ETV Bharat / state

ସ୍କୁଲରେ ହେବ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ; ଖର୍ଚ୍ଚ ହେବ ୬ କୋଟି

author img

By ETV Bharat Odisha Team

Published : Jan 12, 2024, 7:43 AM IST

Language Literature Festival: ସ୍କୁଲରେ ଆୟୋଜିତ ହେବ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ । ରାଜ୍ୟର ୫,୩୪୫ ସ୍କୁଲରେ ଏହି ସାହିତ୍ୟ ଉତ୍ସବ ପାଇଁ ୬ କୋଟି ୬୩ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ କରାଯିବ । ଅଧିକ ପଢନ୍ତୁ

Language Literature festival in schools
ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଭୁବନେଶ୍ବର: ଛାତ୍ରଛାତ୍ରୀ ଓଡି଼ଆ ଭାଷାରେ କିପରି ନିଜକୁ ଶ୍ରେଷ୍ଠ କରିଗଢି ତୋଳିବେ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଉଛି ଅଭିନବ ପଦକ୍ଷେପ । ନିଜ ଅଞ୍ଚଳର ଭାଷା ଏବଂ ମନର ଭାବନାକୁ ଛାତ୍ରଛାତ୍ରୀ ପୁସ୍ତକ ଆକାରରେ ପ୍ରକାଶ କରିବେ । ଏନେଇ ସ୍କୁଲରେ ଆୟୋଜିତ ହେବ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ । ଉଚ୍ଚ ବିଦ୍ୟାଳୟ ସ୍ତରରେ ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଏବଂ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଫେବୃଆରୀ ୩ ତାରିଖରୁ ୫ ତାରିଖ ମଧ୍ୟରେ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୪ଟି ଜିଲ୍ଲାରେ ଥିବା ୫୩୪୫ ସ୍କୁଲରେ ଏହି ସାହିତ୍ୟ ଉତ୍ସବ ନିମନ୍ତେ ୬ କୋଟି ୬୩ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସହିତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମ୍ବଲପୁରୀ, କୁଇ, ସାନ୍ତାଳୀ ଦେଶୀଆ ଭଳି ବିଭିନ୍ନ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀ 'ମୋ କଥା ମୋ କାହାଣୀ' ନାମରେ ଏକ ପୁସ୍ତକ ରଚନା କରିବେ ଏବଂ ବିଦ୍ୟାଳୟ ସ୍ତରୀୟ ପୁସ୍ତକ ମେଳାରେ ଏହାର ପ୍ରଦର୍ଶନ କରାଯିବ । ରାଜ୍ୟର ଉଚ୍ଚ ବିଦ୍ୟାଳୟ ଗୁଡି଼କରେ ଆକାଂକ୍ଷୀ ପାଠ୍ୟକ୍ରମ ଆଧୀନରେ ପ୍ରଚଳିତ କ୍ଲବ ସିଷ୍ଟମ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।

ଛାତ୍ରଛାତ୍ରୀ ଓଡି଼ଆ ଭାଷାର କିମ୍ବଦନ୍ତୀ ଲେଖକମାନଙ୍କ ଦ୍ବାରା ଲିଖିତ ପୁସ୍ତକ, ଗଦ୍ୟ, କାବ୍ୟ, କବିତା ଏବଂ ଉପନ୍ୟାସକୁ ପଠନ କରିପାରିବେ । ସେହିପରି ବିଦ୍ୟାଳୟ ରୂପାନ୍ତରଣ ସହିତ ବର୍ଷର ଚର୍ଚ୍ଚିତ ଘଟଣାବଳୀକୁ ନେଇ କୌଶଳୀ କ୍ଲବର ଶିକ୍ଷାର୍ଥୀମାନେ ସ୍କ୍ରାଚ୍ ପ୍ରକଳ୍ପ ପ୍ରଦର୍ଶନ କରିବେ । ଏହା ବ୍ୟତୀତ ସ୍ଥାନୀୟ ଲୋକକଥା, ଲୋକଗୀତ, ଲୋକନୃତ୍ୟକୁ ନେଇ ଆନିମେସନ୍ କାହାଣୀ ପ୍ରଦର୍ଶନ କରାଯିବ। ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ସ୍ଥାନୀୟ ସଂସ୍କୃତି, ଇତିହାସ, ଜଳବାୟୁ ପରିବର୍ତ୍ତନ, ପରିବେଶ, ବର୍ଜ୍ୟବସ୍ତୁର ପରିଚାଳନା ଓ ପୁନଃ ବ୍ୟବହାର ଉପରେ ପ୍ରକଳ୍ପ କରିବେ ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ; ଟ୍ୟାଗଲାଇନ ‘ଭାଷା ହିଁ ଭବିଷ୍ୟତ’

