ETV Bharat / state

ସାପ ଭୟ ଦେଖାଇ ନାବାଳିକାଙ୍କୁ ଶୋଷଣ ! ପୀଡ଼ିତାଙ୍କୁ ଭେଟିଲା ସ୍ନେକ ହେଲ୍ପଲାଇନ, ବନ୍ୟପ୍ରାଣୀ ଆଇନ ଦଫା ଲଗାଇବାକୁ ଦାବି

author img

By ETV Bharat Odisha Team

Published : Nov 7, 2023, 9:07 AM IST

ନୟାଗଡରେ ସାପ ଭୟ ଦେଖାଇ ନାବାଳିକାଙ୍କୁ ଶୋଷଣ ମାମଲା । ଅଭିଯୁକ୍ତ ବିରୋଧରେ ବନ୍ୟପ୍ରାଣୀ ଆଇନ ଦଫା ଲଗାଇବାକୁ ଦାବି । ଅଧିକ ପଢନ୍ତୁ

ସାପ ଭୟ ଦେଖାଇ ନାବାଳିକାଙ୍କୁ ଶୋଷଣ
ସାପ ଭୟ ଦେଖାଇ ନାବାଳିକାଙ୍କୁ ଶୋଷଣ

ଭୁବନେଶ୍ବର: ନିକଟରେ ନୟାଗଡ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନାଗସାପ ଦେଖାଇ ଭୟଭୀତ କରାଇ ଶୋଷଣ କରିବା ମାମଲା ସାମ୍ନାକୁ ଆସିଛି । ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହିତ ସଙ୍ଗୀନ ପୋକ୍ସୋ ଦଫା ଲଗାଯାଇଛି । ବର୍ତ୍ତମାନ ସେ ବିଚାରାଧୀନ କଏଦୀ ଭାବରେ ନୟାଗଡ ଜିଲ୍ଲା କାରାଗାରରେ ଅଛି । କିନ୍ତୁ ନାଗସାପ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ ୧ ସରୀସୃପ ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ଆଇନର କୌଣସି ଦଫା ଲଗାଯାଇ ନାହିଁ । ଏହି ତ୍ରୁଟିକୁ ସାମ୍ନାକୁ ଆଣିଛନ୍ତି ସ୍ନେକ୍‌ ହେଲ୍ପ୍‌ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ମାମଲାରେ ଅଭିଯୁକ୍ତ ବିରୋଧରେ ବନ୍ୟପ୍ରାଣୀ ଆଇନ ଦଫା ଲଗାଇବା ପାଇଁ ସେ ନୟାଗଡ଼ ଏସ୍‌ପି ନିକଟର ଦାବି କରିଛନ୍ତି ।

ପୀଡ଼ିତା ନାବାଳିକାଙ୍କ ଏତଲା ଅନୁସାରେ, ଅଭିଯୁକ୍ତ ଜଗନ୍ନାଥ ସାହୁ ସ୍ନେକ୍‌ ହେଲ୍ପ୍‌ଲାଇନର ଜଣେ ସଦସ୍ୟ ଏବଂ ସେ ତାଙ୍କ ଘରେ ନାଗସାପ ଛାଡି ଦେଉଛି ବୋଲି ଓଡଗାଁ ଥାନାରେ ନାବାଳିକା ଅଭିଯୋଗ କରିଥିଲେ । କିନ୍ତୁ ଜଗନ୍ନାଥ ସାହୁ କେବେ ବି ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଥିଲେ । ତେଣୁ ଏହି ଘଟଣାର ରହସ୍ୟ ଜାଣିବା ପାଇଁ ସ୍ନେକ ହେଲ୍ପଲାଇନର ଏକ ୪ ଜଣିଆ ଟିମ ଓଡଗାଁ ଯାଇ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ଭେଟିଛି । ସ୍ନେକ୍‌ ହେଲ୍ପ୍‌ଲାଇନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ, ନୀହାରିକା ମହାପାତ୍ର ଏବଂ ନୟାଗଡର ଯୁବ ସମାଜସେବୀ କମଳକାନ୍ତ ନାୟକ ଏହି ଟିମ୍‌ରେ ସାମିଲ ଥିଲେ । ପୀଡ଼ିତାଙ୍କ ମାଆ ଓ ଭାଇଙ୍କୁ ଶୁଭେନ୍ଦୁ, ପୂର୍ଣ୍ଣଚନ୍ଦ୍ର ଏବଂ କମଳ ସାନ୍ତ୍ଵନା ଦେଇଛନ୍ତି । ନିହାରିକା ମହାପାତ୍ର ପୀଡ଼ିତାଙ୍କୁ କାଉନସେଲିଂ କରିବା ସହିତ ସାପକୁ ଭୟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଅଭିଯୁକ୍ତ ଜଗନ୍ନାଥ ସ୍ନେକ ହେଲ୍ପଲାଇନ୍‌ର ସଦସ୍ୟ ନଥିବା ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି ପୀଡିତାଙ୍କ ପରିବାର ଲୋକ ।


