ETV Bharat / state

ନିଜର ସ୍ଥିତି ବଞ୍ଚାଇବାକୁ ବିବେକ ଜଳାଞ୍ଜଳି ଦେଲେ ନବୀନ: କଂଗ୍ରେସ

author img

By

Published : Aug 2, 2023, 8:40 PM IST

ସଂସଦରେ ଦିଲ୍ଲୀ ଅଧ୍ୟାଦେଶକୁ ବିଜେଡିର ସମର୍ଥନ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧକୁ ସମାଲୋଚନା କରିଛି କଂଗ୍ରେସ । ଉଭୟ ଦଳର ନୀତି ଏକ ଓ ଏବେ ମଧ୍ୟ ଉଭୟ ଦଳ ମେଣ୍ଟରେ ରହିଥିବା ଅଭିଯୋଗ ଆଣିଲା କଂଗ୍ରେସ । ଅଧିକ ପଢ଼ନ୍ତୁ

Etv BharatCongress Press Meet
Etv BharatCongress Press Meet

Congress Press Meet

ଭୁବନେଶ୍ବର: ମଣିପୁର ହିଂସା ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି । ଏହାରି ଭିତରେ ବିଜେପି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଗୁଡ଼ିକ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଛନ୍ତି । ସେପଟେ କେନ୍ଦ୍ର ସରକାର ଆଣିଥିବା ଦିଲ୍ଲୀ ଅଧ୍ୟାଦେଶକୁ ମଧ୍ୟ ସମସ୍ତ ବିରୋଧୀ ଦଳ ମିଳିତ ଭାବେ ବିରୋଧ କରିଛନ୍ତି । ତେବେ ଏହି ତମାମ ପ୍ରସଙ୍ଗରେ ସମସ୍ତଙ୍କ ନଜର ରହିଥିଲା ବିଜେଡି ଉପରେ । ହେଲେ ଏନେଇ ଏବେ ବିଜେଡି ତାର ଷ୍ଟାଣ୍ଡ ପରିଷ୍କାର କରିଛି । ସଂସଦରେ ବିଜେପିକୁ ନିଃସର୍ତ୍ତ ସମର୍ଥନ ଦେଇଛି ବିଜେଡି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ପ୍ରତିକ୍ରିୟା ପ୍ରାକଶ ପାଇଛି । ଏହି ପ୍ରସଙ୍ଗରେ ସାମ୍ବାଦିକ ସମିଳନୀ କରି ବିଜେଡି ଓ ବିଜେପି ମଧ୍ୟରେ ରହିଥିବା ବୁଝାମଣାକୁ ନେଇ ବର୍ଷିଛି କଂଗ୍ରେସ ।

'ଉଭୟ ଦଳର ନୀତି ଏକ': କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେଡି ଓ ବିଜେପି ଦଳ ଏକ ବୋଲି ଆଜି ପ୍ରମାଣିତ ହୋଇଯାଇଛି । ବିଜେଡି ସରକାର ମୋଦି ସରକାରଙ୍କୁ ସମର୍ଥନ ଓ ଇଣ୍ଡିଆ ବିରୋଧୀ ଦଳକୁ ବିରୋଧ କରିଛନ୍ତି । ଉଭୟଙ୍କର ଏକ ନୀତି । ସମସ୍ତ ବିଲ୍‌ରେ ବିଜେଡି ବିଜେପିକୁ ସମର୍ଥନ କରିଛି । ସେହିଭଳି ବିଜେପି ମଧ୍ୟ ବିଜେଡିକୁ ସହଯୋଗ କରୁଛି । ଚିଟ୍‌ଫଣ୍ଡ ମାମଲାରେ CBI ନୀରବ । ରାଜ୍ୟରେ ବର୍ତ୍ତମାନ ମଧ୍ୟ ମିଳିତ ସରକାର ଚାଲିଛି । ବିଜେପି ଦଳ ଆଉ ବିରୋଧୀ ଭାବରେ ନାହିଁ । କଂଗ୍ରେସ ଏବେ ବିରୋଧୀ ଦଳ । ଦୁର୍ନୀତିକୁ ନୀତିରେ ପରିଣତ କରି ଦେଲାଣି ବିଜେଡି । ମାଆଙ୍କୁ ସମ୍ମାନ କହୁଥିଲେ, ମଣିପୁର ଘଟଣାରେ ଉଭୟ ସରକାର ଚୁପ । ପାର୍ଲାମେଣ୍ଟରେ ପଦୁଟିଏ ବି କହିପାରିଲେ ନାହିଁ ପ୍ରଧାନମନ୍ତ୍ରୀ । ତେଣୁ ସାଧାରଣ ନିର୍ବାଚନ ପାଇଁ ଜନତାଙ୍କର ଗୋଟିଏ ବିକଳ୍ପ ହେଉଛି କଂଗ୍ରେସ ।" ଉଭୟ ସରକାରକୁ ବରଖାସ୍ତ କରି କଂଗ୍ରେସ ଦଳକୁ ସେବା କରିବାର ସୁଯୋଗ ଦିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଓ ବିଜେପି ଆଉ ପ୍ରତିଦ୍ବନ୍ଦ୍ବୀ ହୋଇ ନାହାନ୍ତି: ବିଜୟ

