ETV Bharat / state

ଆଜିଠୁ 3 ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅପେକ୍ଷାରେ ଜନ୍ମମାଟି

author img

By ETV Bharat Odisha Team

Published : Nov 20, 2023, 7:48 AM IST

ଆଜିଠୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ବିତୀୟ ଥର ପାଇଁ ଜନ୍ମମାଟି ଗସ୍ତ କରିବେ ଦ୍ରୌପଦୀ ମୁର୍ମୁ । ଅଧିକ ପଢ଼ନ୍ତୁ

president droupadi murmu visit to odisha
president droupadi murmu visit to odisha

ଭୁବନେଶ୍ବର: ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ହେବା ପରେ ଦ୍ବିତୀୟ ଥର ପାଇଁ ଜନ୍ମମାଟି ମୟୂରଭଞ୍ଜ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ବ୍ୟବସ୍ଥା ସରିଛି । କେବଳ ମହାମହିମଙ୍କ ସ୍ବାଗତକୁ ଅପେକ୍ଷା ରହିଛି । ଗତ ମଇ ମାସରେ ମୟୂରଭଞ୍ଜ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3 ଦିନିଆ ଜନ୍ମମାଟି ଗସ୍ତରେ ଆସିଥିଲେ । ଦ୍ବିତୀୟ ଥର ପାଇଁ ଆସୁଥିବାରୁ ରାଇରଙ୍ଗପୁରବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଅପେକ୍ଷାରେ ରହିଛନ୍ତି ରାଇରଙ୍ଗପୁରବାସୀ ।

ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ସଦର ମହକୁମା ବାରିପଦାଠାରେ ପହଞ୍ଚିବେ ମହାମହିମ । ଏହା ପରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର 36ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦଘାଟନ କରିବେ । ପରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି । ସୂଚନା ମୁତାବକ ପୂର୍ବାହ୍ନ 11ଟା 25 ମିନିଟରେ ବାରିପଦାର ସହିଦସ୍ମୃତି ଭବନରେ ପହଞ୍ଚି ସାନ୍ତାଳୀ ଲେଖକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ଅପରାହ୍ନ 2ଟା 30 ମିନିଟରେ କୁଳିଅଣା ପାଣିଜିଆରେ ପହଞ୍ଚିବେ । ସେଠାରେ ନବନର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପଣ କରିବେ ।

21 ତାରିଖ କାର୍ଯ୍ୟକ୍ରମ: ପ୍ରଥମ ଦିନର କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଦିନ ଅର୍ଥାତ ଆସନ୍ତାକାଲି(ମଙ୍ଗଳବାର) ରାଷ୍ଟ୍ରପତି ତାଙ୍କ ଶାଶୁଘର ଗାଁ ପାହାଡପୁରରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବେ । ଏହା ସହିତ ବାଦାମପାହାଡ଼ ରେଳ ଷ୍ଟେସନରେ 3ଟି ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ପରେ ଟ୍ରେନରେ ରାଇରଙ୍ଗପୁର ଯାତ୍ରା କରିବେ । ଏହାପରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ବିଦ୍ୟାଳୟର 15ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ସମ୍ବଲପୁର ଗସ୍ତ କରିବେ । 22 ତାରିଖରେ ଶାସନ ପଧାନପାଲିଠାରେ ବ୍ରହ୍ମାକୁମୀରା ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମିହମ ।

ଏହା ବି ପଢନ୍ତୁ...ଆସୁଛନ୍ତି ମହାମହିମ, ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି

ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର, ପାହାଡପୁର ଓ ବାଦାମପାହାଡ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ 50 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ହୋଇଛନ୍ତି । ରାଇରଙ୍ଗପୁର କଚେରୀ ପଡିଆ ଠାରେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.