ETV Bharat / state

ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନିତୀ, କ୍ୟାବିନେଟ ପ୍ରସ୍ତାବକୁ ବିରୋଧୀଙ୍କ ଟାର୍ଗେଟ୍‌

author img

By ETV Bharat Odisha Team

Published : Dec 31, 2023, 10:26 PM IST

Puri Parikrama Project: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପକୁ ପ୍ରଚାର ପ୍ରସାର କରିବା ନେଇ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି ବିଜେଡି । ଅଧିକ ପଢ଼ନ୍ତୁ

ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନିତୀ
ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନିତୀ

ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନିତୀ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛି ବିଜେଡି । ଲୋକଙ୍କ ଭାବାବେଗ ସହ ଯୋଡି ହେବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରତ୍ୟେକ ପଞ୍ଚାୟତରେ ଲୋକଙ୍କ ପାଖକୁ ନିମନ୍ତ୍ରଣ ନେଇ ଯିବ ଶାସକ ଦଳ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ପ୍ରଚାର ପ୍ରସାର ପାଇଁ ରାଜ୍ୟ କ୍ୟାବିନେଟରେ ପାରିତ ପ୍ରାୟ ୨୦୦ କୋଟି ଟଙ୍କାର ବ୍ୟୟ ବରାଦକୁ ନେଇ ତେଜିଛି ରାଜନିତୀ । ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିରୋଧୀ । ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ଭାରତୀୟ ଜନତା ପାର୍ଟି ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କାମିଆ ଜାନି ପ୍ରସଙ୍ଗ ଏଡାଇବାକୁ ପରିକ୍ରମା ପ୍ରଚାର ପ୍ରସାର ହେଉଛି ଭେଳିକି । ୨୪ ବର୍ଷ ହେଲା ଜଗନ୍ନାଥ ମନ୍ଦିର କଥା ରାଜ୍ୟ ସରକାରଙ୍କର ମନେ ନଥିଲା । ରତ୍ନ ଭଣ୍ଡାର ବନ୍ଦ, ୩ ଦୁଆର ବନ୍ଦ, ଗୋମାଂସ ଭକ୍ଷଣକାରୀଙ୍କୁ ମନ୍ଦିରକୁ ପୁରେଇ କୋଟି ଜଗନ୍ନାଥ ପ୍ରେମୀଙ୍କୁ ଧୋକା ଦେଇ ଆସୁଛନ୍ତି ରାଜ୍ୟ ସରକାର । ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ କାମିଆ ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କ୍ଷମା ନମାଗିଲେ ରାଜ୍ୟବାସୀ କ୍ଷମା ଦେବେ ନାହିଁ । ଯେତେ ଗୁଆ, ନଡ଼ିଆ, ରଥ ପ୍ରଚାର କଲେ ମଧ୍ୟ ହିନ୍ଦୁ ମାନଙ୍କ ଭାବାବେଗରେ ଆଘାତ ଲାଗିଛି । ତେଣୁ ଏହାର ଭୋଟ ଉପରେ ପ୍ରଭାବ ପଡିବ ନାହିଁ ।"

ସେପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ଦଳର ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି, "ଜଗନ୍ନାଥ ମନ୍ଦିର, ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସମ୍ପତ୍ତି ଯଦି ବେଶୀ କ୍ଷତି ହୋଇଛି, ତାହେଲେ ବିଜେଡି ସରକାର ଅମଳରେ । ବ୍ରହ୍ମ ବିଭ୍ରାଟ, ଦାରୁ ବିଭ୍ରାଟ ହେଲା, କୋର୍ଟ ନିର୍ଦ୍ଦେଶ ଦେଲେ ରତ୍ନଭଣ୍ଡାର ଖୋଲିବା ପାଇଁ । ହେଲେ ଆଜି ପର୍ଯ୍ୟନ୍ତ ସରକାର ଶୁଣିଲେ ନାହିଁ । ପରିକ୍ରମା ପ୍ରକଳ୍ପ ନାଁରେ ହଜାର ହଜାର ପୁରୁଣା ମଠ ମନ୍ଦିର ଭାଙ୍ଗି ଶୌଚାଳୟ ନିର୍ମାଣ କରିଛନ୍ତି ସରକାର । ଯଦି ସରକାର ବାସ୍ତବରେ କିଛି କରିଥାଆନ୍ତେ, ପ୍ରଚାର ପ୍ରସାର କରିବାକୁ ପଡ଼ିନଥାନ୍ତା । ଲୋକେ ସେମାନଙ୍କ କଥା କହୁଥାନ୍ତେ । ଆଗାମୀ ଦିନରେ ଓଡିଶାବାସୀ ଉତ୍ତର ଦେବେ ।"

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ 5T ଅଧ୍ୟକ୍ଷ, କଂଗ୍ରେସ ବିରୋଧକୁ ବିଜେଡିର ସମାଲୋଚନା

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିରୋଧୀଙ୍କ ମନ୍ତବ୍ୟକୁ କଟାକ୍ଷ କରିଛି ବିଜେଡି । ବିଧାୟକ ଉମା ସାମନ୍ତରାୟ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆୟୋଜନ କରାଯିବ । ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର କରାଯିବ । ରାଜ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନହେଉ, ଉନ୍ନତି ନହେଉ ବୋଲି ବିରୋଧୀ ନିତିଗତ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯାଇଥିଲେ । କିନ୍ତୁ ପୁରୀକୁ ଐତିହାସିକ ସହର ଓ ଶ୍ରୀମନ୍ଦିରକୁ ବିଶ୍ଵ ସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଆଜି ସଫଳ ହୋଇଛି । ରାମ ମନ୍ଦିର ହେଉକି ଜଗନ୍ନାଥ ମନ୍ଦିର, ଉନ୍ନତିକୁ ସବୁବେଳେ ସମସ୍ତେ ସମର୍ଥନ କରିବା ଉଚିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.