ଏହାମଧ୍ୟ ପଢନ୍ତୁ: ଅନ୍ଧ ବିଶ୍ବାସର କରୁଣ ପରିଣତି, ସାପ କାମୁଡୁଥିବା ମହିଳାଙ୍କ ବିଷ ଝାଡ଼ିବାକୁ ଯାଇ ଗୁଣିଆ ଗୁରୁତର


ସବୁ ଅପରାଧ ପାଇଁ ଅଲଗା ଅଲଗା ସମୀଚୀନ ଦଫା ଲଗେଇ ଚାର୍ଜସିଟ ଦେବା ଶୁଭେନ୍ଦୁ ମଲ୍ଲିକ ନୟାଗଡ ଏସପିଙ୍କୁ ଇମେଲ ଜରିଆରେ ପତ୍ର ଲେଖିଛନ୍ତି । ଏହାର କପି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ, ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ, ବନ୍ୟ ପ୍ରାଣୀ ପିସିସିଏଫ୍‌ଙ୍କ ସହିତ ନୟାଗଡ଼ ଡିଏଫଓଙ୍କୁ ମଧ୍ୟ ଦିଆଯାଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟା ନିହାରିକା ମହାପାତ୍ର କହିଛନ୍ତି ଯେ, "ମୁଁ ପୀଡ଼ିତାଙ୍କୁ ମାଆ ଓ ଭାଇଙ୍କୁ ଧରି ସ୍ନେକ ହେଲ୍ପ ଲାଇନ ଅଫିସକୁ ଆସିବା ପାଇଁ ନିମନ୍ତ୍ରଣ କରିଛି । ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ସାପ ଧରିବା କୌଶଳ ଆମେ ଶିଖାଇବୁ । ତାପରେ ଦେଖିବା ସିଏ କେତେ ସାପ ଆଣି ଛାଡ଼ିବେ । କିନ୍ତୁ ପୋଲିସ ଏଇ ଘଟଣାକୁ ଗୁରତ୍ଵ ନଦେବା ନିଶ୍ଚୟ ଦୁର୍ଭାଗ୍ୟଜନକ ।"

ସମାଜସେବୀ କମଳକାନ୍ତ ନାୟକ କହିଛନ୍ତି, "ଏହି ଘଟଣା ଏକ ଅତ୍ୟନ୍ତ ସ୍ପର୍ଶକାତର ମାମଲା । କାରଣ ଜଣେ ସାପ ଧରାଳି ସାପକୁ ବ୍ୟବହାର କରି ଅପରାଧ ଘଟେଇଛନ୍ତି । ଯଦି କୌଣସି ଲୋକଙ୍କ ଘରକୁ ଜାଣି ଶୁଣି କୁକୁର ଛାଡ଼ି ଦେଇ ଭୟଭୀତ କରେଇଥାଆନ୍ତା ତାହାଲେ ପୋଲିସ କଣ କିଛି ଦଫା ଲଗେଇ ନଥାନ୍ତା କି ! ତାହେଲେ ସାପ ଛାଡି ଭୟଭୀତ କଲେ କଣ କିଛି ଦଫା ଲାଗିବ ନାହିଁ ?"

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ଅଭିଯୁକ୍ତ ଜଗନ୍ନାଥ ସାହୁ ସାପ ଧରି ଅନେକ ଦିନ ପର୍ଯ୍ୟନ୍ତ ରଖନ୍ତି । ରାଜ୍ୟ ତଥା ଦେଶ ବାହାରର ସାପ ଧରାଳିମାନଙ୍କୁ ଟଙ୍କା ବଦଳରେ ୟୁଟ୍ୟୁବ ଭିଡିଓ କରିବାର ସେ ସୁଯୋଗ ଦେଉଥିବା ଅଭିଯୋଗ ରହିଛି । ଅନେକ ଦିନରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ସାପକୁ ବ୍ୟବହାର କରି ଏଭଳି ଅପରାଧ ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା । ତେଣୁ ଏହି ମାମଲାକୁ ସମସ୍ତେ ଗୁରତ୍ଵ ଦେବା ସହିତ ଆଗକୁ ଯେମିତି ଏଭଳି ମାମଲାର ପୁନରାବୃତ୍ତି ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.