ETV Bharat / state

ଡ୍ରାମା ବନ୍ଦ କରନ୍ତୁ, ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ସଚିବ: ବିଜୟ ପଟ୍ଟନାୟକ

author img

By

Published : Aug 20, 2023, 4:26 PM IST

5T ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ଘଟଣା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । 5T ସଚିବ ଡ୍ରାମା ବନ୍ଦ କରନ୍ତୁ ଓ ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ସଚିବ କହିଲେ ବିଜୟ
ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ସଚିବ କହିଲେ ବିଜୟ

ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ସଚିବ କହିଲେ ବିଜୟ

ଭୁବନେଶ୍ବର: ସତ୍ୟବାଦୀରେ 5T ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ଘଟଣା ପରେ ଜୋର ଧରିଛି ରାଜନୀତି । ଏହି ଘଟଣାରେ ବିଜେଡି ସିଧାସଳଖ ବିଜେପିକୁ ଦାୟୀ କରିଛି । ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ଶାସକ ଦଳ । ସେପଟେ କିନ୍ତୁ କଂଗ୍ରେସ ଏହାକୁ ଶାସକ ଦଳର ପ୍ରାୟୋଜିତ ଘଟଣା ବୋଲି କହିଛି । ସେ ଜଣେ ସରକାରୀ କର୍ମଚାରୀ । ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ । ସୀମା ଉଲ୍ଲଙ୍ଘନ ନକରନ୍ତୁ ବା କ୍ଷମତାର ଅପବ୍ୟବହାର ନକରନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ବିଜୟ କହିଛନ୍ତି, "କାଳିମାଡ଼ ଘଟଣାରେ ମୁଁ କମେଣ୍ଟ କରିବା ଠିକ ହେବନାହିଁ । ସେ ଜଣେ ସରକାରୀ କର୍ମଚାରୀ । ତାଙ୍କୁ ସାଧାରଣ ଲୋକ ଯାହା କଲେ ସେଇଟା ରାଜନୀତି ଚର୍ଚ୍ଚା ଭିତରକୁ ଆସିବା କଥା ନୁହେଁ । ମୁଁ ମଧ୍ୟ ଜଣେ IAS ଅଫିସର ଥିଲି ଏବଂ ସେ ଏବେ ଜଣେ ଆଇଏଏସ୍‌ ଅଫିସର । ତାଙ୍କ ସିନିୟର ହିସାବରେ, ଜଣେ ବଡ଼ ଭାଇ ହିସାବରେ ମୋର ତାଙ୍କୁ ପରାମର୍ଶ, ସେ ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ । ଯେଉଁ କାମ ତାଙ୍କୁ ଶୋଭା ପାଇବ ସେଇଟା କରନ୍ତୁ । ସୀମା ଉଲଙ୍ଘନ କରନ୍ତୁ ନାହିଁ । କ୍ଷମତାର ଅପବ୍ୟବହାର କରନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସେ କରୁଥିବା ରାଜନୈତିକ କାର୍ଯ୍ୟରୁ ବିରତ ରୁହନ୍ତୁ । 5T ସଚିବ ଯେଉଁଭଳି ଭାବରେ ସାରା ରାଜ୍ୟରେ ବୁଲୁଛନ୍ତି ଏହା ଗୋଟିଏ ଡ୍ରାମା । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଡ୍ରାମାରେ ସାମିଲ ଅଛନ୍ତି । ବିଭିନ୍ନ ସ୍ଥାନରୁ ପ୍ରାୟୋଜିତ ଭାବରେ ଲୋକମାନଙ୍କୁ ଆଣାଯାଉଛି । ଲୋକ ଆଣିବା ପାଇଁ ସରକାରୀ ବାବୁମାନଙ୍କୁ ଟାର୍ଗେଟ୍‌ ଦିଆଯାଉଛି । ଜନତାଙ୍କଠାରୁ ଯେଉଁ ଅଭିଯୋଗ ପତ୍ର ଗ୍ରହଣ କରାଯାଉଛି ତାହା ପ୍ରକୃତ ଅଭିଯୋଗ ପତ୍ର ନୁହେଁ । ମୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିଛି । ମୁଁ ଅନୁଭବ କରିଛି ଲୋକମାନଙ୍କର ଲକ୍ଷ ଲକ୍ଷ ଅଭିଯୋଗ ଗ୍ରହଣ କରିବାକୁ କେହି ନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...5T ସଚିବଙ୍କୁ କାଳିମାଡ଼ ଶାସକ ଦଳର ପ୍ରାୟୋଜିତ: କଂଗ୍ରେସ

ପ୍ରକାଶଯୋଗ୍ୟ, ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀରେ 5T ସଚିବଙ୍କ ଉପରକୁ କାଳିମାଡ଼ ହୋଇଥିଲା । କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ସଙ୍ଗେସଙ୍ଗେ ପୋଲିସ ଗିରଫ ମଧ୍ୟ କରିଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ବିକାଶମୂଳକ କାର୍ଯ୍ୟରେ ବାଧା ଉପୁଜାଇବା ପାଇଁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ବିଜେଡି ଅଭିଯୋଗ କରିଥିଲା । ବିଜେପି କିନ୍ତୁ ଏହି ଅଭିଯୋଗ ଖଣ୍ଡନ କରି ଏହା ବିଜେଡିରେ ଥିବା ଅନ୍ତଃକନ୍ଦଳର ପ୍ରତିଫଳନ ବୋଲି କହିଛି । ହେଲେ ଏହି ଘଟଣାର ପୂର୍ବଦିନ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ 5T ସଚିବ ଓ ରାଜ୍ୟ ସରକାର ଉପରେ ଆଣିଥିବା ଅଭିଯୋଗରୁ ନଜର ହଟାଇବା ପାଇଁ ଏହା ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ତେବେ ଆଜି 5T ସଚିବଙ୍କ ନିର୍ଦ୍ଦେଶକ୍ରମେ କାଳିମାଡ଼ କରିଥିବା ଭାସ୍କରଙ୍କୁ ପୋଲିସ ଛାଡ଼ି ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.