ETV Bharat / state

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ବୃଦ୍ଧି: ୨୦୨୮ ଶେଷ ଯାଏଁ ବଳବତ୍ତର, ଖର୍ଚ୍ଚ ହେବ ୧୨୫୦ କୋଟି

author img

By ETV Bharat Odisha Team

Published : Dec 15, 2023, 7:12 PM IST

State Food Security Scheme: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷ ପାଇଁ ଯୋଜନା ଅବଧିକୁ ବୃଦ୍ଧି କରିଛନ୍ତି । ଏହା ଦ୍ବାରା ପ୍ରାୟ ୧୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଅଧିକ ପଢନ୍ତୁ

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ବୃଦ୍ଧି; ୨୦୨୮ ଶେଷ ଯାଏଁ ବଳବତ୍ତର, ଖର୍ଚ୍ଚ ହେବ ୧୨୫୦ କୋଟି
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ବୃଦ୍ଧି; ୨୦୨୮ ଶେଷ ଯାଏଁ ବଳବତ୍ତର, ଖର୍ଚ୍ଚ ହେବ ୧୨୫୦ କୋଟି

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷ ପାଇଁ ଯୋଜନା ଅବଧିକୁ ବୃଦ୍ଧି କରିଛନ୍ତି । ୨୦୨୪ ଜାନୁଆରୀରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ବଢିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ପ୍ରାୟ ୧୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ହିତାଧିକାରୀ ମାସକୁ ୫ କେଜି ଲେଖାଏ ମାଗଣା ଚାଉଳ ପାଇବେ । ଏଥିପାଇଁ ଖର୍ଚ୍ଚ ହେବ ୧୨୫୦ କୋଟି ଟଙ୍କା । ଯାହାକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ବହନ କରିବେ ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି । ଯୋଜନାର ଅବଧି ଆଉ ୫ ବର୍ଷ ବଢିବ । ଏହା ଦ୍ୱାରା ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ ରାଜ୍ୟ ସରକାର । ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ- State Food Security Scheme: ନବୀନଙ୍କ ଘୋଷଣା, ଆଉ ୪ ମାସ ମିଳିବ ମାଗଣା ଚାଉଳ

ବିଭାଗ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ହାସଲ କରିଥିବା ସଫଳତା ସହ ସରକାର ଦେଇଥିବା ପ୍ରତିଶୃତି ପୂରଣ ଉପରେ ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି । ଚଳିତବର୍ଷ ୧୦ ଲକ୍ଷ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହା ସହ ଭିଟାମିନ ଯୁକ୍ତ ଚାଉଳ ସମସ୍ତ ୩୦ଟି ଜିଲ୍ଲାରେ ଦିଆଯାଇଛି । କୌଣସି ଯୋଗ୍ୟ ଓ ଦୁଃସ୍ଥ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯିବନାହିଁ । ସେମାନଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ ନିମିତ୍ତ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପ୍ରକ୍ରିୟାକୁ ନିରନ୍ତର କରାଯାଇଛି । ବିଭାଗ ଦ୍ବାରା ବୟସ୍କ, ଅକ୍ଷମ ଏବଂ ଅସୁସ୍ଥ ରୋଗୀଙ୍କୁ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଧିକ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟର ପ୍ରାୟ ୬୦% ଖାଉଟୀ ସାମଗ୍ରୀ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତ ମାନଙ୍କ ଦ୍ବାରା ବଣ୍ଟନ କରାଯାଉଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ପ୍ରାୟ ୬୮୭ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ ବ୍ୟବସ୍ଥାରେ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ କାର୍ଯ୍ୟାନ୍ବୟନ ପାଇଁ କେନ୍ଦ୍ର ସରକାର ରାଜ୍ୟ ରାଙ୍କିଙ୍ଗ ଇଣ୍ଡେକ୍ସ ୨୦୨୧-୨୨ ରେ ଓଡିଶା ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି । ଆଇଆଇଏମ ଅହମ୍ମଦାବାଦ ଦ୍ବାରା ଓଡିଶାରେ NFSA ଏବଂ SFSSର ସଫଳ କାର୍ଯ୍ୟକାରିତାକୁ ଏକ Case Study ଭାବରେ ଗ୍ରହଣ କରାଯାଇଛି ।

ସାଧାରଣ ବଣ୍ଟନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ, ସମନ୍ବିତ ଶିଶୁ ବିକାଶ ଯୋଜନା, ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ତଥା FCI ଜରିଆରେ Central Poolକୁ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦେବାରେ ଓଡିଶା ଅଗ୍ରଣୀ ଭୂମିକା ଅର୍ଜନ କରିଛି । ସାଟେଲାଇଟ ଜ୍ଞାନକୌଶଳ ବ୍ୟବହାର କରି ଧାନ ଫସଲ ହେଉଥିବା ଅଞ୍ଚଳର ଗ୍ରାମୱାରୀ ଏବଂ ପ୍ଲଟସ୍ତରରେ ଏହାର ବିଶ୍ଳେଷଣ ପାଇଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ Planet Purpose Award 2023 ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ପାଇଲଟ ରୂପେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି । ଏହା ୩୦ଟି ଜିଲ୍ଲାରେ, ସମସ୍ତ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ବଣ୍ଟନ କରାଯାଉଛି । ଏହା ହିତାଧିକାରୀମାନଙ୍କର ପୁଷ୍ଟିକର ଚାହିଦା ମେଣ୍ଟାଇବାରେ ସହାୟକ ହେବ । ଓଡିଶା ଏହି ଯୋଜନାକୁ ଲାଗୁ କରିବାରେ ପ୍ରଥମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.