ETV Bharat / state

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭ ଲକ୍ଷ ଲୁଟ୍

author img

By

Published : May 27, 2023, 10:00 AM IST

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବଡ ଧରଣର ଲୁଟ୍ । ୭ ଲକ୍ଷରୁ ଅଧିକ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲା ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଫଇନାନ୍ସ କର୍ମଚାରୀଙ୍କ ଠାରୁ ୭ ଲକ୍ଷ ଲୁଟ୍
ଫଇନାନ୍ସ କର୍ମଚାରୀଙ୍କ ଠାରୁ ୭ ଲକ୍ଷ ଲୁଟ୍

ଖୋର୍ଦ୍ଧା: ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବଡ ଧରଣର ଲୁଟ୍ । ଜମାକାରୀଙ୍କଠୁ ଟଙ୍କା ନେଇ ଫେରୁଥିବା ବେଳେ ବାଟରେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେଲେ ଦୁର୍ବୃତ୍ତ । ଗତକାଲି(ଶୁକ୍ରବାର) ଖୋର୍ଦ୍ଧାର ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାୟପୁର ସ୍ଥିତ ଏକ ଘରୋଇ ମାକେର୍ଟ କମ୍ପ୍ଲେକ୍ସ ନିକଟରେ ଏହି ଲୁଟପାଟ୍ ହୋଇଛି । ଘରୋଇ ଫାଇନାନ୍ସ କମ୍ପାନୀ ଶାଖା ପରିଚାଳକ ଗୋବିନ୍ଦ ଖିଲାଡ଼ ଓ କ୍ଷେତ୍ର କର୍ମଚାରୀ ବିଶ୍ବଜିତ ସେଠୀ ଲୁଟର ଶିକାର ହୋଇଛନ୍ତି । ଦୁର୍ବୃତ୍ତମାନେ ବାଇକରେ ଆସି ସେମାନଙ୍କୁ ଠାରୁ ୭ ଲକ୍ଷ ୨୮ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଦୁର୍ବୃତ୍ତଙ୍କ ସନ୍ଧାନ କରୁଛି ।

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ନବୀନ ବାଗ ଠାରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଶାଖା ରହିଛି । ଶୁକ୍ରବାର ଶାଖା ପରିଚାଳକ ଗୋବିନ୍ଦ ଖିଲାଡ଼ ଏବଂ କ୍ଷେତ୍ର କର୍ମଚାରୀ ବିଶ୍ୱଜିତ ଜମାକାରୀଙ୍କ ଠାରୁ ୭ ଲକ୍ଷ ୨୮ ହଜାର ଟଙ୍କା ସଂଗ୍ରହ କରି ବାଇକରେ ଖୋର୍ଦ୍ଧା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଡିପୋଜିଟ କରିବାକୁ ଆସୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସର ବାଇକ୍‌ରେ ସେମାନଙ୍କ ପିଛା କରି ସାମନ୍ତରାୟପୁର ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ ରାସ୍ତାରୁ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଶାଖା ପରିଚାଳକ ଥାନାରେ ଅଭିଯୋଗ ପରେ ପୋଲିସ ୩୨୮/୨୩ରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି ।

ଏହାମଧ୍ୟ ପଢନ୍ତୁ: ମୋରମ ମାଫିଆଙ୍କ ଆତଙ୍କରାଜ, ତହସିଲଦାରଙ୍କୁ ଜେସିବି ଚଢାଇ ହତ୍ୟା ଉଦ୍ୟମ

ସେହିଭଳି ଗତ ୧୦ ତାରିଖରେ ଅନୁରୂପ ଭାବେ ବାଘମାରି ଥାନା ଅନ୍ତର୍ଗତ ଭୁଆଶୁଣି ପାଟଣା ବାଘମାରି ରାସ୍ତାରେ ଏହିଭଳି ଅନ୍ୟ କିଛି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିଲା । ଦୁର୍ବୃତ୍ତମାନେ ସେମାନଙ୍କୁ ବାଟରେ ଅଟକାଇ ବେକରେ କଟୁରୀ ଲଗାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ବିଶେଷକରି ଅପରାଧୀମାନେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ଏବେ ସହର ଭିତରେ ପୁଣିଥରେ ଏହି ଲୁଟ୍ ଘଟଣା ଖୋର୍ଦ୍ଧା ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଛି । ପୋଲିସର ଢିଲା ପାଟ୍ରୋଲିଂ ପାଇଁ ସହରର ଗଳିକନ୍ଦିରେ ଅପରାଧୀମାନେ ସକ୍ରିୟ ହୋଇ ଉଠୁଛନ୍ତି । ତେବେ ଗତକାଲିର ଲୁଟ ଘଟଣାରେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାଁ ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.