ETV Bharat / state

ରାଜ୍ୟ ସଂଗ୍ରହାଳୟର ଆରମ୍ଭ ଅନ୍ତର୍ଜାତୀୟ ଚିତ୍ରକଳା ଓ ମୁଖାନୃତ୍ୟ ପ୍ରଦର୍ଶନୀ

author img

By ETV Bharat Odisha Team

Published : Nov 27, 2023, 7:20 AM IST

ଆରମ୍ଭ ହେଲା ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଏବଂ ମୁଖାନୃତ୍ୟ ପ୍ରଦର୍ଶନୀ।ଏଥିରେ ସାଉଥ୍ କୋରିଆରରୁ ୨୨ ଜଣ କଳାକାର ଅଂଶଗ୍ରହଣ କରିଛନ୍ତି । ଏହି ପ୍ରଦର୍ଶନୀ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢ଼ନ୍ତୁ

ରାଜ୍ୟ ସଂଗ୍ରହାଳୟର ଆରମ୍ଭ ଅନ୍ତର୍ଜାତୀୟ ଚିତ୍ରକଳା ଓ ମୁଖାନୃତ୍ୟ ପ୍ରଦର୍ଶନୀ
ରାଜ୍ୟ ସଂଗ୍ରହାଳୟର ଆରମ୍ଭ ଅନ୍ତର୍ଜାତୀୟ ଚିତ୍ରକଳା ଓ ମୁଖାନୃତ୍ୟ ପ୍ରଦର୍ଶନୀ

ଭୁୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ଓ ମୁଖାନୃତ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଦୁର ଦକ୍ଷିଣ କୋରିଆରୁ ଆସିଥିବା ଚିତ୍ରଶିଳ୍ପୀମାନେ ନିଜର ନିଖୁଣ କଳା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଚିତ୍ରଶିଳ୍ପୀମାନଙ୍କର ପ୍ରାୟ ୧୫୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ଚିତ୍ରକଳା ପ୍ରଦର୍ଶନୀରେ ଦକ୍ଷିଣ କୋରିଆର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥିସହ ୨୨ ଜଣ କୋରିଆନ୍ ମୁଖାନୃତ୍ୟ ଶିଳ୍ପୀ ଓ ଓଡ଼ିଶାର ମୁଖାଶିଳ୍ପୀମାନେ ସେମାନଙ୍କର ସମୂହ ନୃତ୍ୟ ସଂଗ୍ରହାଳୟର ଉଦ୍ୟାନରେ ପ୍ରଦର୍ଶନ କରିଛନ୍ତି ।

ଏହା ଦ୍ଵାରା ପାରସ୍ପରିକ ସଦ୍‌ଭାବ ବଢ଼ିବା ସହ ଉଭୟ ଦେଶ ପରସ୍ପରର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଅବଗତ ହୋଇପାରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାୟ, ସ୍ଵତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ଦକ୍ଷିଣ କୋରିଆର ଅନନ୍ୟ ଲୋକକଳାକୁ ନେଇ ଜୀବନ୍ତ ହୋଇ ଉଠିଥିବା ଚିତ୍ରକଳାଗୁଡ଼ିକୁ ଦେଖି ଅତିଥି ଏବଂ ଦର୍ଶକମାନେ ବିଭୋର ହୋଇଥିଲେ । ଶିଳ୍ପୀମାନଙ୍କର ଶୈଳ୍ପିକ ନୈପୁଣ୍ୟ ଦକ୍ଷିଣ କୋରିଆର ଲୋକକଳାକୁ ଉଜ୍ଜୀବିତ କରୁଛି । ୨୨ ଜଣ ନୃତ୍ୟଶିଳ୍ପୀ କୋରିଆରୁ ଆସି ନୃତ୍ୟ ପ୍ରଦର୍ଶନ କରିବା ଅବସରରେ ଓଡ଼ିଶାର ମୁଖା ନୃତ୍ୟଶିଳ୍ପୀମାନଙ୍କୁ ସମୂହ ନୃତ୍ୟ ପାଇଁ ନିମନ୍ତ୍ରଣ କରାଯାଇଥିଲା । ପୁରୀର ସାହିନୃତ୍ୟ, ଭଞ୍ଜନଗରର ପଶୁନୃତ୍ୟ ସେମାନଙ୍କ ସହ ତାଳଦେଇ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଉଦଘାଟିତ ମଞ୍ଚର ନାମ ‘ବର୍ଣ୍ଣାଳୀ’ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟିତ, ଯୋଗଦେଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀମାନେ ଶ୍ରୀଜଗନ୍ନାଥ ଅଷ୍ଟକମ୍‌ରେ ମଞ୍ଚ ବନ୍ଦନା କରିଥିଲେ । ଏକାସାଙ୍ଗରେ କୋରିଆନ୍ ଏବଂ ଓଡ଼ିଶାର ମୁଖାନୃତ୍ୟ ଗୋଟିଏ ଛନ୍ଦରେ ପ୍ରଦର୍ଶନ କରିବା ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହାକୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରତି ଶନିବାର ଓ ରବିବାର ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସନ୍ଧ୍ୟା ୬ଟା ‘ବର୍ଣ୍ଣାଳୀ’ ରଙ୍ଗମଞ୍ଚରେ ପରିବେଷିତ ହେବ । ଏହି କାର୍ଯ୍ୟକ୍ରମକୁ ସଂଗ୍ରହାଳୟର ଅଧ୍ୟକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପରିଚାଳନା କରିଥିଲେ ଏବଂ ସଂଗ୍ରହାଳୟ ଅଧ୍ୟକ୍ଷା ଡ.ଭାରତୀ ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଅତସୀ ଦାସ, ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳସଚିବ ଅନାମିକା ଅଧ୍ୟାକାରୀ ଏବଂ ଅନ୍ୟମାନେ ଉପସ୍ଥିତ ।

ଇଟିଭି ଭାରତ, ଭୁୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.