ETV Bharat / state

୬ରୁ ଦଶପଲ୍ଲାକୁ ଗଡିବ ଟ୍ରେନ, ଶୁଭାରମ୍ଭ କରିବେ ଅଶ୍ୱିନୀ ବୈଷ୍ଣବ

author img

By ETV Bharat Odisha Team

Published : Jan 4, 2024, 10:21 PM IST

Nuagaon Dasapalla Railway Section: ଆସନ୍ତା ୬ ତାରିଖରୁ ଦଶପଲ୍ଲାକୁ ଗଡ଼ିବ ଟ୍ରେନ । ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

Nuagaon Dasapalla Railway Section
Nuagaon Dasapalla Railway Section

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦଶପଲ୍ଲାକୁ ଗଡିବ ଟ୍ରେନ୍ । ବର୍ତ୍ତମାନ ସମୟରେ ଷ୍ଟେସନ ଏବଂ ଟ୍ରାକ୍ କାମ ଶେଷ ହୋଇଛି । ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟର ସମୀକ୍ଷା ହୋଇଛି । ତେବେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନକୁ ଆସନ୍ତା ୬ ତାରିଖରେ ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵନୀ ବୈଷ୍ଣବ । ଏହାସହିତ ୪ଟି ଟ୍ରେନକୁ ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି ।

ଆସନ୍ତା ୬ ତାରିଖରେ ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ ଏବଂ ନବ ନିର୍ମିତ ନୂଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ସହିତ ଚାରିଟି ଟ୍ରେନର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । 18423 /18424 ଭୁବନେଶ୍ବର-ନୟାଗଡ଼ ଟାଉନ-ଭୁବନେଶ୍ବର ଏକ୍ସପ୍ରେସ, 08429/ 08430 ଭୁବନେଶ୍ବର- ନୂଆଗାଁ ରୋଡ- ଭୁବନେଶ୍ବର ପାସେଞ୍ଜର ସ୍ପେଶାଲ । 08423/ 08424 ପୁରୀ- ନୂଆଗାଁ ରୋଡ- ପୁରୀ ପାସେଞ୍ଜର ସ୍ପେଶାଲ ଏବଂ 08555/ 08556 ଭଦ୍ରକ- ନୟାଗଡ଼ ଟାଉନ- ଭଦ୍ରକ ମେମୁ ଟ୍ରେନ ଗୁଡିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ।

ଏହା ବି ପଢନ୍ତୁ- ଯମ ଯନ୍ତ୍ରଣା ଦେଉଛି ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା, ବଢୁଛି ଜନଅସନ୍ତୋଷ

ଏହା ସହ କେନ୍ଦ୍ର ରେଳମନ୍ତ୍ରୀ କଣ୍ଟିଲୋଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ଜାନୁଆରୀ ୭ ତାରିଖ ଦିନ ଆଠଗଡ଼, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ, ଉଦଘାଟନ ପୂର୍ବରୁ ଖୋର୍ଦ୍ଧା ରୋଡ-ବଲଙ୍ଗୀର ରେଳ ଲାଇନ ପ୍ରକଳ୍ପର ଖୋର୍ଦ୍ଧା ରୋଡ- ଦଶପଲ୍ଲା ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି ପୂର୍ବତଟ ରେଳ ମହାପ୍ରବନ୍ଧକ । ଚାଲୁ ରହିଥିବା ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ସହିତ ନିରାପତ୍ତା ଏବଂ ଯାତ୍ରୀ ସୁବିଧାଗୁଡିକର ସମୀକ୍ଷା ମଧ୍ୟ କରିଛନ୍ତି ।

ଏହା ବି ପଢନ୍ତୁ- କେନ୍ଦ୍ରାପଡ଼ାକୁ କେବେ ଗଡ଼ିବ ଯାତ୍ରୀବାହୀ ଟ୍ରେନ ? ଆଶା ଓ ଆଶଙ୍କାରେ ଜିଲ୍ଲାବାସୀ

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୩୦୧ କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ ୧୫୨.୮ କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି । ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୪୭ କି.ମି ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ସରିଛି । ୨୦୨୪ରେ ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ୭୩ କିଲୋମିଟର ରେଳ ଲାଇନ ମଧ୍ୟ ସଂପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ଧାର୍ଯ୍ୟ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.