ETV Bharat / state

Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା, ଅପେକ୍ଷା ସେହି ମୁହୂର୍ତ୍ତକୁ

author img

By

Published : Aug 8, 2023, 7:39 PM IST

ଚନ୍ଦ୍ର ଆଡ଼କୁ ସଫଳତାର ସହ ଆଗେଇ ଚାଲିଛି ଚନ୍ଦ୍ରଯାନ-୩ । ସଫଳ ଲ୍ୟାଣ୍ଡିଂ ପାଇଁ କେତେ ପ୍ରସ୍ତୁତ ଚନ୍ଦ୍ରଯାନ-୩ ? ଚନ୍ଦ୍ରଯାନ-୨ ପରି ହେବ ନାହିଁ ତ କୌଣସି ଅସୁବିଧା ? ଦେଖନ୍ତୁ ଏହି ରିପୋର୍ଟ

Chandrayaan 3
Chandrayaan 3

Chandrayaan 3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା, ଅପେକ୍ଷା ସେହି ମୁହୂର୍ତ୍ତକୁ

ଭୁବନେଶ୍ବର: ଚନ୍ଦ୍ର ଆଡ଼କୁ ସଫଳତାର ସହ ଆଗେଇ ଚାଲିଛି ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ଏହା ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିବ ବୋଲି ବେଶ ଆଶାବାଦୀ ରହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଚନ୍ଦ୍ରଯାନ-୨ର ତ୍ରୁଟିକୁ ଯେପରି ଦୋହରା ନଯାଏ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାତ୍ର ଲ୍ୟାଣ୍ଡିଂ ସମୟରେ ୧୫ ମିନିଟ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପଠାଣି ସାମନ୍ତି ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ସେପଟେ ଏପର୍ଯ୍ୟନ୍ତ ସ୍ପେଶକ୍ରାଫ୍ଟର ସ୍ଥିତି ସ୍ବାଭାବିକ ଥିବା ଇସ୍ରୋ ମୁଖ୍ୟ ଏସ ସୋମନାଥନ କହିଛନ୍ତି ।

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ବେଳେ ଯେଉଁ ଅସୁବିଧା ହୋଇଥିଲା ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ବେଳେ ସେହି ଅସୁବିଧା ହେବ ନାହିଁ । ଏ ନେଇ ପ୍ଲାନେଟୋରିୟମର ପୂର୍ବତନ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, " ଜୁଲାଇ ୧୪ ତାରିଖରେ ପଠାଯାଇଥିବା ଚନ୍ଦ୍ରୟାନ-୩ ପ୍ରଥମେ ପୃଥିବୀ ଚାରିପଟେ ଘୁରି ବୁଲିଲା । ପ୍ରଥମେ ଏହା ଛୋଟ କକ୍ଷପଥରେ ଘୁରିଲା । ଧୀରେ ଧୀରେ ଏହାର କକ୍ଷପଥ ବଡ କରାଗଲା । ଅଗଷ୍ଟ ୧ ତାରିଖରେ ଚନ୍ଦ୍ର ଆଡକୁ ଚନ୍ଦ୍ରଯାନ-୩କୁ ପଠାଗଲା । ଅଗଷ୍ଟ ୫ ତାରିଖରେ ଏହା ଚନ୍ଦ୍ର ଚାରିପଟେ ବଡ କକ୍ଷପଥରେ ବୁଲିଲା । ଯେତେବେଳେ ଚନ୍ଦ୍ରର ନିକଟବର୍ତ୍ତୀ ହେଉଛି ଏହା ୨୦୦ କିଲୋମିଟର ଦୂରରେ ରହୁଛି ଏବଂ ଯେତେବେଳେ ଦୂରରେ ରହୁଛି ୪୩୦୦କିଲୋମିଟର ଦୂରକୁ ଚାଲିଯାଉଛି । ତେବେ ୩ଟି ପର୍ଯ୍ୟାୟରେ କକ୍ଷପଥ ଛୋଟ ହେବ । ଆସନ୍ତା ୧୮ ତାରିଖରେ ଏହା ଚନ୍ଦ୍ରଠୁ ମାତ୍ର ୧୦୦ କିମି ଦୂରରେ ଗୋଲାକାର ପଥରେ ଘୁରିବ ।"

