ETV Bharat / state

Mission indradhanush: ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ୫.୦

author img

By ETV Bharat Odisha Team

Published : Sep 6, 2023, 7:28 AM IST

ରାଜ୍ୟରେ ସେପ୍ଟେମ୍ବର ୧୧ରୁ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ ଅଭିଯାନ-୫.୦ । ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

ମିଶନ ଇନ୍ଦ୍ରଧନୁଷ ଅଭିଯାନ-୫.୦
mission indradhanush 5.0

ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ହେବ ଟୀକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ ଅଭିଯାନ-୫.୦ । ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ବସିଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସମସ୍ତ ସହଯୋଗୀ ବିଭାଗର ସମନ୍ୱୟରେ ମିଶନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ମିଶନ ଇନ୍ଦ୍ରଧନୁଷ ଅଭିଯାନ-୫.୦ର ସଫଳତା ପାଇଁ ନିଆଯାଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ ରୁ ୧୬ ତାରିଖ, ଅକ୍ଟୋବର ୯ ରୁ ୧୪, ନଭେମ୍ବର ୬ ରୁ ୧୧ ଯାଏଁ ୩ଟି ପର୍ଯ୍ୟାୟରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଥର ନିୟମିତ ଟିକାକରଣ ଦିବସକୁ ମିଶାଇ ୬ ଦିନ ଧରି ଏହା ଅନୁଷ୍ଠିତ ହେବ । ଜନ୍ମରୁ ୨୩ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ବୟସ ଅନୁସାରେ ନେବାକୁ ଥିବା ଟିକା, ଆରମ୍ଭରୁ ଟିକା ନ ନେଇଥିବା ଶିଶୁ, ସମ୍ପୂର୍ଣ୍ଣ ଟୀକାକରଣ ହୋଇନଥିବା ଏବଂ ୨ ରୁ ୫ ବର୍ଷ ମଧ୍ୟରେ ଏମଆର-୧, ଏମଆର-୨, ପେଣ୍ଟା ଏବଂ ଓ ଓପିଭି ଡୋଜ ନେଇନଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରହିଛି ।

ରାଜ୍ୟରେ ୨୦୧୫ ମସିହାରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ସମସ୍ତ ବାଦ ପଡ଼ିଥିବା ଶିଶୁ, ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଟୀକାକରଣ କରାଯିବା ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ଟି ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ ଅଭିଯାନ କରାଯାଇ ସାରିଛି । ଆଇଏମଆଇ -୫.୦ ଅଭିଯାନ ଅଧିନରେ ୨୦୨୩ରେ ଟୀକାକରଣ କରାଯିବାକୁ ଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ୟୁ-ୱିନରେ ପଞ୍ଜୀକରଣ କରିବା ଏବଂ ସ୍ୱତନ୍ତ୍ର ତଥା ଯୋଜନାବଦ୍ଧ ଭାବେ ସେମାନଙ୍କୁ ଆଇଏମଆଇ ଜରିଆରେ ଟିକା ଦିଆଯିବ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ସମ୍ପୂର୍ଣ୍ଣ ଟୀକାକରଣ କଭରେଜରେ ରାଜ୍ୟ କ୍ରମାଗତ ଉନ୍ନତି ହାସଲ କରିବା ସଙ୍ଗେ ସଙ୍ଗେ ଏହି ସର୍ବେକ୍ଷଣ ଅନ୍ତର୍ଗତ ଏନଏଫଏଚଏସ -୫ରେ ପୂର୍ଣ୍ଣ ଟୀକାକରଣରେ ଓଡ଼ିଶା ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି । ବିଭିନ୍ନ ସର୍ବେକ୍ଷଣରେ ଏହି ପ୍ରତିଶତ ବୃଦ୍ଧି ପାଇ ଅଧୂନା ସହାରାଞ୍ଚଳରେ ଏହା ୯୨ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ୯୦.୨ ରହିଛି । ୨୦ଟି ଜିଲ୍ଲାରେ ୯୦% ରୁ ଅଧିକ ସମ୍ପୂର୍ଣ୍ଣ ଟୀକାକରଣ ମାତ୍ରା ରହିଛି । ସମସ୍ତ ଜିଲ୍ଲାର ସମ୍ପୂର୍ଣ୍ଣ ଟୀକାକରଣ କଭରେଜ ଜାତୀୟ ହାରାହାରି ଠାରୁ ଅଧିକ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Mission Indradhanush: 12 ଜିଲ୍ଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ 4.0


ଟିକା ନେବାକୁ ଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ସର୍ବେକ୍ଷଣ, ଟୀକାକରଣ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଜଣାଇବା ଓ ସମ୍ପୃକ୍ତି ନିମନ୍ତେ ସବୁ ସଂପୃକ୍ତ ବିଭାଗର ସମନ୍ୱୟକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ସିଡିପିଓ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସାମିଲ ପୂର୍ବକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଜରିଆରେ ଅଭିଭାବକମାନଙ୍କୁ ସଚେତନ କରିବାକୁ କୁହାଯାଇଛି । ସେହିପରି ଜନଜାତି, ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଅଞ୍ଚଳରେ ଏହି ମିଶନକୁ ଗୁରୁତ୍ୱ ଦେବା ସହ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କର ସହଯୋଗ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମହିଳା ଓ ଶିଶୁ ବିଭାଗ ଆଦି ବିଭାଗର ନିର୍ଦ୍ଦେଶକଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.