ETV Bharat / state

ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି

author img

By ETV Bharat Odisha Team

Published : Sep 6, 2023, 8:08 AM IST

ଆଜି ପବିତ୍ର ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାପୃଷ୍ଠରେ ଜନ୍ମ ନିଅନ୍ତି କୃଷ୍ଣ ଭଗବାନ । ଅଧିକ ପଢନ୍ତୁ

janmastami festival celebration
ଆଜି ପବିତ୍ର ଜନ୍ମାଷ୍ଟମୀ

ଭୁବନେଶ୍ବର: ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି ହେ ନାଥ ନାରାୟଣ ବାସୁଦେବ । ହାତୀ ଘୋଡା ପାଲ କି ଜୟ କହ୍ନେୟା ଲାଲା କି ଗୀତରେ ଗୁଞ୍ଜରିତ ହେବ ପ୍ରତି ଘର । ଆଜି ପବିତ୍ର ଜନ୍ମାଷ୍ଟମୀ । ଲହୁଣୀ ବୋଳା ମୁହଁ ଆଉ ଅଣ୍ଟାରେ ବଂଶୀ, ସେହି ନଟଘଟ କଳା କହ୍ନେଇର ଆଜି ଜନ୍ମତ୍ସୋବ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷେତ୍ରରେ ଧରା ପୃଷ୍ଠରେ ଜନ୍ମ ନେବେ ଭଗବାନ କୃଷ୍ଣ । ଅନ୍ଧାର ରାତିର ସେ ଢୁଢୁ ମେଘ ଚିରି ଦେବକୀଙ୍କ କୋଳରେ ଜନ୍ମ ନେବେ କଳା କହ୍ନେଇ । ପବିତ୍ର ଜନ୍ମାଷ୍ଟମୀ ପାଇଁ ଆଜି ଉତ୍ସବମୁଖର ପୁରପଲ୍ଲୀ । କୃଷ୍ଣମୟ ହୋଇଛି ପ୍ରତିଘର । କଳା କହ୍ନେଇ ପ୍ରେମରେ ସମସ୍ତେ ଭିଜିଛନ୍ତି । ଆଜି ଦିନରେ ଘରେ ଘରେ ସମସ୍ତେ ଜନ୍ମାଷ୍ଟମୀ ବ୍ରତ କରିଥାଆନ୍ତି । ଖାଲି ଓଡିଶା ନୁହେଁ ଶ୍ରୀହରିଙ୍କ ଜନ୍ମ ଉତ୍ସବକୁ ସାରା ଭାରତ ବର୍ଷରେ ପାଳନ କରାଯାଏ ।

ଶ୍ରୀକୃଷ୍ଣ ଜନ୍ମ:

ପ୍ରଭୁ ଶ୍ରୀକୃଷ୍ଣଙ୍କ ମାନବୀୟ ଲୀଳାର ପର୍ବ ଜନ୍ମାଷ୍ଟମୀ । ଯେବେ ଧରାପୃଷ୍ଠରେ ପାପୀଙ୍କର ପ୍ରାର୍ଦୁଭାବ ବିଢାଥାଏ ସେବେ ଭାଗବାନ ସ୍ବୟଂ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଦ୍ବାପର ଯୁଗର ଶେଷ ଭାଗରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । ପ୍ରବଳ ପ୍ରତାପୀ କଂସକୁ ବଧ କରିବା ପାଇଁ ମାନବ ରୂପରେ ପ୍ରଭୁ ଶ୍ରୀହରିଙ୍କର ଧରାବତରଣ ହୋଇଥିଲା । ଭଗବାନଙ୍କ ଲୀଳା ସର୍ବଦା ନିତ୍ୟ ନବୀନ । ଭଗବାନଙ୍କ ଲୀଳାଠାରୁ ଆଉ ଅଧିକ ମଧୁର କିଛି ନାହିଁ । ମଥୁରା ନଗରୀରେ କଂସର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଥିଲା । ଯେତେବେଳେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ କଂସ ଯାଉଥିଲା ସେବେ ଆକାଶବାଣୀ ହୋଇଥିଲା ଭଉଣୀ ଦେବକୀ ଗର୍ଭର ଅଷ୍ଟମ ସନ୍ତାନ ତାକୁ ବଧ କରିବ । ଏହାପରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଥିଲା ପ୍ରବଳ ପ୍ରତାପୀ କଂସ । ଦେବକୀଙ୍କ ପ୍ରଥମ 7ଟି ସନ୍ତାନଙ୍କୁ ହତ୍ୟା କରିଥିଲା । ଏହା ପରେ ଅଧର୍ମର ବିନାଶ ପାଇଁ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଧ୍ୟ ରାତ୍ରୀରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଗୋଲକବିହାରୀ ।

