ହକି ବିଶ୍ବକପ୍ ବେଳେ ମାତିଲେ ଲୁଟେରା, ପକେଟ୍‌ରୁ ନେଇଗଲେ ଟିକେଟ

author img

By

Published : Jan 25, 2023, 7:51 AM IST

ହକି ବିଶ୍ବକପ୍ ବେଳେ ପକେଟମାର

ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମକୁ ଆସିଥିବା କିଛି ଦର୍ଶକ ପକେଟମାରର ଶିକାର ହୋଇଛନ୍ତି । ଲୁଟେରା ପକେଟମାର କରି ସେମାନଙ୍କ ପକେଟରୁ ଟିକେଟ ନେଇ ଯିବାରୁ ସେମାନେ ଖେଳ ଦେଖି ନପାରି ନିରାଶ ହୋଇ ଫେରିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ହକି ବିଶ୍ବକପ ମ୍ୟାଚ ଦେଖିବା ଆଶାରେ ଆସିଥିଲେ କିଛି ଦର୍ଶକ ‌। ହେଲେ ନିରାଶ କଲେ ଚୋର । ଅଧାରେ ରହିଲା ମ୍ୟାଚ ଦେଖିବା ସ୍ବପ୍ନ । ଶେଷରେ ଖରାପ ଅନୁଭୁତି ନେଇ ଫେରିଲେ ୧୦ ଜଣ ଦର୍ଶକ । ହକି ମ୍ୟାଚ ଦେଖିବାକୁ ଆସିଥିବା ଯୁବକ ଓ ତାଙ୍କ ସାଥୀଙ୍କ ସହ କଳିଙ୍ଗ ଷ୍ଟାଡିୟମରେ ଘଟିଥିଲା ଏଭଳି ଘଟଣା । ମୁହଁରେ ଭାରତ ପତାକା ରଙ୍ଗ କରି ସେଲଫି ନେବା ବେଳେ ହଠାତ୍ ତାଙ୍କ ପଛ ପଟରୁ ହକି ଟିକେଟ ପକେଟମାର ହୋଇଯାଇଥିଲା ।

ଅଭିଯୋଗ ଅନୁସାରେ ହକି ଟିକେଟ ସହ ଯୁବକ ଜଣକ ସେଲଫି ନେବାକୁ ଚାହିଁଲା ବେଳେ ଜାଣିବାକୁ ପାଇଲେ ପଛ ପକେଟରୁ ଚୋରି ହୋଇଯାଇଛି ଟିକେଟ । ତେବେ ରସୁଲଗଡ଼ର ଜଗଦିଶ ସାହୁ ନାମକ ଯୁବକ ଗେଟ୍ ୩ ପାଖରେ ଏପରି ପକେଟ୍ ମାର ଶିକାର ହେବା ପରେ ପାଖରେ ଡ୍ୟୁଟି କରୁଥିବା ପୋଲିସ ଇନସ୍ପେକ୍ଟରଙ୍କୁ ଜଣାଇଥିଲେ । ପରେ ପୋଲିସ ତୁରନ୍ତ କଣ୍ଟ୍ରୋଲରୁମକୁ ଜଣାଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଜଣା ପଡ଼ିଥିଲା ଯେ ଚୋରି‌ ହୋଇଥିବା ସ୍ଥାନରେ ସିସିଟିଭି ନାହିଁ । କିନ୍ତୁ ଦୂରରେ ଏକ ସିସିଟିଭି ରହିଛି ଯେଉଁଠିକୁ କ୍ୟାମେରାରେ ସଠିକ ଦୃଶ୍ୟମାନ ହେଉନାହିଁ । ପରେ ଏନେଇ ପୋଲିସ ସେହି ଟିକେଟର ସିରିଏଲ ନମ୍ବରକୁ ଆଧାରକରି ଷ୍ଟାଡିୟମର ସେହି ସିଟ୍‌ରେ ବସିଥିବା ଲୋକଙ୍କୁ ପଚରାଉଚରା କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ପରେ ସେହି ୧୦ ଜଣଙ୍କୁ ଟିକେଟ ଆଉ ମିଳିନଥିଲା । ୪୦୦ ଟଙ୍କିଆ ଇଷ୍ଟ ଜୋନର ୨୦୯ ଗେଟ୍‌ର Z ଓ M ଧାଡ଼ିର ଥିଲା ଟିକେଟ । ତେବେ ପକେଟ୍ ମାର ଶିକାର ହେବା ପରେ ଅସନ୍ତୋଷର ସହ ଫେରିଗଲେ ଦର୍ଶକ । ଯେହେତୁ ସେମାନେ ଏକ ସରକାରୀ ଅଫିସର କର୍ମଚାରୀ ଥିଲେ ତେଣୁ କ୍ୟାମେରା ଆଗରେ କିଛି କହିନଥିଲେ ।

ସୂଚନା ଅନୁସାରେ ଷ୍ଟାଡିୟମ ପାଖରେ ପ୍ରବଳ ଗହଳି ହେଉଛି । ଏହି ମୌକା ଦେଖି ଅନେକ ଲୋକଙ୍କ ପକେଟ୍ ମାର ହେଉଛି । ଖୁଲମଖୁଲା ଗହଳି ଭିତରେ ନିଜର ଲୁଟ ଅପରେସନ ଜାରି ରଖିଛନ୍ତି ଲୁଟେରା । ହକି ପାଇଁ ସେଫ୍ ସିଟି ଡ୍ରାଇଭ୍ ଜାରି‌ ରହିଥିଲେ ମଧ୍ୟ ତାହା କିନ୍ତୁ କାମକୁ ଆସୁନାହିଁ । ଫଳରେ ଲୋକେ ଭଲ ଅନୁଭୂତି ବଦଳରେ ଖରାପ ଅନୁଭୂତି ନେଇ ଫେରୁଛନ୍ତି । ଖେଳକୁ ଛାଡି ଅନ୍ୟ ସମୟରେ ଯେପରି ଲୋକ ଲୁଟ୍ ଶିକାର ହୁଅନ୍ତି ସେପରି ମଧ୍ୟ ରିପୋର୍ଟ ହେଉଛି । ଏନେଇ ଗତ କିଛି ଦିନ ତଳେ ସମାନ ସେହି ଗେଟ୍ ନମ୍ବର ୩ରେ ଜଣେ ଟି ସାର୍ଟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ମୋବାଇଲ ଚୋରି ହୋଇଥିଲା । ଏନେଇ ପୋଲିସ ପାଖରେ ଖବର ପହଞ୍ଚିଲା ପରେ ଲୋକେ ଖରାପ ଅନୁଭୂତି ନପାଆନ୍ତୁ ଭାବି ପୋଲିସ ତୁରନ୍ତ ଟ୍ରାକ କରିଥିଲା । ପରେ ମୋବାଇଲ ଟି ପାଖରେ ଥିବା ଏକ ସ୍ଥାନରୁ ଜବତ ହୋଇଥିଲା । ହେଲେ ଲୁଟେରା ଧରା ପଡ଼ିନଥିଲା । ତେବେ ହକି ପାଇଁ ଏତେ ଆୟୋଜନ‌ ଚାଲିଥିବା ବେଳେ ସ୍ପେଶାଲ ସ୍କ୍ବାଡ, କ୍ୟୁଏଟି ଓ କ୍ରାଇମ୍ ୟୁନିଟର ଅଣ୍ଡରକଭର ଅଫିସର ଏବଂ ତାଙ୍କ ଟିମ୍ କାହିଁକି ଆଖି ଦୃଶିଆ କାର୍ଯ୍ୟ କରୁନାହାନ୍ତି, ସେନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.