ETV Bharat / state

ଶିଳ୍ପାନୁକୂଳ ବାତାବରଣ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ: I&PR ସଚିବ

author img

By

Published : Dec 3, 2022, 8:59 AM IST

ବିଗତ ୧୦ ବର୍ଷ ମଧ୍ୟରେ ଶିଳ୍ପାୟନ ଏବଂ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଗଣମାଧ୍ୟମ ସକରାତ୍ମକ ଓ ଗଠନମୂଳକ ସମ୍ବାଦ ପରିବେଷଣ କରିଆସିଛି । ଓଡିଶାରେ ଶିଳ୍ପାୟନ କ୍ଷେତ୍ରରେ ଧାରଣା ବଦଳିବାରେ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି । ମେକ୍ ଇନ୍ ଓଡିଶା କନକ୍ଲେଭରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ “ଉଦ୍ୟୋଗରୁ ଉନ୍ନତି” କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ଏନେଇ କହିଛନ୍ତି । ଅଧିକ ପଢ଼ନ୍ତୁ

role of media in creating an industry friendly atmosphere is commendable says i and pr secretary
ଶିଳ୍ପାନୁକୂଳ ବାତାବରଣ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ : I&PR ସଚିବ

ଭୁବନେଶ୍ବର: ମେକ୍ ଇନ୍ ଓଡିଶା କନକ୍ଲେଭରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ “ଉଦ୍ୟୋଗରୁ ଉନ୍ନତି” ପ୍ରସଙ୍ଗ ଉପରେ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ସଂପାଦକ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏଡିଟର୍ସ ରାଉଣ୍ଡ ଟେବୁଲ ଅନୁଷ୍ଠିତ ହୋଇଛି । ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଏହି ଆଲୋଚନା ଚକ୍ରକୁ ପରିଚାଳନା କରିଛନ୍ତି । ‘ଉଦ୍ୟୋଗରୁ ଉନ୍ନତି’ ସଂପର୍କରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମର ସଂପାଦକ ତଥା ଅତିଥି ବକ୍ତାମାନଙ୍କ ଠାରୁ ସେ ମତାମତ ଲୋଡିଛନ୍ତି ।

role of media in creating an industry friendly atmosphere is commendable says i and pr secretary
ଶିଳ୍ପାନୁକୂଳ ବାତାବରଣ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ: I&PR ସଚିବ

ପ୍ରମୁଖ ଶାସନ ସଚିବ ଉଦ୍ୟୋଗରୁ ଉନ୍ନତି ତଥା ଶିଳ୍ପାୟନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, "ଶିଳ୍ପାୟନ ପାଇଁ ଉପଯୁକ୍ତ ଜମି, ଶ୍ରମିକ, ପୁଞ୍ଜି, ଦକ୍ଷ ମାନବ ସମ୍ବଳ, ବୈଷୟିକ ଜ୍ଞାନକୌଶଳ ଯେପରି ଆବଶ୍ୟକତା ରହିଛି, ସେହିପରି ବଳିଷ୍ଠ ଶିଳ୍ପନୀତି ଓ ଶିଳ୍ପାନୁକୂଳ ବାତାବରଣର ଆବଶ୍ୟକତା ରହିଛି । ଯାହାକୁ ଗୁରୁତ୍ୱ ଦିଆଯାଇ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ବ୍ୟାପକ ଭାବେ ଆରମ୍ଭ ହୋଇଛି । ରାଜ୍ୟରେ ୧ ଲକ୍ଷ ଏକର ଜମି ‘ଲ୍ୟାଣ୍ଡ ବ୍ୟାଙ୍କ’ରେ ରହିଛି । ଯାହାର ସୁବିଧା ଔଦ୍ୟୋଗିକ ବିକାଶ ପାଇଁ ନିଆଯିବା ଆବଶ୍ୟକ । ଶିଳ୍ପ ବା ଉଦ୍ୟୋଗ ପ୍ରତିଷ୍ଠା ପ୍ରତି ମନୋଭାବ ପ୍ରତିପୋଷଣ ଏବଂ ଏହାକୁ ସମସ୍ତେ ଭଲଭାବେ ବୁଝିବା ଆବଶ୍ୟକ ।"

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆମେ ଦେଶ ବିଦେଶର ପୁଞ୍ଜି ନିବେଶକଙ୍କ ବିଶ୍ୱାସ ଜିତିବାର ଅଛି । ବିଗତ ୧୦ ବର୍ଷ ମଧ୍ୟରେ ଶିଳ୍ପାୟନ ଏବଂ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଗଣମାଧ୍ୟମ ସକରାତ୍ମକ ଓ ଗଠନମୂଳକ ସମ୍ବାଦ ପରିବେଷଣ କରିଆସିଛି । ଓଡିଶାରେ ଶିଳ୍ପାୟନ କ୍ଷେତ୍ରରେ ଧାରଣା ବଦଳିବାରେ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରଶଂସନୀୟ ଭୂମିକା ନିର୍ବାହ କରିଆସିଛି । ଆଗାମୀ ଦିନରେ ରାଜ୍ୟର ଅଭିବୃଦ୍ଧି ଓ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଗଣମାଧ୍ୟମ ସହଯୋଗ ବଜାୟ ରଖିବାକୁ ସେ ଆଶା ପୋଷଣ କରିଛନ୍ତି ।