ଫେବୃଆରୀ ୩ ତାରିଖରୁ ୫ ତାରିଖ ଯାଏ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ' ଅନୁଷ୍ଠିତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଫେବୃଆରୀ ୩ ତାରିଖ ଦିନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ଯୋଜନା କରାଯାଇଛି । ଫେବୃଆରୀ ୪ ତାରିଖ ଓ ୫ ତାରିଖରେ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି । ଅପରାହ୍ଣରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବର୍ଷର ଶ୍ରେଷ୍ଠ ହାଉସ ଏବଂ ଅନ୍ୟାନ୍ୟ ପୁରସ୍କାର ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, “ନୂଆ-ଓ” ଯୋଜନା ମାଧ୍ୟମରେ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରାଥମିକତା ଦିଆଯାଉଛି । ଚଳିତ ଜାନୁୟାରୀ ମାସ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରତିଯୋଗିତା ଆୟୋଜନ କରାଯିବ । ରାଜ୍ୟର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ପ୍ରଣୟନ କରୁଥିବା 'ନୂଆ-ଓ' କାର୍ଯ୍ୟକ୍ରମ ଏବେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନର ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି । 'ନୂଆ-ଓ' କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଯୁବପିଢ଼ି ନିଜର ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ ମୂଲ୍ୟବୋଧ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ମାର୍ଗରେ ନିୟୋଜିତ ହେଉଛନ୍ତି । ରାଜ୍ୟର ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ପ୍ରଦାନ କରି ଦାୟିତ୍ବବାନ ଏବଂ ପାରଦର୍ଶୀ ହେବା ପାଇଁ ଉତ୍ସାହିତ କରିବା ସହିତ ସେମାନଙ୍କୁ ନିଜ ଭବିଷ୍ୟତ ଗଢ଼ିତୋଳିବା ପାଇଁ ସୁଯୋଗ ଦେବା ଏହି ଯୋଜନାର ଲକ୍ଷ୍ୟ । ଏଥିପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ପାଇଁ ଅର୍ଥ ଆବଣ୍ଟନ କରାଯାଇଛି ।

ସୂଚନା ମୁତାବକ, ୧୦୦ରୁ ୧୯୯ ଛାତ୍ରଛାତ୍ରୀ ସଂଖ୍ୟା ବିଶିଷ୍ଟ ଅନୁଷ୍ଠାନକୁ ୫୦,୦୦୦ ଟଙ୍କା, ୨୦୦ରୁ ୪୯୯ ଛାତ୍ରଛାତ୍ରୀ ସଂଖ୍ୟା ବିଶିଷ୍ଟ ଅନୁଷ୍ଠାନକୁ ୭୫,୦୦୦ ଟଙ୍କା, ୫୦୦ରୁ ୯୯୯ ଛାତ୍ରଛାତ୍ରୀ ସଂଖ୍ୟା ବିଶିଷ୍ଟ ଅନୁଷ୍ଠାନକୁ ୧,୦୦,୦୦୦ ଟଙ୍କା ଦିଆଯାଇଛି । ସେହିପରି ୧୦୦୦ରୁ ୧୯୯୯ ଛାତ୍ରଛାତ୍ରୀ ସଂଖ୍ୟା ବିଶିଷ୍ଟ ଅନୁଷ୍ଠାନକୁ ୨,୦୦,୦୦୦ ଟଙ୍କା ଏବଂ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ବିଶିଷ୍ଟ ଅନୁଷ୍ଠାନକୁ ୩ ଲକ୍ଷ ଟଙ୍କା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.