ETV Bharat / state

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି: ତୁରନ୍ତ ସାଂସଦ ପଦ ଫେରାଇବାକୁ ଓଡ଼ିଶା କଂଗ୍ରେସର ଦାବି

author img

By

Published : Aug 4, 2023, 10:03 PM IST

ମୋଦି ସାଙ୍ଗିଆକୁ ନେଇ ହୋଇଥିବା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ଓଡ଼ିଶା କଂଗ୍ରେସ ନେତା । ତୁରନ୍ତ ତାଙ୍କ ସାଂସଦ ପଦ ଫେରାଇବାକୁ ଦାବି କରିଛନ୍ତି ଓଡ଼ିଶା କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଫେରାଇବାକୁ ଓଡ଼ିଶା କଂଗ୍ରେସର ଦାବି
ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଫେରାଇବାକୁ ଓଡ଼ିଶା କଂଗ୍ରେସର ଦାବି

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଫେରାଇବାକୁ ଓଡ଼ିଶା କଂଗ୍ରେସର ଦାବି

ଭୁବନେଶ୍ବର: ମୋଦି ସାଙ୍ଗିଆ ମାମଲାରେ ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ରାହୁଲ ଗାନ୍ଧୀଙ୍କ ବିରୋଧରେ ମୋଦି ସାଙ୍ଗିଆକୁ ନେଇ ଚାଲିଥିବା ମାମଲାରେ ଗୁଜରାଟ କୋର୍ଟଙ୍କ ୨ ବର୍ଷ ଜେଲ ଦଣ୍ଡାଦେଶ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ମାମଲାର ଚୂଡାନ୍ତ ରାୟ ନଆସିବା ଯାଏଁ ଲାଗିଲା ରୋକ । ତେବେ ଏନେଇ ସାରା ଦେଶରେ କଂଗ୍ରେସ କର୍ମୀ ପୂର୍ବରୁ ହଙ୍ଗାମା କରିଥିଲେ । ଆଉ ଏବେ ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଆସିବା ପରେ ଦେଶବ୍ୟାପୀ ଉତ୍ସବ ମନାଇଛନ୍ତି କଂଗ୍ରେସ କର୍ମୀ । ଏପଟେ ଓଡ଼ିଶା କଂଗ୍ରେସ ନେତା ମଧ୍ୟ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ।

'ସଂସଦରୁ ଦୂରେଇ ରଖିବା ଚକ୍ରାନ୍ତ ପଣ୍ଡ ହୋଇଛି': ଏହି ପ୍ରସଙ୍ଗରେ ଏଆଇସିସି ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, "ଦେଶର ଜନତା ଉପଲବ୍ଧି କରୁଥିଲେ ଅନ୍ୟାୟ ଭାବରେ ଏହି ଦଣ୍ଡ ବିଧାନ ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବରେ ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଦୂରେଇ ରଖିବା ପାଇଁ ବିଧିବଦ୍ଧ ଚକ୍ରାନ୍ତ କରାଯାଇଥିଲା । ଆଜି ସେହି ଚକ୍ରାନ୍ତ ପଣ୍ଡ ହୋଇଛି । ଜନସାଧାରଣଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ବାସ ଅଧିକ ବଢିଛି । ଏହା କେବଳ ରାହୁଲ ଗାନ୍ଧୀଙ୍କ ବିଜୟ ନୁହେଁ, ସେ ସଂସଦ ଭିତରେ ଏବଂ ବାହାରେ ଗଣତନ୍ତ୍ର ପାଇଁ ଯେଉଁ ଲଢେଇ ଜାରି ରଖିଥିଲେ, ଏହା ତାହାର ବିଜୟ । ୪୮ ଘଣ୍ଟା ଭିତରେ ଯେଉଁଭଳି ଭାବରେ ତାଙ୍କର ସଭ୍ୟ ପଦକୁ ରଦ୍ଦ କରାଯାଇଥିଲା, ସେହିଭଳି ଭାବରେ ସେହି ସମୟ ଭିତରେ ତାଙ୍କୁ ତାଙ୍କ ସଭ୍ୟପଦ ଫେରାଇ ଦେବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ଆମେ ଦାବି କରୁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...Modi Surname remark: ରାହୁଲଙ୍କୁ ସୁପ୍ରିମ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

