ନବ ଦାସ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ଚାର୍ଜସିଟ: ସବୁ ମିଛ ଲେଖା ହୋଇଛି କହିଲେ ବିରୋଧୀ

author img

By

Published : May 26, 2023, 8:11 PM IST

କ୍ରାଇମବ୍ରାଞ୍ଚ ଚାର୍ଜସିଟ ନେଇ ରାଜନୈତିକ ବୟାନବାଜି ଆରମ୍ଭ

ବହୁଚର୍ଚ୍ଚିତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି । ବ୍ୟକ୍ତିଗତ ଆକ୍ରୋଶ ରଖି ଅଭିଯୁକ୍ତ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

କ୍ରାଇମବ୍ରାଞ୍ଚ ଚାର୍ଜସିଟ ନେଇ ରାଜନୈତିକ ବୟାନବାଜି ଆରମ୍ଭ

ଭୁବନେଶ୍ବର: ବହୁଚର୍ଚ୍ଚିତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ, ସାଇଣ୍ଟିଫିକ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ଏନେଇ ବିଜେଡି ତଥା ସରକାରଙ୍କୁ ଘେରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ ନାହିଁ । ନବ ଦାସ ଏବଂ ତାଙ୍କ ଲୋକମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ ଲେଖିନାହାନ୍ତି କ୍ରାଇମବ୍ରାଞ୍ଚ । ଚାର୍ଜସିଟରେ ମିଛକଥା ସବୁ ଲେଖିଛନ୍ତି । କଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ । ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି । ଓଡ଼ିଶାବାସୀଙ୍କ ମନରେ ହତ୍ୟା ପଛରେ ଥିବା ସଂପୃକ୍ତି ପ୍ରଶ୍ନ ହୋଇ ରହିଗଲା । ଘଟଣାକୁ ଘଣ୍ଟ ଘୋଡାଇବାକୁ କ୍ରାଇମବ୍ରାଞ୍ଚକୁ ଯାଞ୍ଚ ଦାୟିତ୍ଵ ଦିଆଯାଇଥିଲା । ଏଥିରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ପ୍ରମାଣ ଅଭାବରୁ ଗୋପାଳ ଦାସଙ୍କୁ ଖସାଇବାକୁ ସଫଳ ହେବେ ।"

ସେ ଆହୁରି କହିଛନ୍ତି, "ନବ ଦାସଙ୍କ ହତ୍ୟା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି । ସରକାର ଏହାର ଖୁଲାସା କରନ୍ତୁ । ଗୋପାଳକୁ କଣ ପାଇଁ ଭୟ ଥିଲା ତାହାର ଉତ୍ତର ମଧ୍ୟ ସରକାର ଲୋକଙ୍କ ଆଗରେ ରଖନ୍ତୁ ।" ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ନବ ଦାସ ଯେଉଁ ଗୁଳିରେ ମରିଛନ୍ତି, ସେ ଗୁଳି ନାହିଁ । ହତ୍ୟା ପଛରେ ବଡ଼ ଚକ୍ରାନ୍ତ ରହିଛି । ସଫା କରିଦେଲେ ଗଲା । ଲୋକଙ୍କ ମାଇଣ୍ଡ ଡାଇର୍ଭଟ କରିବା ପାଇଁ ବିଭିନ୍ନ ବାହାନା ସରକାର କରୁଥିଲେ । ରାଜ୍ୟରେ ଅପାରଗ ସରକାର ଚାଲିଛି । ଏ ସରାକାରକୁ ବିଶ୍ବାସ ନାହିଁ ।"

ସେପଟେ ଚାର୍ଜସିଟ ଦାଖଲ ପରେ ବିରୋଧୀ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "କ୍ରାଇମବ୍ରାଞ୍ଚ ଯାହା କରିବ ନ୍ୟାୟ ସମସ୍ତଙ୍କୁ ମିଳିବ । ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ନିହାତି ମିଳିବ । ବିରୋଧୀ ସବୁବେଳେ ସମାଲୋଚନା କରିବେ । ସରକାର ଯେତେ ଭଲ କାମ କଲେ ବି ବିରୋଧୀ କହିବେ । ସରକାର ତାଙ୍କ କାମ କରିବେ । ବିରୋଧୀ ତାଙ୍କ କାମ କରନ୍ତୁ । ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ । ସାଧାରଣ ଲୋକଙ୍କ ପାଇଁ ଯାହା କରିବା କଥା ସରକାର କରିବେ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି, ବିଗିଡି ନାହିଁ । ଉତ୍ତରପ୍ରଦେଶ, ଗୁଜୁରାଟ ଠାରୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଭଲ ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.