ETV Bharat / state

ମେକ୍‌ ଇନ୍‌ ଓଡ଼ିଶାକୁ ନେଇ ବିଜୟଙ୍କ ପ୍ରଶ୍ନବାଣ, କେତେ ବିଦେଶୀ ନିବେଶକ ଓଡିଶା ଆସିଛନ୍ତି ?

author img

By

Published : Apr 4, 2023, 9:49 PM IST

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ସୂଚନା ଅଧିକାର ଆଇନ ଆଧାରରେ ମିଳିଥିବା ସୂଚନା ଅନୁଯାୟୀ ମେକ୍‌ ଇନ୍‌ ଓଡ଼ିଶାକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ପ୍ରଶ୍ନବାଣ । ଅଧିକ ପଢ଼ନ୍ତୁ

ମେକ୍‌ ଇନ୍‌ ଓଡ଼ିଶାକୁ ନେଇ ବିଜୟଙ୍କ ପ୍ରଶ୍ନବାଣ
ମେକ୍‌ ଇନ୍‌ ଓଡ଼ିଶାକୁ ନେଇ ବିଜୟଙ୍କ ପ୍ରଶ୍ନବାଣ

ମେକ୍‌ ଇନ୍‌ ଓଡ଼ିଶାକୁ ନେଇ ବିଜୟଙ୍କ ପ୍ରଶ୍ନବାଣ

ଭୁବନେଶ୍ବର: ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି(ବୁଧବାର) ଟୋକିଓରେ ଓଡିଶା ବିଜନେସ ମିଟ୍‌କୁ ସମ୍ବୋଧନ କରିବା ସହ ଅନେକ ପୁଞ୍ଜିପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଜାପାନ ପୁଞ୍ଜିପତିମାନଙ୍କୁ ଓଡିଶାରେ ଅର୍ଥ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ସୂଚନା ଅଧିକାର ଆଇନ ଆଧାରରେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜୟ । ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ୍‌ ଓ ଦୁବାଇରେ ବୈଠକ କରିଆସୁଛନ୍ତି । ତେବେ ଏବେ ପର୍ଯ୍ୟନ୍ତ କେତେ ବିଦେଶୀ ନିବେଶକ ଓଡିଶାକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଆରଟିଆଇ ତଥ୍ୟ ଅନୁସାରେ ୨୦୧୬ ମସିହା ଠାରୁ ୨୦୨୨ ମଧ୍ୟରେ କେବଳ ୫ ବିଦେଶୀ ନିବେଶକ ଓଡିଶାରେ ଶିଳ୍ପ ସ୍ଥାପନ କରିବାକୁ ଆସିଛନ୍ତି । ଯାହାର ମୁଲ୍ୟ ୧୩୬୮.୫୪ କୋଟି ଟଙ୍କା । ତେବେ ଏତେ ମହଙ୍ଗା ବିଦେଶ ଗସ୍ତ କାହିଁକି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେହିଭଳି ୨୦୧୬ ମସିହାରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୧୮ ମସିହାରେ ରାଜ୍ୟ ସରକାର ୩୪.୫୧ କୋଟି ଟଙ୍କା ଖର୍ଚ୍ଚ କରି ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ କରିଥିଲେ । ତେବେ ୨୦୨୨ ମସିହାରେ ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ କେତେ ଜଣ ଓଡ଼ିଆ ସଭା ମଞ୍ଚରେ ବସିଥିଲେ ବୋଲି ପଚାରିଛନ୍ତି ବିଜୟ ପଟ୍ଟନାୟକ ।

ସେହିଭଳି ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇକୁ ଆକର୍ଷିତ କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି ବୋଲି ପଚାରିଛନ୍ତି ବିଜୟ । ସେହିଭଳି ସେ ପଚାରିଛନ୍ତି, "ଓଡ଼ିଶାରେ ଡାଉନ୍‌ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି ? ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ଡାଉନ୍‌ଷ୍ଟିମ୍ ଶିଳ୍ପ ମଧ୍ୟରୁ କେତୋଟି ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି ? ଓଡ଼ିଶାରେ କେତୋଟି ଏମ୍‌ଏସ୍‌ଏମ୍‌ଇ ଓଡ଼ିଶାରେ ଥିବା ପ୍ରମୁଖ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି ? ଏହାର ମୂଲ୍ୟ କେତେ ? ଏହିସବୁ ଏମ୍‌ଏସ୍‌ଏମ୍‌ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ? ସରକାର ଏମ୍‌ଏସ୍‌ଏମ୍‌ଇର ବହୁବିଧ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି ? ଯଥା ସେମାନଙ୍କର ଜମି ସମସ୍ୟା, ମାର୍କେଟିଂ ସମସ୍ୟା ଇତ୍ୟାଦି । ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟ ଅପ୍‌ରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି ?" ଏଭଳି ୧୦ଟି ପ୍ରଶ୍ନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପଚାରିଛନ୍ତି ବିଜୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.