କାର୍ଯ୍ୟକ୍ରମରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ କହିଛନ୍ତି, ଓଡିଶାର ଇତିହାସ ରାଜ୍ୟର ବାଣିଜ୍ୟିକ ଐତିହ୍ୟ ଏବଂ ଉଦ୍ୟୋଗ ସହିତ ଶହ ଶହ ବର୍ଷ ବର୍ଷ ଧରି ଯୋଡି ହୋଇରହିଛି । ପ୍ରାଚୀନ ଓଡିଶାର ସାଧବ ପୁଅମାନଙ୍କର ଇଣ୍ଡୋନେସିଆର ବାଲିଦ୍ୱୀପକୁ ଯାତ୍ରା ଏବଂ ନୌବାଣିଜ୍ୟିକ ପରମ୍ପରାଠାରୁ ଆରମ୍ଭ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଉତ୍କଳ ଟାନେରୀ ସ୍ଥାପନ ପର୍ଯ୍ୟନ୍ତ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ସ୍ୱର୍ଣ୍ଣିମ ଇତିହାସ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହିତ ଆଧୁନିକ ଓଡିଶାରେ ଅନେକ ଓଡିଆ ଯୁବକ ଯୁବତୀ ଉଦ୍ୟୋଗ ପ୍ରତିଷ୍ଠା କରି ଓଡିଶାର ରୂପାନ୍ତରଣରେ ଉଲ୍ଲେଖନୀୟ ପରିବର୍ତ୍ତନର ଆଣିପାରିଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଔଦ୍ୟୋଗିକତା ବିଷୟକୁ ପାଠ୍ୟ ଖସଡାରେ ସାମିଲ କରିବାକୁ ନରେନ୍ଦ୍ର ପ୍ରସ୍ତାବ ରଖିଛନ୍ତି ।

ସେହିପରି ନିର୍ଦ୍ଧିଷ୍ଟ ଦୈନିକ ଖବର କାଗଜର ସଂପାଦକ ଯୋଗ ଦେଇ ମେକ୍ ଇନ୍ ଓଡିଶା - ୩.୦ ଆୟୋଜନକୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାର ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ବଡ ଧରଣର ରଣନୀତି ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ୭.୨୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବନା ଅତ୍ୟନ୍ତ ଉତ୍ସାହଜନକ । ଦୃଢ ନେତୃତ୍ୱ, ସଂକଳ୍ପବଦ୍ଧ ପ୍ରଶାସନ ଯୋଗୁଁ ରାଜ୍ୟ ପ୍ରଗତି କ୍ଷେତ୍ରରେ ଆଗକୁ ବଢୁଛି ବୋଲି ସେ କହିଛନ୍ତି । ମିଶନ ଶକ୍ତିର ସଫଳତା ଠାରୁ ଆରମ୍ଭ କରି ମିଲେଟ୍ ମିଶନ୍, ବୟନ ଶିଳ୍ପ ଆଦିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ପ୍ରଶଂସନୀୟ । ଏହା ସହିତ ଔଦ୍ୟୋଗିକ ଉନ୍ନତିରୁ ଯେପରି ସାମାଜିକ ଉନ୍ନତି ସମ୍ଭବ ହୋଇପାରିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗଣମାଧ୍ୟମର ଶକ୍ତିକୁ ଔଦ୍ୟୋଗିକ ବିକାଶରେ ପ୍ରମୁଖ ଅଂଶୀଦାର ଭାବେ ଗ୍ରହଣ କରିବାକୁ ସେ ମତ ରଖିଛନ୍ତି ।

ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ, ଓଡିଶାରେ ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ନିଆରା ସୁଯୋଗ ଦେଇଛି ବୋଲି ଏକ ନିର୍ଦ୍ଧିଷ୍ଟ ଦୈନିକ ଖବର କାଗଜ ସମ୍ପାଦକ କହିଛନ୍ତି । ଦୃତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଓଡିଶା ଏବେ ଆଗକୁ ବଢୁଛି । ପ୍ରଗତିଶୀଳ ଶିଳ୍ପନୀତି, କୁଶଳୀ ମାନବ ସମ୍ବଳ, ଶିଳ୍ପାନୁକୂଳ ବାତାବରଣ ଏବଂ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଦିଗରେ ସରକାରୀ ତତ୍ପରତା ଏ ଦିଗରେ ସହାୟକ ହୋଇପାରିଛି । ଏହା ସହିତ ବିଭିନ୍ନ ଜିଲ୍ଲାରେ ଗ୍ରାମୀଣ ଶିଳ୍ପର ବିକାଶ ଦିଗରେ ଅଧିକ ପ୍ରଚେଷ୍ଠା ରହିବା ଉପରେ ସେ ମତ ରଖିଛନ୍ତି ।

ସମ୍ବଳ, ଶିକ୍ଷା ଓ ପ୍ରାକୃତିକ ସମ୍ପଦର ବିନିଯୋଗ କରି ଔଦ୍ୟୋଗିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି । ଏ ଦିଗରେ ସେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି । ପ୍ରାରମ୍ଭରେ ଓଡିଶାରେ ଶିଳ୍ପ ପାଇଁ ଉପଲବ୍ଧ ଭିତ୍ତିଭୂମି, କୁଶଳୀ ମାନବ ସମ୍ବଳ ଏବଂ ଔଦ୍ୟୋଗିକ ବିକାଶର ସମ୍ଭାବନା ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.