କଂସ ଭୟରେ ବସୁଦେବ କୃଷ୍ଣଙ୍କୁ ସେହି ରାତିରେ ଗୋପପୁର ନନ୍ଦ-ଯୋଶୋଦାଙ୍କ ପାଖରେ ଛାଡି ଦେଇ ଆସିଥିଲେ । କୃଷ୍ଣଙ୍କୁ ପାଇଁ ଗୋପପୁର ଝୁମି ଉଠିଥିଲା । ସେହି ଦିନକୁ ଜନ୍ମାଷ୍ଟମୀ ପର୍ବ ଭାବରେ ପାଳନ କରାଯାଉଛି । ଅଧର୍ମର ବିନାଶ କରି ଧର୍ମ ପ୍ରତିଷ୍ଠା ପାଇଁ ଧରାପୃଷ୍ଠକୁ ଅବତରଣ କରିଥିଲେ ପ୍ରଭୁ କୃଷ୍ଣ । କଂସ ଦ୍ବାରା ବନ୍ଦୀ ତାଙ୍କ ଭଉଣୀ ଦେବକୀଙ୍କ କୋଳରେ ଜନ୍ମ ନେଇଥିଲେ କହ୍ନେଇ ଆଉ କଂସକୁ ବଧ କରିଥିଲେ । ଏହା ପରେ ମଥୁରାବାସୀ କଂସ କୋପରୁ ରକ୍ଷା ପାଇଥିଲେ । ପ୍ରଭୁଙ୍କର ଏହି ଜନ୍ମତ୍ସୋବକୁ ଘରେ ଘରେ ମହାଡମ୍ବରରେ ପାଳନ କରାଯାଏ । ଲୋକ ବ୍ରତ କରିଥାନ୍ତି । ପ୍ରଭୁ କୃଷ୍ଣ ଜନ୍ମ ହେବା ପରେ ଉପବାସ ଭଙ୍ଗିଥାନ୍ତି । ଘରେ, ମନ୍ଦିରରେ ହରିବଂଶ ପୁରାଣ ପାଠ ହୋଇଥାଏ । ସାରା ଭାରତରେ ମହା ସମାରୋହରେ ଜନ୍ମାଷ୍ଟମୀ ପାଳିତ ହୁଏ ।

ଏହା ବି ପଢନ୍ତୁ...Janmasthami: ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଲଗାନ୍ତୁ ଏହି ୫ ମିଠା ଭୋଗ

ଆଜି ପବିତ୍ର ଦିନରେ ପ୍ରଭୁଙ୍କ ସ୍ବାଗତ ଲାଗି ମନ୍ଦିର ଗୁଡିକ ସଜେଇ ହୋଇଛି । ଭକ୍ତମାନେ ବ୍ରତ ଓ ଉପବାସ କରିଛନ୍ତି । କୃଷ୍ଣ ପ୍ରେମରେ ନିଜକୁ ହଜେଇ ଦେବେ ଭକ୍ତ । କୃଷ୍ଣମୟ ହେବ ଜଗତ । ସବୁଠି ଶୁଭିବ କୃଷ୍ଣନାମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.