ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା; ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By

Published : Aug 18, 2023, 9:41 PM IST

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ବୋଧେ ଏକ ନୂଆ ସିଆରପିସି ଓ ଆଇପିସି ଅଛି । ସରକାରୀ ଦଳ ଅର୍ଥାତ ବିଜେଡି ଦଳର କର୍ମକର୍ତ୍ତା ଯେଉଁଠି ସମ୍ପୃକ୍ତି ଥିବେ, ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏଇଟା ଓଡିଶା ସରକାରଙ୍କର ସିଆରପିସି ଓ ଆଇପିସିରେ ବୋଧେ ଲେଖା ହୋଇଛି । ଅଧିକ ପଢନ୍ତୁ

ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି
ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଭୁବନେଶ୍ବର: ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ଓ ପରବର୍ତ୍ତୀ ପ୍ରକରଣକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ବିବାଦ ବଢ଼ିବାରେ ଲାଗିଛି । ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି । ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି । ସେପଟେ ଜବାବ ରଖିଛି ବିଜେଡି ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ବୋଧେ ଏକ ନୂଆ ସିଆରପିସି ଓ ଆଇପିସି ଅଛି । ସରକାରୀ ଦଳ ଅର୍ଥାତ ବିଜେଡି ଦଳର କର୍ମକର୍ତ୍ତା ଯେଉଁଠି ସମ୍ପୃକ୍ତି ଥିବେ, ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏଇଟା ଓଡିଶା ସରକାରଙ୍କର ସିଆରପିସି ଓ ଆଇପିସିରେ ବୋଧେ ଲେଖା ହୋଇଛି । ଯେଉଁ ସ୍ଥାନ ବିଜେଡି ନେତାଙ୍କର ସମ୍ପୃକ୍ତି ରହୁଛି, ତାହାକୁ ଚପେଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି । କେତେକ ସ୍ଥାନରେ ଚପେଇ ଦେବାରେ ସେମାନେ ସଫଳ ମଧ୍ୟ ହେଉଛନ୍ତି । ମାହାଙ୍ଗା ଘଟଣାରେ ଚପେଇ ଦେବାକୁ ଚେଷ୍ଟା କରୁଥିଲେ । ଅଡିଓ ଭାଇରାଲ ହୋଇଯିବାରୁ ଆଉ ଚପେଇ ଦେଇପାରିଲେ ନାହିଁ । ବାଧ୍ୟ ହୋଇ ପୋଲିସ ଆକ୍ସନ ନେଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଛି । ରାଜ୍ୟରେ ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ଶାସକ ଦଳର ଲୋକ ସମ୍ପୃକ୍ତ ଥିଲେ ବି ଚପେଇ ଦିଆଯାଏ । କୌଣସି ସ୍ଥାନରେ ସ୍ଥାନୀୟ ପୋଲିସ ଅଭିଯୁକ୍ତକୁ ଧରିଦେଲେ, ଓଡିଶା ସରକାର ନୂଆ ଫର୍ମୁଲା ଆପଣାନ୍ତି । କ୍ରାଇମବ୍ରାଞ୍ଚ ପଠାଇ ଦବେଇ ଦେଉଛନ୍ତି । ନବ ଦାସ, ମମିତା ମେହେର ଘଟଣା ଏହାର ପ୍ରମାଣ ।

ଏହାବି ପଢନ୍ତୁ- ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଥାନାରେ ହାଜର ହେଲେ ଶରତ ନାୟକ

ସେହିପରି ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କଲା ବିଜେପି । ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଶରତ ନାୟକ ହେଉଛନ୍ତି ବିଧାୟକ ପ୍ରତାପ ଜେନାଙ୍କର ଏକାନ୍ତ ସହଯୋଗୀ । ପୋଲିସକୁ ଲଗାଇ ଘଟଣାକୁ ଚାପି ଦେବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ପ୍ରତାପ ଜେନା । ଶରତଙ୍କୁ ନିଲମ୍ବିତ କରାଯାଇଛି ହେଲେ ପୋଷ୍ଟମର୍ଟମ ନକରି 2 ମାସ ନିଷ୍କ୍ରିୟ ତଦନ୍ତ ପାଇଁ ପୋଲିସ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପ୍ରଶ୍ନ ଉଠାଇଛନ୍ତି ସେ । 2 ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନେଇନାହିଁ ? ଡ଼ିଜିଙ୍କୁ ଭେଟି ଭାଇରାଲ ଅଡିଓ ଶୁଣାଇ କର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲା ବିଜେପି । ଡ଼ିଜି ତଦନ୍ତ ଆରମ୍ଭ କରିଛନ୍ତି । ଶରତ ରାଉତଙ୍କ ବିଜେଡ଼ି ଦଳରୁ ନିଲମ୍ବିତ କରିଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ରାଜକିଶୋର ଦାସ । ରାଜକିଶୋର କହିଛନ୍ତି ଯେ, ମାହାଙ୍ଗା ଘଟଣାରେ ତଦନ୍ତ କରିବା ଲାଗି ସମୟ ଟିକେ ଲାଗିଥାଇ ପାରେ । ଏମିତି ନହେଉ ନିର୍ଦୋଷ ଦଣ୍ଡ ପାଇଯାଉ । ଆଇନରେ ଅଛି ଶହେ ଦୋଷୀ ଖସିଯାନ୍ତୁ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନପାଉ । ସେଥିପାଇଁ ପୋଲିସକୁ ସମୟ ଲାଗିଥାଇ ପାରେ । ଯିଏ ଏଠି ଦୋଷ କରିବ, ଆଇନ ଶୃଙ୍ଖଳା ଉଲଂଘନ କରିବ ସେ ଦଣ୍ଡିତ ହେବ । ମୁଖ୍ୟମନ୍ତ୍ରୀ ଏକଥା ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ସେ ଅନୁସାରେ କାମ କରୁଛି । ବିଜେପି ବିଭିନ୍ନ ସମୟରେ ବହୁ କଥା କୁହେ । ବିଧାନସଭାରେ କୁହେ, ବିଧାନସଭା ବାହାରେ କୁହେ । ବିଜେପି ବିଧାନସଭା ସମୟ ମଧ୍ୟ ନଷ୍ଟ କରେ । ପରି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏମିତି କରିଛି । କିନ୍ତୁ ସତ୍ୟ ସାମ୍ନାକୁ ଆସେ । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ଓ କରନ୍ତି, ଉଚିତ ସମୟରେ ଉଚିତ କାମ କରନ୍ତି । ଏଇଟା ଜନସାଧାରଣ ଜାଣିଛନ୍ତି । ପ୍ରତାପ ଜେନାଙ୍କ ସହଯୋଗୀ ବୋଲି କହିଦେଲେ ହେବନାହିଁ । ମିଛ କଥା ଓ ଭୁଲ କଥାକୁ ବାରମ୍ବାର କହିଦେଲେ ସତ ହୋଇଯାଏ ନାହିଁ । ତେଣୁ ପୋଲିସ ଠିକ ତଦନ୍ତ କରୁଛି । ଉଚିତ କାର୍ଯ୍ୟାନୁଷ୍ଠାନ ନେବ । କିଏ ତଦନ୍ତ ପରିସର ଭୁକ୍ତ ହେବ ତାହା ପୋଲିସ କରିବ । ବିଜେପି ମିଛରେ କହିଲେ କଣ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଯିବେ । ଏଇଟା ଭୁଲ କଥା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.