'ନବୀନ ବାବୁଙ୍କର ବିବେକ ନାହିଁ': ସେପଟେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "କେନ୍ଦ୍ରରେ ଦିଲ୍ଲୀ ବିଲରେ ବିଜେପି ସରକାରଙ୍କୁ ସମର୍ଥନ ଦେଇଛି ବିଜେଡି । ଏଥିରେ ବିସ୍ମିତ ହେବାର କିଛି ନାହିଁ । ଏହି ବିଲ ନିର୍ବାଚିତ ସରକାରର କ୍ଷମତାକୁ କ୍ଷୀଣ କରିବା ପାଇଁ ଅଣାଯାଇଛି । ଏହାକୁ ବିଜେଡି ସମର୍ଥନ କରୁଛି । ଏହାର ଅର୍ଥ ନିର୍ବାଚିତ ବ୍ୟକ୍ତିଙ୍କୁ ସମ୍ମାନ ଦେବାକଥା ନବୀନ ବାବୁ ମଧ୍ୟ ଜାଣିନାହାନ୍ତି । ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିମାନଙ୍କର ଅବସ୍ଥା କେମିତି ଅଛି ସମସ୍ତେ ଜାଣନ୍ତି । ଅନ୍ୟପଟେ ମଣିପୁର ପ୍ରସଙ୍ଗରେ ମଧ୍ୟ ବିଜେପିକୁ ବିଜେଡି ସମର୍ଥନ ଦେଉଛି । ନବୀନ ବାବୁଙ୍କର ବିବେକ ନାହିଁ । କେଉଁ ଆଦର୍ଶ ନେଇ ତାଙ୍କୁ ସମର୍ଥନ କରୁଛନ୍ତି ରାଜ୍ୟ ସରକାର ? CBI ଭୟରେ ଏଭଳି କରୁଛି ବିଜେଡି । ଓଡିଶାବାସୀ ପ୍ରଶ୍ନ କରିବା ଦରକାର, ନବୀନ ବାବୁ କେମିତି ତାଙ୍କର ବିବେକକୁ ଜଳାଞ୍ଜଳି ଦେଲେ ?"

ଏହା ମଧ୍ୟ ପଢ଼ନ୍ତୁ...LokSabha: NDA ପାଇଁ ଇଣ୍ଡିଆ ମେଣ୍ଟ ବିରୋଧରେ ଲଢିଲା BJD !

'ଏଇଟା କିଭଳି ସମଦୂରତା ?': ସେପଟେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଓଡ଼ିଶାର ସ୍ବାର୍ଥ ପାଇଁ ରାଜ୍ୟ ସରକାର ସର୍ବଦା କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ ସମର୍ଥନ ଦେବା କଥା କହୁଛନ୍ତି । କିନ୍ତୁ ଏହି ସମର୍ଥନ ଫଳରେ ରାଜ୍ୟର କେଉଁ ସ୍ବାର୍ଥ ସାଧନ ହେଲା ? ରାଜ୍ୟକୁ ସ୍ବତନ୍ତ୍ର ପ୍ୟାକେଜ୍‌ ଦେବା କଥା ସରକାର ଦାବି କରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଶୁଣୁନାହାନ୍ତି । ସମସ୍ତ କେନ୍ଦ୍ରୀୟ ଅନୁଦାନକୁ ମଧ୍ୟ କମେଇ ସାରିଲେଣି କେନ୍ଦ୍ର ସରକାର ।" ସେହିଭଳି କଂଗ୍ରେସ ମୁଖପାତ୍ର ଗଣେଶ୍ବର ବେହେରା କହିଛନ୍ତି, "ସରକାର ସର୍ବଦା ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛନ୍ତି ବୋଲି କହିଆସୁଛନ୍ତି । କିନ୍ତୁ ଏଇଟା କିଭଳି ସମଦୂରତା ? ସାଂସଦରେ ଯେଉଁ ବିଲ୍‌ ଆଣିଲେ ବିଜେପି ପଛରେ ବିଜେଡି ରହିଛି । ରାଜନୈତିକ ସ୍ବାର୍ଥ ପାଇଁ ବିଜେଡି ବିଜେପିକୁ ସମର୍ଥନ ଦେଲା ।" ହେଲେ ରାଜ୍ୟର କଣ ଲାଭ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.