ETV Bharat / state

କୁବେର ଓଏଏସଙ୍କୁ ନେଇ ଜୋର ଧରିଲା ରାଜନୀତି

author img

By

Published : Jun 24, 2023, 10:38 PM IST

ରେଡ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ନଗଦ ଜବତ କରାଯାଇଛି । ପ୍ରଶାନ୍ତଙ୍କର ଭୁବନେଶ୍ବରର କାନନ ବିହାର ଅଂଚଳରେ ବହୁତଳ କୋଠା, କଟକ ଓ ଭୁବନେଶ୍ବରରେ ୪ଟି ପ୍ଲଟ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ ରହିଛି । ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୨ଟି ଚାରିଚକିଆ ଯାନ ଓ ତାଙ୍କ ଠାରୁ ୨୧.୩୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଛି । ଅଧିକ ପଢନ୍ତୁ

କୁବେର ଓଏଏସଙ୍କୁ ନେଇ ଜୋର ଧରିଲା ରାଜନୀତି
କୁବେର ଓଏଏସଙ୍କୁ ନେଇ ଜୋର ଧରିଲା ରାଜନୀତି

ଭୁବନେଶ୍ବର: ଗିରଫ ହୋଇଛନ୍ତି କୁବେର ଓଏଏସ ଅଧିକାରୀ ତଥା ନବରଙ୍ଗପୁରର ଅତିରିକ୍ତ ଉପ - ଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଆୟ ଠାରୁ ପ୍ରଶାନ୍ତ ୫୦୦%ରୁ ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ରେଡ ବେଳେ ତାଙ୍କ ଘରୁ କେବଳ ୩ କୋଟିରୁ ଅଧିକ ନଗଦ ଜବତ କରାଯାଇଛି । ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ବିତୀୟ ସର୍ବାଧିକ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଦୁର୍ନୀତି ପ୍ରସଙ୍ଗରେ ସରକାରୀ ଦଳକୁ ଘେରିଛନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ନେତ୍ରୀ ।

ରେଡ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ନଗଦ ଜବତ କରାଯାଇଛି । ପ୍ରଶାନ୍ତଙ୍କର ଭୁବନେଶ୍ବରର କାନନ ବିହାର ଅଂଚଳରେ ବହୁତଳ କୋଠା, କଟକ ଓ ଭୁବନେଶ୍ବରରେ ୪ଟି ପ୍ଲଟ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ ରହିଛି । ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୨ଟି ଚାରିଚକିଆ ଯାନ ଓ ତାଙ୍କ ଠାରୁ ୨୧.୩୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଛି । ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୬୨ଲକ୍ଷ ଟଙ୍କା ଡିପୋଜିଟ ହୋଇଛି । ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା । ତେବେ ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ । ଅଢେଇ ବର୍ଷ ମଧ୍ୟରେ ସେ ଏତେ ଟଙ୍କା ଠୁଳେଇ ପାରିବେନାହିଁ । ଏହି ଟଙ୍କା ଶାସକ ଦଳର କୌଣସି ନେତାଙ୍କର ବୋଲି ଅଭିଯୋଗ ହୋଇଛି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଏ ହେଉଛି ନମ୍ବର ୧ ଓଡିଶା । ଦୁର୍ନୀତି ମୁକ୍ତ ଓଡିଶା । ଯଦି ଦୁର୍ନୀତି ମୁକ୍ତ ଓଡିଶା ତେବେ ଅଢେଇ ବର୍ଷ ଚାକିରୀରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ପାଖରୁ ନଗଦ 3 କୋଟି ବାହାରୁଛି କେମିତି । ତାଙ୍କୁ ଦାଇତ୍ବରେ ରାଜ୍ୟ ସରକାର ରଖିଛନ୍ତି । କିମ୍ବା ଜିଲ୍ଲାପାଳ ରଖିଛନ୍ତି । ଏହି ଟଙ୍କା ସେ ବାଲି ଓ ପଥର ମାଫିଆଙ୍କ ଠାରୁ ଆଦାୟ କରିଥିବେ । ନବରଙ୍ଗପୁରରୁ ବାଲି ଛତିଶଗଡ଼ ମାଫିଆ ନେଉଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ଅଧିକାରୀଙ୍କ ଭିତରେ ଉପ ଜିଲ୍ଲାପାଳ ଜଣେ ସଦସ୍ୟ । ଲୁଟି ଖାଇଛନ୍ତି । ଠକି ଖାଇଛନ୍ତି । ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ । ଅବିଭକ୍ତ କୋରାପୁଟ ଜିଲ୍ଲାରେ କେଉଁ ରାଜନୈତିକ ଲୋକ ପାଖରେ ଟଙ୍କା ଅଛି ଯେ, ସେ ତାଙ୍କ ପାଖରେ ଟଙ୍କା ରଖିବେ । ଯାହା ପାଖରେ ଟଙ୍କା ଅଛି, ସେ ନିର୍ବାଚନରେ ହାରି ଯାଉଛନ୍ତି ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, କୌଣସି ସ୍ଥାନରେ ରାଜନୈତିକ ବ୍ୟକ୍ତି କାହାକୁ ଘଣ୍ଟ ଘୋଡାଇ ନାହାନ୍ତି । ରାଜନୈତିକ ଛତ୍ରଛାୟା ତଳେ କେହି ନାହାନ୍ତି । ଯଦି ରାଜନୈତିକ ଛତ୍ରଛାୟା ତଳେ ଥିଲେ, ତେବେ ଭିଜିଲାନ୍ସ କେମିତି ଧରିଲା । ଭିଜିଲାନ୍ସ ରାଜ୍ୟ ସରକାରଙ୍କ ବିଭାଗ । ଭିଜିଲାନ୍ସ ଧରିଛି, ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାହା ଦଣ୍ଡବିଧାନ କରିବା କଥା କରାଯିବ । କୌଣସି ଜାଗାରେ ଭାଗବାଣ୍ଟ ହୋଇନାହିଁ । ସେ କେଉଁଠି ଭାଗବାଣ୍ଟ ନେଇଥିବେ ପଚରା ଯାଉ । ତାଙ୍କର ଯଦି ଅଭ୍ୟାସ ଥିବ, ସେ ନେଇଥିବେ । ରାଜ୍ୟ ସରକାର କେଉଁଠି ଭାଗବାଣ୍ଟ ନେଇ ନାହାନ୍ତି । ବିଜେପି ନେତାଙ୍କ ଟଙ୍କା ଥାଇପାରେ । ବିଜେଡି ନେତାଙ୍କ ଟଙ୍କା ତାଙ୍କ ପାଖରେ ନଥିଲା । ଯାଞ୍ଚ କଲେ ବିଜେପି ନେତାଙ୍କର ଟଙ୍କା ବାହାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.