ETV Bharat / state

ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ: ପୂର୍ବତନ ବିଧାୟକ-ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁହାଁମୁହିଁ

author img

By

Published : Dec 1, 2022, 9:00 AM IST

ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବୟାନ ପରେ ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ । ରଘୁନାଥ ବିଜେପି ସହିତ ସାଲିସ୍ କରି ବିଜେଡି ବିରୋଧରେ କାର୍ଯ୍ୟ କରୁଛନ୍ତି ଅଭିଯୋଗ କଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ଅଧିକ ପଢନ୍ତୁ

ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ: ପୂର୍ବତନ ବିଧାୟକ-ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁହାଁମୁହିଁ
ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ: ପୂର୍ବତନ ବିଧାୟକ-ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁହାଁମୁହିଁ

ଖୋର୍ଦ୍ଧା: ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉନାହିଁ । ପୂର୍ବତନ BJD ବିଧାୟକ ରଘୁନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦଳର କିଛି କର୍ମୀ ଏବଂ ବିଜେଡ଼ିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା । ତେବେ ରଘୁନାଥଙ୍କ ଏହି ଦୁର୍ନୀତି ଅଭିଯୋଗ ପରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ବାଲୁଗାଁରେ ଏକ ଶୋଭାଯାତ୍ରା କରାଯାଇଥିଲା(disturbance in Chilika BJD) । ଯେଉଁଥିରେ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଥିଲା । ପୂର୍ବତନ ବିଧାୟକ ବିଜେପି ସହିତ ସାଲିସ୍ କରି ବିଜେଡ଼ି ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଶୋଭାଯାତ୍ରାରେ ଉପସ୍ଥିତ କର୍ମୀମାନେ ଅଭିଯୋଗ କରିଥିଲେ ।

ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ: ପୂର୍ବତନ ବିଧାୟକ-ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁହାଁମୁହିଁ

ଗୋପୀନାଥ ମହାରଣା ମଧ୍ୟ ରଘୁନାଥ ସାହୁଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଥିଲେ । ଗୋପୀନାଥ କହିଥିଲେ ଯେ, ରଘୁନାଥ ସାହୁ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି ଏବଂ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି । ଅନୁରୂପ ଭାବେ ତାଙ୍କ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେବେ, ତେବେ ଲଣ୍ଡା ହୋଇ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଗୋପୀନାଥ ଘୋଷଣା କରିଛନ୍ତି । ତେବେ ଏହି ପ୍ରତିବାଦ ସଭାର କିଛି ଘଣ୍ଟା ନପୁରୁଣୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ପୁଣିଥରେ ଏକ କର୍ମୀ ସମ୍ମିଳନୀ କରି ଚିଲିକା ବିଧାୟକ ଏବଂ ଅନ୍ୟ କିଛି ନେତାଙ୍କୁ ଆକ୍ରମଣ କରିଥିଲେ । ଗତକାଲି ତାଙ୍କ ବିରୋଧରେ ହୋଇଥିବା ଶୋଭାଯାତ୍ରା କେବଳ ଠିକାଦାରମାନେ କରିଥିଲେ ବୋଲି ରଘୁନାଥ କହିଥିଲେ । ନିଜକୁ ଦୁର୍ନୀତି ଅଭିଯୋଗରୁ ରକ୍ଷା କରିବା ପାଇଁ ଏହି ସବୁ ଠିକାଦାରମାନେ ବିଜେଡ଼ି କର୍ମୀ ନାମରେ ଏକତ୍ରିତ ହୋଇ ପ୍ରତିବାଦ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ପୂର୍ବତନ ବିଧାୟକ

ଚିଲିକାରୁ ଦୁର୍ନୀତି ହଟାଇବା ତାଙ୍କ ଉଦ୍ଦେଶ୍ୟ ଏବଂ ସେ ଏହା ବିରୋଧରେ ସ୍ଵର ଉତ୍ତୋଳନ କରିବେ ବୋଲି ପୂର୍ବତନ ବିଧାୟକ କହିଥିଲେ । ସେହିଭଳି ଚିଲିକାରେ ବିଜେଡ଼ି ପୁଣିଥରେ ବିଜୟ ଲାଭ କରିବ ଏବଂ ଆଗାମୀ ନିର୍ବାଚନରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ସେ ଆଶା ରଖିଛନ୍ତି । ତେବେ ଚିଲିକା ବିଜେଡ଼ିର ଏଭଳି କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ସହିତ ୮୦ ପ୍ରତିଶତ କର୍ମୀଙ୍କ ସମର୍ଥନ ରହିଥିବା ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁ ଦାବି କରୁଥିବା ବେଳେ ସେପଟେ ଅନ୍ୟ ଏକ ଗ୍ରୁପ ରଘୁନାଥଙ୍କୁ ବିଜେଡ଼ି ବିରୋଧୀ ବୋଲି କହୁଛନ୍ତି । ତେଣୁ ଏହା ଭିତରେ ଚିଲିକା ବିଜେଡ଼ିରେ ଏଭଳି ପରିସ୍ଥିତିକୁ ଦେଖି ଅନ୍ୟ କିଛି ପୁରୁଖା କର୍ମୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଯଦି ବିଜେଡ଼ିରେ ଏଭଳି ଅନ୍ତଃକନ୍ଦଳ ଲାଗିରହିବ, ତେବେ ଆଗାମୀ ନିର୍ବାଚନରେ ବିରୋଧୀଦଳର ପ୍ରାର୍ଥୀଙ୍କୁ ଫାଇଦା ହେବ ବୋଲି କର୍ମୀ ଆଶଙ୍କା ପ୍ରକଟ କରିଛନ୍ତି । ତେଣୁ ଏହା ଉପରେ ଦଳର ଶୀର୍ଷ ନେତୃତ୍ଵ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରାଯାଉ ବୋଲି ଅନେକ କର୍ମୀ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.