ETV Bharat / state

ଚିନ୍ତା ବଢ଼ାଉଛି ନକଲି ଓ୍ବେବ୍‌ସାଇଟ୍‌, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ନାଁରେ ଲୁଟୁଛନ୍ତି ଠକ

author img

By

Published : Aug 2, 2023, 9:58 PM IST

ସାଇବର ଠକଙ୍କ ନିଶାନାରେ ସ୍କୁଲ ଓ କଲେଜ ଏବଂ ହୋଟେଲ । ନକଲି ୱେବସାଇଟ ଖୋଲି ଲୋକଙ୍କ ଠାରୁ ଲୁଟୁଛନ୍ତି ସାଇବର ଠକ । ଅଧିକ ପଢ଼ନ୍ତୁ

Fraudsters allegedly make fake website of school
ଚିନ୍ତା ବଢ଼ାଉଛି ନକଲି ଓ୍ବେବସାଇଟ

ଚିନ୍ତା ବଢ଼ାଉଛି ନକଲି ଓ୍ବେବସାଇଟ

ଭୁବନେଶ୍ବର: ସାଇବର ଠକଙ୍କ ନିଶାନାରେ ସ୍କୁଲ ଓ କଲେଜ । ନକଲି ଓ୍ବେବ୍‌ସାଇଟ୍‌ ଖୋଲି ଦେଉଛନ୍ତି ଚାକିରି ବିଜ୍ଞପ୍ତି । ଅବିକଳ ଓ୍ବେବ୍‌ସାଇଟ୍‌ ପେଜ୍‌ର ଡିଜାଇନ। ଯେକେହି ବି ଦେଖି ଧୋକା ଖାଇଯିବ । ମୋ ସ୍କୁଲ ନାଁ ଆଳରେ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି । ଅସଲି ଓ୍ବେବସାଇଟ moschool.in ଥିବା ବେଳେ ଠକ ତିଆରି କରିଛନ୍ତି ଅବିକଳ ନକଲି ଓ୍ବେବସାଇଟ । ଯେଉଁଥିରେ ଅଫିସ ଆସିଷ୍ଟାଣ୍ଟ, ପିଅନ, ଲ୍ୟାବ ଆସିଷ୍ଟାଣ୍ଟ ଭଳି ଡାଟା ଏଣ୍ଟ୍ରି ଅପରେଟର ଚାକିରି ପାଇଁ ବିଜ୍ଞପ୍ତି ଦିଆଯାଇଛି । ଏହି ନକଲି ୱେବସାଇଟ ତିଆରି କରି ଚାକିରି ପାଇ ଆଶାୟୀଙ୍କୁ ଠକୁଛନ୍ତି କିଛି ସାଇବର ଠକ । ଟ୍ବିନ ସିଟି ପୋଲିସ କମିଶନରଙ୍କୁ ଚିଠି ଲେଖି ଏଭଳି ଠକେଇ ସମ୍ପର୍କରେ ଗଣଶିକ୍ଷା ବିଭାଗ ଅବଗତ କରିବା ପରେ ସାମ୍ନାକୁ ଆସିଛି ରୋଚକ ତଥ୍ୟ ।

ବିଭାଗର ସଚିବ ଅଶ୍ଵଥି ଏସ ଏନେଇ ଏକ ଚିଠି ଜରିଆରେ ଜଣାଇବା ପରେ ଏନେଇ କମିଶନରେଟ ପୋଲିସ ଆକ୍ସନ ନେଇଛି । ନକଲି ୱେବସାଇଟ ତିଆରି ଅଭିଯୋଗରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ଗୋଟିଏ ନୁହେଁ ବିଭିନ୍ନ କ୍ଷେତ୍ରରେ ନକଲି ଓ୍ବେବ୍‌ସାଇଟ୍‌ ଖୋଲି ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲୁଟୁଛନ୍ତି । ଓଡ଼ିଶା ପର୍ଯ୍ୟଟନ ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିିଛି । ବିଭିନ୍ନ ପର୍ଯଟନ ସ୍ଥଳୀକୁ ଆସିବାକୁ ହୋଟେଲ ବା ଗେଷ୍ଟ୍‌ ହାଉସ୍‌ ଆବଶ୍ୟକତା ଦୃଷ୍ଟିରୁ ଲୋକେ ଆଗୁଆ ବୁକିଂ ପାଇଁ ହୋଟେଲର ଓ୍ବେବ୍‌ସାଇଟ୍‌ର ସହାୟତା ନେଇଥାଆନ୍ତି । ହେଲେ ଏହାର ଫାଇଦା ନେଉଛନ୍ତି ସାଇବର ଠକ । ହୋଟେଲ ଓ ଗେଷ୍ଟ୍‌ ହାଉସ୍‌ ନାଁରେ ନକଲି ଓ୍ବେବ୍‌ସାଇଟ୍‌ ଖୋଲି ସେହି ସବୁ ସାଇଟରେ ଆକର୍ଷଣୀୟ ହୋଟେଲ ରୁମ୍‌ ଓ ଟଙ୍କା କମ ଦେଖାଇ ବୁକିଂ ଆବେଦନ ରଖୁଛନ୍ତି । ଲୋକେ ମଧ୍ୟ ଆକୃଷ୍ଟ ହୋଇ ଉକ୍ତ ୱେବ୍‌ସାଇଟ୍‌ରେ ଟଙ୍କା ଦେଇ ଆଗୁଆ ବୁକିଂ କରି ଦିଅନ୍ତି । ହେଲେ ପର୍ଯ୍ୟଟନସ୍ଥଳୀରେ ପହଞ୍ଚିବା ପରେ ସେଠି ଅନଲାଇନରେ ବୁକିଂ ନେଇଥିବା କିଛି ହୋଟେଲ ବା ଗେଷ୍ଟ ହାଉସ ନଥିବା ମଧ୍ୟ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ: ବଢୁଛି ସାଇବର କ୍ରାଇମ, ବରିଷ୍ଠ ନାଗରିକ କିପରି ରହିବେ ସତର୍କ ? ସଚେତନ କଲେ କଟକ ଡିସିପି

ଏନେଇ କିଛି ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୁରୀରୁ ଏପରି ଏକ ଅଭିଯୋଗ ଆସିବା ପରେ ଏନେଇ ହୋଟେଲ ମାଲିକ ସଂଘ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ଏକ ବୈଠକ କରିଛନ୍ତି । ଏଭଳି ଅଭିଯୋଗ ଆସିଲେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌କୁ ଜଣାଇ କିପରି ତୁରନ୍ତ ସେଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ସେନେଇ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସାଇବର ବଶେଷଜ୍ଞ କହିଛନ୍ତି,"ଠକାମି ପାଇଁ ସାଇବର ଠକ ଏବେ ନୂଆନୂଆ ପନ୍ଥା ଆପଣାଉଛନ୍ତି । ତେଣୁ ଯେଉଁ ବି ଓ୍ବେବ୍‌ସାଇଟ୍‌ ଜନସାଧାରଣ ବ୍ୟବହାର ଚାହୁଁଛନ୍ତି ଏହାର ଡିଟେଲ ଚେକ୍ କରନ୍ତୁ । ପ୍ରାୟତଃ ନକଲି ଓ୍ବେବ୍‌ସାଇଟ୍‌ଗୁଡ଼ିକ ଖୁବ କମ ଦିନରେ ତିଆରି ହୋଇଥାଏ । ଯୋଗାଯୋଗ ନମ୍ବର ଏବଂ ସଠିକ ଦିଆଯାଇନଥାଏ ।" ତେଣୁ ଏପରି ସାଇବର ଠକଙ୍କ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.