ETV Bharat / state

ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା, ୭୮୦୦ କୋଟି ନିବେଶ ପ୍ରସ୍ତାବ

author img

By

Published : Dec 4, 2022, 12:29 PM IST

ମେକ୍ ଇନ୍ ଓଡ଼ିଶାରେ ଓଡିଶା ଟୁରିଜିମ ପଲିସି ଉଦଘାଟନ । ରାଜ୍ୟ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ କ୍ଲିୟର ଟ୍ରିପ ଏବଂ ବୁଷ୍ଟାଣ୍ଡର ନାମକ କମ୍ପାନୀ ସହ ଏମ୍‌ଓୟୁ ।

ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା
ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା

ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ଶନିବାର ମେକ ଇନ ଓଡିଶାରେ ଏକ ପ୍ଲାନେରି ସେସନ ଅନୁଷ୍ଠିତ ହୋଇଯାଇଥିଲା । ଯେଉଁଥିରେ ଓଡିଶା ଟୁରିଜିମ ପଲିସି ଉଦଘାଟନ ହୋଇଥିଲା । ପର୍ଯ୍ୟଟନ କ୍ଷେତ୍ର ରୋଡମ୍ୟାପ୍‌ ୨୦୩୦ ଏବଂ ଇକୋ ଟୁରିଜିମ୍ ରୋଡ ମ୍ୟାପ୍ - ୩୦କୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉନ୍ମୋଚନ କରିଥିଲେ । ଏହି ସେସନରେ ଏକ ଏମ୍‌ଓୟୁ ମଧ୍ୟ ସ୍ବାକ୍ଷର ହୋଇଥିଲା ।

ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା

ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ଅନେକ କାର୍ଯ୍ୟପନ୍ଥା ଆପଣାଉଛନ୍ତି । ଏଥିପାଇଁ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପ୍ରକୃତି, ବନ୍ୟଜନ୍ତୁ ଏବଂ ମନ୍ଦିର ଗୁଡିକର ବିକାଶ କରାଯାଉଛି । ଯାହାର ଇତିହାସ ବେଶ ପୁରୁଣା । ପର୍ଯ୍ୟଟନରେ ବିଶେଷ ଅଗ୍ରଗତି କରିବାର ସମ୍ଭାବନା ଥିବାରୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ଦିଗରେ ଏହି ନୀତି ଆସିଛି । ପର୍ଯ୍ୟଟନ ନୀତିକୁ ରାଜ୍ୟ କ୍ୟାବିନେଟ ନିକଟରେ ମଞ୍ଜୁରୀ ଦେଇଛି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରିବାକୁ ନିବେଶକମାନେ ବେଶ୍ ଆଗ୍ରହ ଦେଖାଇଛନ୍ତି । ରାଜ୍ୟ ସରକାର ଚଳିତ ସଂସ୍କରଣରେ ଏ କ୍ଷେତ୍ରରେ ୮୫ ଜଣ ନିବେଶକଙ୍କଠାରୁ ମୋଟ ୭, ୮୦୦ କୋଟି ଟଙ୍କାର ନିବେଶ ଆଗ୍ରହ ପ୍ରସ୍ତାବ ପାଇଛନ୍ତି । ଏହା ଦ୍ବାରା ପର୍ଯ୍ୟଟନ କ୍ଷେତ୍ର ଅଗ୍ରଗତି କରିବ ବୋଲି ଆଶା କରାଯାଉଛି ।

ଏନେଇ ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ,'' ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପର୍ଯ୍ୟଟନ କ୍ଷେତ୍ର ପ୍ରକଳ୍ପ ଲାଗି ଜମି ଯୋଗାଣ କ୍ଷେତ୍ରରେ ଆକର୍ଷଣୀୟ ସୁବିଧା ସୁଯୋଗ ପ୍ରଦାନ କରୁଛି । ପର୍ଯ୍ୟଟନ ନୀତିରେ ଯୋଗାଣ ହେଉଥିବା ସୁବିଧା ଯୋଗୁ ରାଜ୍ୟ ୱେଲନେସ ହେଲ୍‌ଥ, ଇକୋଟୁରିଜିମ ଭଳି କ୍ଷେତ୍ରରେ ଏକ ପ୍ରମୁଖ ଡେଷ୍ଟିନେସନ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି'' ।

''ସରକାର ରାଜ୍ୟ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ କ୍ଲିୟର ଟ୍ରିପ ଏବଂ ବୁଷ୍ଟାଣ୍ଡର ନାମକ କମ୍ପାନୀ ସହ ଏମ୍‌ଓୟୁ କରିଛନ୍ତି । ଏମାନେ ଓଟିଡିସି ସହ ରାଜ୍ୟର ପ୍ରସାର ପାଇଁ ସରକାରଙ୍କ ସହ ମିଳିତ ହୋଇ କାମ କରିବେ । ସେହିଭଳି ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସୁବିଧା ପାଇଁ ରାଜ୍ୟ ସରକାର ଆଇଆରସିଟିସି ସହ ମଧ୍ୟ ଚୁକ୍ତି କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।''

''ନୂଆ ପର୍ଯ୍ୟଟନ ନୀତିରେ ନିବେଶକଙ୍କୁ ରାଜ୍ୟରେ ପୁଞ୍ଜି ନିବେଶ କରିବା କ୍ଷେତ୍ରରେ ପୂର୍ବରୁ ଥିବା ୨୦ ପ୍ରତିଶତ ପ୍ରୋତ୍ସାହନକୁ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ସେହିଭଳି ମେଡିକାଲ ୱେଲନେସ ଏବଂ ହେଲଥ ସେକ୍ଟର ପର୍ଯ୍ୟଟନକୁ ବିଶେଷ କରି ପ୍ରୋତ୍ସାହନ ଦିଆଯାଉଛି । ଏ କ୍ଷେତ୍ରରେ ରାଜ୍ୟ ଏକ ହବ୍ ହେବାର ସମ୍ଭାବନା ରହିଛି । ଏଥି ସହ କ୍ୟାମ୍ପିଙ୍ଗ, ୟଟ, କ୍ରୁଜ, ହାଉସବୋଟ, କାରାଭାନ, ହୋମଷ୍ଟେ, ନେଚର କ୍ୟାମ୍ପ ଭଳି ପର୍ଯ୍ୟଟନର ବିଭିନ୍ନ ଦିଗରେ ଘରୋଇ ପୁଞ୍ଜି ନିବେଶ ରାଜ୍ୟକୁ ଅଧିକ ପରିମାଣରେ କିପରି ଆସିପାରିବ ସେ ଦିଗରେ ଏବେ ରାଜ୍ୟ ସରକାର ଫୋକସ କରୁଥିବା କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.