Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି, ଉପକୃତ ହେବେ ନିମ୍ନ ମଧ୍ୟବିତ୍ତ ପରିବାର

author img

By

Published : May 29, 2023, 5:48 PM IST

Updated : May 29, 2023, 6:23 PM IST

Etv Bharat

ଆଜି କ୍ୟାବିନେଟ ବୈଠକରେ ନୂଆ ଆବାସ ଯୋଜନା 'ମୋ ଘର' ଉପରେ ବାଜିଛି କ୍ୟାବିନେଟ ମୋହର । ଜାଣନ୍ତୁ ଏହି ଯୋଜନା ମାଧ୍ୟମରେ କିପରି ଲାଭବାନ ହୋଇପାରିବେ ରାଜ୍ୟବାସୀ ? ଅଧିକ ପଢନ୍ତୁ

Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି

ଭୁବନେଶ୍ବର: ନବୀନ ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା, ଆକାଂକ୍ଷା ପରିପୂରଣ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି "ମୋ ଘର" ନାମରେ ନୂତନ ଯୋଜନା । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।


'ମୋ-ଘର'ର ଯୋଜନା କଣ ?:- କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନା । ଓଡ଼ିଶା ସରକାରଙ୍କ ଯୋଜନା ହେଉଛି ବିଜୁ ପକ୍କା ଘର ଯୋଜନା । ଉଭୟ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ମୋ ଘର ଯୋଜନାରେ ସାମିଲ କରାଯିବ । ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ନୂତନ ଯୋଜନା 'ମୋ ଘର'କୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ ପଡିଥିବା ପରିବାର କିମ୍ବା ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ ।



କଣ ରହିଛି ଯୋଜନାର ବୈଶିଷ୍ଟ୍ୟ :- ଆବେଦନକାରୀଙ୍କୁ ସରକାରଙ୍କ ସବସିଡି ଯୁକ୍ତ ଗୃହ ଋଣ ପ୍ରଦାନ କରିବେ । ସବସିଡି ରାଶି ସମ୍ପୂର୍ଣ ରୂପେ ରାଜ୍ୟ ସରକାରଙ୍କର ନିଜସ୍ବ ପାଣ୍ଠିରୁ ଦେବେ । ଯୋଜନାରେ ନୂଆ ଘର ନିର୍ମାଣ, ବର୍ତ୍ତମାନ ଗୃହର ସମ୍ପ୍ରସାରଣ, ଉନ୍ନତିକରଣ ଓ ସମ୍ପୂର୍ଣ୍ଣକରଣ ହେବ । ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ । ଯୋଜନାରେ ୧ ଲକ୍ଷ, ୧.୫ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା ରହିଛି । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ପଡିବ ।


କିଏ ହେବେ ଯୋଗ୍ୟ ହିତାଧିକାରୀ ?:- ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଛାତ ଘରେ ବସବାସକରୁଥିବେ । ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନଥିବେ । ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ରାଶି ପାଇଥିବେ । ଯଦି ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିବ । ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟର ଚାଳିତ ଚାରି ଚକିଆ ଯାନ ନଥିବ । ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ଚାକିରୀ କିମ୍ବା ପେନସନ ପାଉନଥିବେ । ପରିବାରର ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବ ।



କଣ ରହିଛି ସବସିଡ ବ୍ୟବସ୍ଥା :- ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ । ଅନୁସୂଚିତ ଜାତି/ଜନ ଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ଦେବେ । ୧ ଲକ୍ଷ ଟଙ୍କାରେ ସାଧାରଣ ବର୍ଗ ପାଇଁ ୩୦ ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୪୦ ହଜାର ଏବଂ ୧.୫୦ ଲକ୍ଷରେ ସାଧାରଣ ୪୫ ହାଜର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୫୫ ହଜାର ଟଙ୍କାର ସବସିଡ ବ୍ୟବସ୍ଥା ରହିବ । ସେହିପରି ୨ ଲକ୍ଷରେ ସାଧାରଣ ବର୍ଗଙ୍କ ପାଇଁ ୬୦ ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୭୦ ହଜାର ଏବଂ ୩ ଲକ୍ଷରେ ମଧ୍ୟ ସମାନ ୬୦ ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୭୦ ହଜାର ସବସିଡି ବ୍ୟବସ୍ଥା ରହିଛି ।



