ETV Bharat / state

ବଜ୍ରପାତ ମୃତ୍ୟୁ ରୋକିବାକୁ ଗାଁରେ ଲାଗିବ ତାଳ ଗଛ, ପ୍ରସ୍ତାବ ଦେଲା OUAT

author img

By ETV Bharat Odisha Team

Published : Jan 13, 2024, 8:09 AM IST

Proposal to prevent lightning strikes: ବଜ୍ରପାତ ରୋକିବା ପାଇଁ ଓୟୁଏଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ଅଧିକ ପଢ଼ନ୍ତୁ

ବଜ୍ରପାତ ଜନିତ ଅଘଟଣ ରୋକିବା ପ୍ରସ୍ତାବ
ବଜ୍ରପାତ ଜନିତ ଅଘଟଣ ରୋକିବା ପ୍ରସ୍ତାବ

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ଆଗରେ ସବୁବେଳେ ହାର ମାନିଛି ମଣିଷ । କାଳବୈଶାଖୀ ହେଉ ଅବା ଲଘୁଚାପ ଜନିତ ବର୍ଷା ସେ ସମୟରେ ବଜ୍ରପାତ କାରଣରୁ କ୍ଷୟକ୍ଷତି ଘଟଣା ଅତି ସାଧାରଣ । ବର୍ତ୍ତମାନ ସମୟରେ ବଜ୍ରପାତ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଓୟୁଏଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଅତ୍ୟଧିକ ବଜ୍ରପାତ ଜନିତ ଅଘଟଣ ଘଟୁଥିବା ଜିଲ୍ଲା ବା ଅଞ୍ଚଳରେ ପଦକ୍ଷେପ ନିଆଯିବ ।

ଯେଉଁ ଅଞ୍ଚଳରେ ଅତ୍ୟାଧିକ ବଜ୍ରପାତ ଜନିତ ଅଘଟଣ ଘଟୁଛି ସେହି ଅଞ୍ଚଳକୁ ଚିହ୍ନଟ କରି ସେଠାରେ ତାଳ ଗଛ ଏବଂ ନଡ଼ିଆ ଗଛ ରୋପଣ କରାଯିବ । ଯାହାଫଳରେ ବଜ୍ରପାତ ତାଳ କିମ୍ବା ନଡ଼ିଆ ଗଛକୁ ପଡ଼ିବ ଏବଂ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ । ଏନେଇ ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ବିଭାଗର ଡିନ ପ୍ରସନ୍ନଜିତ ମିଶ୍ର କହିଛନ୍ତି ଯେ, ଯେଉଁଠାରେ ଅଧିକ ତାଳ ଗଛ ଓ ନଡ଼ିଆ ଗଛ ରହିଛି ସେଠାରେ ବଜ୍ରପାତ କମ ହୋଇଥାଏ । ଯଦି ବଜ୍ରପାତ ହୁଏ ତେବେ ସେହି ଗଛକୁ କ୍ଷତି ହେବ । ଏହାଦ୍ବାରା ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ କିମ୍ବା ବଜ୍ରପାତ ଜନିତ ମୃତ୍ୟୁ ଏତେ ମାତ୍ରାରେ ହେବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା; ୧୦ ଜିଲ୍ଲାର ୨୮ ଶିଳ୍ପାନୁଷ୍ଠାନରେ ମକ୍ ଡ୍ରିଲ୍

ଏହାକୁ ନେଇ ଏଗ୍ରିକଲଚର ବିଭାଗ ନେଇଥିବା ପଦକ୍ଷେପ ଅନୁଯାୟୀ, ପରୀକ୍ଷାମୂଳକ ଭାବରେ ରାଜ୍ୟରେ ଥିବା କେବିକେ ଜିଲ୍ଲା ସମେତ 6ଟି ଜିଲ୍ଲା ଯଥା କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଗଜପତି ଓ ବାଲେଶ୍ଵର ଆଦିରେ ଏକ ପ୍ରୋଜେକ୍ଟ ମାଧ୍ୟମରେ ଗଛ ଲଗାଯିବ । ଏହାକୁ ନେଇ ରିଲିଫ କମିଶନର ଏକ ପ୍ରୋଜେକ୍ଟ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ 5ରୁ 10ଟି ଗାଁରେ ତାଳ ଗଛ ଏବଂ ନଡ଼ିଆ ଗଛ ଲଗାଯିବ । ସରକାରଙ୍କ ପକ୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଏହି ଗଛଗୁଡ଼ିକର ଯତ୍ନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେବେ ସରକାରଙ୍କ ପକ୍ଷରୁ ଅନୁମୋଦନ ହେଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ଓୟୁଟି କର୍ତ୍ତୁପକ୍ଷ ।

ସୂଚନା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ସନ୍ତୁଳନ ହରାଉଛି । ଅଦିନିଆ ବର୍ଷାରୁ ଆରମ୍ଭ କରି ମାରାଥନ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଯାଉଛି ମୂଲ୍ୟବାନ ଜୀବନ । ଗତ ୬ ବର୍ଷ ଭିତରେ ବଜ୍ରପାତ ଯୋଗୁଁ ରାଜ୍ୟରେ ୧୭୨୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୦୧୭-୧୮ରେ ୪୬୫, ୨୦୧୮- ୧୯ରେ ୩୩୯, ୨୦୧୯- ୨୦ରେ ୩୫୧, ୨୦୨୦- ୨୧ରେ ୨୯୧, ୨୦୨୧- ୨୨ରେ ୨୮୧ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.