ETV Bharat / state

୨୭ରେ ଲଘୁଚାପ: ଭିଜିବ ଦକ୍ଷିଣ ଓଡ଼ିଶା, ଉପକୂଳରେ ଶୁଖିଲା ରହିବ ପାଗ !

author img

By ETV Bharat Odisha Team

Published : Nov 26, 2023, 6:13 PM IST

ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପର କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Weather update
ପାଣିପାଗ ଖବର

ପାଣିପାଗ ଖବର

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟଟି ସୃଷ୍ଟି ହୋଇଥିବାବେଳେ ବାୟୁମଣ୍ଡଳର ୫.୮ କିଲୋମିଟର ଯାଏ ବ୍ୟାପିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପର କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୯ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବ । ଏହାସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ । ହେଲେ ଏହା ଲଘୁଚାପରେ ପରିଣତ ହେବା ପରେ ଅର୍ଥାତ୍ ୨୮ ତାରିଖ ବେଳକୁ ମାଲକାନଗିରି , ନବରଙ୍ଗପୁର, କୋରାପୁଟ,ରାୟଗଡା, ଗଜପତି, କଳାହାଣ୍ଡି, ନୂଆପଡା ଏହି ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବାଳି ତରଙ୍ଗାୟିତ ବାୟୁ ଓ ପଶ୍ଚିମ ଝଡ ପ୍ରଭାବରେ ଗୋଟିଏ ଦୁଇଟି ସ୍ଥାନରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ ରାୟଗଡାରରେ ସର୍ବାଧିକ ୧୧. ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଖୋର୍ଦ୍ଧା ଓ ପାରଳାଖେମୁଣ୍ଡିରେ ସର୍ବାଧିକ ୩୨.୨ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା କେନ୍ଦୁଝରରେ ରେକର୍ଡ କରାଯାଇଛି । ଯାହାକି ୧୨.୪ ଡିଗ୍ରୀ ହୋଇଥିବା ଜଣାପଡିଛି ।

ଏହା ବି ପଢନ୍ତୁ...୨୬ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ମାଲକାନଗିରିରେ ବର୍ଷା, ୨୮ରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା

ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରରେ ଆଗ ପଛ ହୋଇ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ସମ୍ଭାବ୍ୟ ପ୍ରଥମ ଲଘୁଚାପଟି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଏହା ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ମୁହାଁଇବା ସମ୍ଭାବନା ଅଛି । ଡିସେମ୍ବର ପ୍ରଥମ ସପ୍ତାହବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ସମ୍ଭାବ୍ୟ ଦୁଇ ଲଘୁଚାପର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବାର ନାହିଁ । ତଥାପି ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଅଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.