ଦେୟ ମୁକ୍ତ ବ୍ୟାଙ୍କ ଋଣ ମଞ୍ଜୁରୀ ବ୍ୟବସ୍ଥା:- ହିତାଧିକାରୀଙ୍କ ଋଣ ଖାତାକୁ ଦିଆଯିବ ସବସିଡି । ଋଣ ପରିଶୋଧ ବାବଦ EMI ରେ ହ୍ରାସ ଘଟାଇବ । ଋଣ ପରିଶୋଧକୁ ଅଧିକ ସୁଗମ କରିବ । ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କଠାରୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ । ହିତାଧିକାରୀଙ୍କ ଆର୍ଥିକ ବୋଝ ହ୍ରାସ କରିବାକୁ ବନ୍ଧକ ସମୟରେ ପଞ୍ଜିକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ସରକାର ଛାଡ କରିଛନ୍ତି । ସେହିପରି ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଆବଶ୍ୟକୀୟ ଦସ୍ତାବିଜର ପ୍ରମାଣୀକୃତ ନକଲ, ଇ.ସି ପାଇବା ପାଇଁ ଆବଶ୍ୟକ ଦେୟକୁ ମଧ୍ୟ ସରକାର ଛାଡ କରିଛନ୍ତି । ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ସର୍ବାଧିକ ୧ ହଜାର ଟଙ୍କା ରାଜ୍ୟ ସରକାର ବହନ କରିବେ । ଏହି ଯୋଜନାରେ ପୂର୍ବରୁ ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଓ ଅନ୍ୟ ଯୋଜନାରେ ମଧ୍ୟ ସାମିଲ କରାଯିବ ।



କେମିତି ଓ କେବେ ସୁଦ୍ଧା କରିବେ ଆବେଦନ :- https://rhodisha.gov.in/moghara ୱେବସାଇଟ କାର୍ଯ୍ୟକ୍ଷମ କରାଯାଉଛି । ଏହି ୱେବସାଇଟ ମାଧ୍ୟମରେ ଆବେଦନ କରି ହେବ । ଋଣ ପାଇବା ପାଇଁ ଇଛୁକ ବ୍ୟକ୍ତି ଆବେଦନ କରିବା ପୂର୍ବରୁ ଏହି ୱେବସାଇଟରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ । ଯାହା OTP ମାଧ୍ୟମରେ ବୈଧ ହୋଇଥାଏ । ଆସନ୍ତା ଜୁନ ମାସ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ । ଆବେଦନକାରୀ ନିଜେ କିମ୍ବା 'ମୋ ସେବା କେନ୍ଦ୍ର' ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରି ପାରିବେ ।


ଆବେଦନ ପାଇଁ ଆବଶ୍ୟକ ଦସ୍ତାବିଜ :- ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସପୋର୍ଟ ଆକାରର ଫଟୋ, ଆଧାର କାର୍ଡ, KYC ଡକ୍ୟୁମେଣ୍ଟ ଯେମିତି କି ଭୋଟର ID, ପାନ କାର୍ଡ, ଜବ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ), ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଦେବାକୁ ପଡିବ । ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦% ଅର୍ଥ ରାଶି ମାର୍ଜିନ ଅର୍ଥ ହିସାବରେ ବିନିଯୋଗ କରିବେ । ଗୃହ ନିର୍ମାଣ କରାଯାଉଥିବା ଜମିର ସତ୍ତ୍ଵ ସଠିକ ଥାଇ ସ୍ଥିତିବାନ ବର୍ଗର ଓ ଘରବାରୀ କିସମର ହୋଇଥିବା ଆବଶ୍ୟକ । ଏହି ଜମିକୁ ଆବେଦନକାରୀଙ୍କୁ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଋଣ ପରିଶୋଧ ପର୍ଯ୍ୟନ୍ତ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ପଡିବ ।



କିସ୍ତି ଓ ଯୋଜନା ଲାଗି ବଜେଟ ବ୍ୟବସ୍ଥା :- ଗୃହ ନିର୍ମାଣ ସ୍ତର ଅନୁସାରେ ଋଣ ରାଶି ୨ କିମ୍ବା ୩ଟି ପର୍ଯ୍ୟାୟରେ ପ୍ରଦାନ କରାଯିବ । ହିତାଧିକାରୀ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ପରିଶୋଧ କରିପାରିବେ । ମାସିକ କିସ୍ତି ରାଶିର ପରିମାଣ ମଧ୍ୟ ବୃଦ୍ଧି କରି ପାରିବେ । ବ୍ୟାଙ୍କ ହିତାଧିକାରୀଙ୍କ ଠାରୁ ପ୍ରାକ ଋଣ ପରିଶୋଧ ବାବଦ କୌଣସି ଜୋରିମାନା ଅର୍ଥ ଆଦାୟ କରିପାରିବେ ନାହିଁ । ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କ (ପ୍ରତି ସ୍ତରର ଋଣ ପାଇଁ ୧ ଲକ୍ଷ ହିତାଧିକାରୀ) ପାଇଁ ଦୁଇ ବର୍ଷରେ ମଧ୍ୟରେ ୨୧୫୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି ।



ଇଟିଭି ଭାରତ, ଭୁବନେଶ୍ବର

Last Updated :May 29, 2023, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.