣ୍ଡି ବିଜେ କରାଯାଇଥିବା ବେଳେ ପରେ ରଥରେ ରଥାରୁଢ଼ ଲିଙ୍ଗରାଜ ଚନ୍ଦ୍ରଶେଖର ବାସୁଦେବ ଓ ମାତ ରୁକ୍ମଣୀ ନକର ରଥ ପୂଜା କରାଯାଇଥିଲା । ପୂଜା ପରେ ଆଜ୍ଞା ମାଳ ଆସି ଥିଲା। ଏହା ପରେ ରଥରେ ଚଢ଼ିଥିଲେ ଡାହୁକ ବା ଖୁଣ୍ଟିଆ ସେବାୟତ । ଆଉ ତାପରେ ଆଜ୍ଞା ମାଳ ପିନ୍ଧି ରଥକୁ ଆଗେଇ ନେଇଥିଲେ ଡାହୁକ ।

ଡାହୁକଙ୍କ ଡାକରେ ଆରମ୍ଭ ହୋଇଥିଲା ପ୍ରଭୁଙ୍କ ରଥ ଟଣା । ପରେ ପରେ ଭକ୍ତମାନେ ରଥକୁ ଉତ୍ସାହର ସହ ଟାଣି ନେଇଥିଲେ । ଭକ୍ତଙ୍କ ସହ ନେତା ମନ୍ତ୍ରୀ ପୋଲିସ ସାମିଲ ହୋଇ ରଥ ରାସ୍ତାରେ ରଥାରୁଢ଼ ପ୍ରଭୁଙ୍କ ରଥ ଦଉଡ଼ିକୁ ଟାଣିଥିଲେ । ପ୍ରଭୁଙ୍କର ରଥ ଚାଲିଥିବା ବେଳେ ସନ୍ଧ୍ୟା ହେବାରୁ ଶେଷରେ ବଢେଇବାଙ୍କ ଛକରେ ଅଟକିଥିଲା ରଥ । ସେଠାରେ ଭକ୍ତ ମାନେ ରଥର ସ୍ପର୍ଶ କରିବା ସହ ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ରଥ ୫ଟା ୨୦ ମିନିଟରେ ଗଡ଼ିବା ଆରମ୍ଭ ହୋଇଥିବା ବେଳେ ୬ଟା ପନ୍ଦରରେ ବଢେଇବାଙ୍କ ଠାରେ ଅଟକିଥିଲା । ଏହାକୁ ନେଇ ନୀତି ନିର୍ଘଣ୍ଟର ଏକ ଘଣ୍ଟା ୫୦ ମିନିଟ ବିଳମ୍ବରେ ଚଳିତ ବର୍ଷ ରଥ ଟଣା ନୀତି ସମାପନ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.