ETV Bharat / state

ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠୁ ୧୨୧ କୋଟି ଆଦାୟ, ନ୍ୟାୟିକ ତଦନ୍ତ ଦାବି କଲେ କୋରାପୁଟ ସାଂସଦ

author img

By

Published : Apr 26, 2023, 7:40 AM IST

Updated : Apr 26, 2023, 2:08 PM IST

ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ନକ୍ସଲ ନାଁରେ ଟ୍ରକ ମାଲିକଙ୍କ ଠାରୁ ୧୨୧ କୋଟି ଆଦାୟ କରିଥିବା ଅଭିଯୋଗ ଆଣିଲା କଂଗ୍ରେସ । ଏନେଇ ଟ୍ରକ ମାଲିକ ସଂଘ ଗତ ୧୮ ତାରିଖ ଦିନ ଏକ ଲିଖିତ ଅଭିଯୋଗ ରାୟଗଡା ଥାନାରେ କରିଥିଲେ । ଏହାର ତଦନ୍ତ କରି ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନନେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

ଟ୍ରକ ସଂଘର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
ଟ୍ରକ ସଂଘର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କୋରାପୁଟ ସାଂସଦଙ୍କ ପ୍ରେସମିଟ

ରାୟଗଡ଼ା: ନକ୍ସଲ ନାଁରେ ଟ୍ରକ ମାଲିକଙ୍କ ଠାରୁ ୧୨୧ କୋଟି ଟଙ୍କା ବେଆଇନ ଭାବେ ଆଦାୟ ହୋଇଛି ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ । ରାୟଗଡା ଟ୍ରକ ୟୁନିୟନର ମୁଖିଆ ଭାବେ ରହି ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ଏଭଳି ବେଆଇନ ଉପାୟରେ ଟଙ୍କା ଆଦାୟ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ ଘଟଣାକୁ ନେଇ ଟ୍ରକ ମାଲିକ ସଂଘ ଗତ ୧୮ ତାରିଖ ଦିନ ଏକ ଲିଖିତ ଅଭିଯୋଗ ରାୟଗଡା ଥାନାରେ କରିଥିଲେ । ତେବେ ଦୀର୍ଘ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲିଖିତ ଅଭିଯୋଗକୁ ଆଧାର କରି କାହିଁକି ରାୟଗଡା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା । ଏହାସହ ୨୦୨୦ ମସିହା ପୂର୍ବରୁ ବିନା ପଞ୍ଜିକରଣରେ ଦୀର୍ଘ ୪୦ ବର୍ଷ ଧରି ଟ୍ରକ ୟୁନିୟନ କିପରି ଚାଲିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାୟଗଡା ଜିଲ୍ଲାରେ ନକ୍ସଲଙ୍କ ପ୍ରାଦୁର୍ଭାବ ବଢିବାରେ ଶାସକ ଦଳର ଜଣେ ଟାଣୁଆ ନେତାଙ୍କ ହାତ ରହିଥିଲା ବୋଲି ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି ସାଂସଦ ସପ୍ତଗିରି ଉଲାକା । ଦୀର୍ଘ ୪୦ ବର୍ଷ ଧରି ଟ୍ରକ ୟୁନିୟନର ମୁଖିଆ ରହି ପୂର୍ବତନ ସାଂସଦ ଏନ.ଭାସ୍କର ରାଓ, ଅନୈତିକ ଉପାୟରେ ଟ୍ରକ ମାଲିକ ମାନଙ୍କ ଠାରୁ ନକ୍ସଲ ନାମରେ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସାଂସଦ ସପ୍ତଗିରି ଉଲାକା । ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଭାସ୍କର ରାଓ ସିଧା ସଳଖ ନକ୍ସଲଙ୍କୁ ଚାନ୍ଦା ଦେବା ଘଟଣାରେ ସଂପୃକ୍ତି ଥିବା ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି ।

ତେବେ ଟ୍ରକ ମାଲିକ ସଂଘର ଅଭିଯୋଗକୁ ଇତି ମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ସପ୍ତଗିରି ଉଲାକା । ଯଦି ଆଗାମୀ ୧୫ ଦିନ ମଧ୍ୟରେ ରାଜ୍ୟସରକାର କୌଣସି ପଦକ୍ଷେପ ନନିଅନ୍ତି, ତାହେଲେ ରାଜ୍ୟ କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ରାଜଧାନୀରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି କୋରାପୁଟ ସାଂସଦ ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ନିର୍ବାଚନୀ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆପଲ ସ୍ୱାମୀ କାଡ୍ରାକା, ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଅନିଲ ଜୈନ, ସୁନୀଲ ଚନ୍ଦ୍ର ପଣ୍ଡା, ଅଙ୍ଗଦ ନାଏକ, ଯୁବ କଂଗ୍ରେସ ସଭାପତି ଅସଲମ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

Last Updated : Apr 26, 2023, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.