ଏହା ବି ପଢନ୍ତୁ- Chandrayaan-3 Enters lunar Orbit: ଐତିହାସିକ ମୁହୂର୍ତ୍ତକୁ ଆଉ ପାଦେ, ସଫଳତାର ସହ ଜହ୍ନ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଏହା ପରେ ଚନ୍ଦ୍ରାୟନ-୩ଠାରୁ ପ୍ରପଲସନ ମଡ୍ୟୁଲ ଅଲଗା ହେବ । ଅଗଷ୍ଟ ୨୩ ତାରିଖରେ ହେବ ସଫ୍ଟ ଲ୍ୟାଣ୍ଡିଂ । ସଫ୍ଟ ଲ୍ୟାଣ୍ଡିଂର ସେହି ୧୫ ମିନିଟ ହେବ ଗୁରୁତ୍ବପୂର୍ଣ୍ଣ । କାରଣ ଚନ୍ଦ୍ରଯାନ-୨ର ସଫ୍ଟ ଲ୍ୟାଣ୍ଡିଂ ବେଳେ ଲ୍ୟାଣ୍ଡର ସହ ଯୋଗସୁତ୍ର କଟିଯାଇଥିଲା । ଯାହା ଫଳରେ ନିର୍ଦ୍ଦେଶ ପହଞ୍ଚି ନପାରିବାରୁ କ୍ରାସ୍‌ ଲ୍ୟାଣ୍ଡିଂ ହୋଇଥିଲା । ଏଥର କିନ୍ତୁ ସେନ୍ସର ଲଗାଯାଇଛି । ଅତିରିକ୍ତ କ୍ୟାମେରା ଲଗାଯାଇଛି । ସଫ୍ଟୱେୟାରକୁ ଅପଡେଟ କରିବା ସହିତ ଅଧିକ ଉନ୍ନତ କରାଯାଇଛି । ଲ୍ୟାଣ୍ଡିଂ ସମୟରେ ସେ ନିଜେ ଜାଣିପାରିବ କେତେ ଦୂରତାରେ ଅଛି ଏବଂ କେତେ ଗତିରେ ଏହା ଲ୍ୟାଣ୍ଡ କରିବାକୁ ଯାଉଛି । ଚନ୍ଦ୍ରାୟନ-୨ରେ ଯେଉଁ ଭୁଲ ହୋଇଥିଲା ତାକୁ ସୁବଧାରିବାକୁ ଚେଷ୍ଟା କରାଯାଇଛି । ତେଣୁ ଚନ୍ଦ୍ରୟାନ-୩ର ସଫଳ ଲ୍ୟାଣ୍ଡିଂ ହେବ ବୋଲି ସମସ୍ତେ ଆଶାବାଦୀ ଥିବା ପଟ୍ଟନାୟକ କହିଛନ୍ତି ।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଓହ୍ଲାଇବା ପ୍ରକ୍ରିୟାକୁ ଅଟୋମେଟିକ କରାଯାଇଥିବାରୁ ଚନ୍ଦ୍ରାୟନ-୨ରେ ଯେଉଁ ତ୍ରୁଟି ପରିଲକ୍ଷିତ ହୋଇଥିଲା ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ବେଳେ ସେହି ଅସୁବିଧା ହେବ ନାହିଁ ବୋଲି ଆକଳନ କରାଯାଇଛି । ଏବେ ଅପେକ୍ଷା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାବେଳକୁ । ଦେଖିବାର କଥା କେତେ ସଫଳତାର ସହିତ ଲ୍ୟାଣ୍ଡ କରୁଛି ଚନ୍ଦ୍ରଯାନ-୩ । ଯଦି ସଫଳ ଲ୍ୟାଣ୍ଡିଂ ହୁଏ ତେବେ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିବ ଭାରତ ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.