'ସତ୍ୟର ଜୟ ହୋଇଛି': ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ସତ୍ୟର ଜୟ ହୋଇଛି । ରାହୁଲ ଗାନ୍ଧୀଙ୍କୁ ଅପମାନିତ କରାଯାଇ ଯେଉଁଭଳି ଭାବରେ ସାଂସଦ ପଦ ରଦ୍ଦ କରାଗଲା, ସାରା ବିଶ୍ବ ଏହାକୁ ନିନ୍ଦା କରିଛି । କଂଗ୍ରେସ ଦଳ ତରଫରୁ ସୁପ୍ରିମକୋର୍ଟ ବିଚାରପତିଙ୍କୁ ଧନ୍ୟବାଦ ଦେଉଛି । ସେ ରାହୁଲ ଗାନ୍ଧୀଙ୍କ ପଦ ଫେରାଇଛନ୍ତି । ତାଙ୍କୁ କହିବାର ଅଧିକାର ଦେଇଛନ୍ତି । ଏଥିପାଇଁ ଆମେ ଆନନ୍ଦିତ । ଯେଉଁମାନେ କୁଚକ୍ର କରିଥିଲେ, ସେମାନଙ୍କୁ ପ୍ରଭୁ ଜଗନ୍ନାଥ କେବେ କ୍ଷମା ଦେବେନାହିଁ ।"

ନିର୍ବାଚନୀ ଟିପ୍ପଣୀ ଦେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ: ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ କର୍ଣ୍ଣାଟକର କୋଲାରରେ ଏକ ଜନସଭାକୁ ରାହୁଲ ଗାନ୍ଧୀ ସମ୍ବୋଧନ କରୁଥିବା ସମୟରେ ମୋଦି ସାଙ୍ଗିଆକୁ ନେଇ ଏକ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଯାହାକୁ ନେଇ ବିବାଦ ବଢିଥିଲା । ବିଜେପି ନେତା ପୂର୍ଣ୍ଣେଶ ମୋଦି ଏନେଇ ରାହୁଲଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା କରିଥିଲେ । ସୁରଟ ସେସନ କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାସହ ନିୟମ ଅନୁସାରେ ୬ ବର୍ଷ ଧରି ନିର୍ବାଚନ ମଧ୍ୟ ଲଢିପାରିବେ ନାହିଁ ବୋଲି ଶୁଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ୍‌ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ହେଲେ ତଳ କୋର୍ଟଙ୍କ ରାୟକୁ କାଏମ୍ ରଖିଥିଲେ ହାଇକୋର୍ଟ । ଶେଷରେ ସୁପ୍ରିମକୋର୍ଟ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଏବଂ ଆଜି ଏହି ମାମଲାର ଶୁଣାଣୀ କରି ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ...Comeback Rahul: ପୁଣି ସଂସଦରେ ଗର୍ଜିବେ ରାହୁଲ, ଫେରିବ ସାଂସଦ ପଦ

ସଂସଦକୁ ଫେରିବେ ରାହୁଲ ଗାନ୍ଧୀ !: ତେବେ ରାହୁଲ ଗାନ୍ଧୀଙ୍କ ଉପରେ କଟକଣା ଲାଗିବା ପରେ ସେ ନିର୍ବାଚନ ଲଢ଼ି ପାରିବେ କି ନାହିଁ, ସେନେଇ ଆଶଙ୍କା ଉପୁଜିଥିଲା । ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ସାରା ଦେଶରେ ବଳ ଗୋଟାଇଥିଲା କଂଗ୍ରେସ । ହେଲେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା କଂଗ୍ରେସକୁ ଏକ ଶକ୍ତ ଧକ୍କା ଲାଗିଥିଲା । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ କଂଗ୍ରେସ ପାଇଁ ଏହା ଏକ ଶୁଭ ସଂକେତ ବୋଲି କୁହାଯାଉଛି । ରାହୁଲ ଗାନ୍ଧୀ ସଂସଦ ଭିତରେ ପଶି ପାରିବେ କି ନାହିଁ ତାର ଅନୁଧ୍ୟାନ କରିବ ସଂସଦ ସଚିବାଳୟ । ସଚିବାଳୟ ସବୁ ଦିଗକୁ ଯାଞ୍ଚ କରି ନିଷ୍ପତ୍ତି ନେବେ ଏବଂ ଖୁବ୍‌ଶୀଘ୍ର ରାହୁଲ ଗାନ୍ଧୀ ସଂସଦକୁ ମଧ୍ୟ ଫେରିବେ ବୋଲି କୁହାଯାଉଛି । ଏହାପରେ ସାରା ଦେଶରେ କଂଗ୍ରେସ ଶିବିରରେ ଉତ୍ସାହ ଓ ଉତ୍ସବର ମାହୋଲ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.