ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡି଼ଶାର ସଫଳତା: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

author img

By

Published : Jan 19, 2023, 7:34 AM IST

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡି଼ଶାର ସଫଳତା

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା । ୧୯ ଜିଲ୍ଲାପାଳଙ୍କୁ ମିଳିବ ପ୍ଲାଟିନମ ପୁରସ୍କାର । ଅଧିକ ପଢନ୍ତୁ

ଭୁବନେଶ୍ବର: ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା । ଏହି କ୍ଷେତ୍ରରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ । ଦେଶର ୭୫ଟି ଚିହ୍ନିତ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଓଡିଶା ଲ୍ୟାଣ୍ଡ ରେକର୍ଡ୍ସ ମର୍ଡନାଇଜେସନ ସୋସାଇଟିର ଗଭର୍ଣ୍ଣିଂ ବଡି ବୈଠକରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ବୈଠକରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ''ଦେଶରେ DILRMP ଅନ୍ତର୍ଗତ ଛଅଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୭୫ଟି ଜିଲ୍ଲାକୁ ପ୍ଲାଟିନମ ପୁରସ୍କାର ନିମନ୍ତେ ଚୟନ କରାଯାଇଛି । ଏହାମଧ୍ୟରୁ ଓଡିଶାର ୧୯ଟି ଜିଲ୍ଲା ଅନ୍ତର୍ଭୁକ୍ତ ହେବା ଏକ ବଡ ସଫଳତା । ଏହି ଜିଲ୍ଲା ଗୁଡିକର ଜମିଜମା ରେକର୍ଡ କମ୍ପୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯ ପ୍ରତିଶତରୁ ଅଧିକ ରହିଛି । ଆଗାମୀ ଦିନରେ ଏହିସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ ।''

ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର । ବର୍ତ୍ତମାନ ହାଇଟେକ ସର୍ଭେ ପାଞ୍ଚୋଟି ଜିଲ୍ଲା ଦେବଗଡ, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଓ ସୁବର୍ଣ୍ଣପୁରରେ କାର୍ଯ୍ୟକାରୀ ହେଉଛି । ଦେବଗଡ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସୁନ୍ଦରଗଡ ଜିଲ୍ଲାରେ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଅତିରିକ୍ତ ଶାସନ ସଚିବ ସୂଚନା ଦେଇଛନ୍ତି । ହାଇଟେକ ସର୍ଭେକୁ ବାକିଥିବା ଜିଲ୍ଲାଗୁଡିକରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ଓରସାକ ଏକ ସବିଶେଷ ପ୍ରସ୍ତାବ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ପଠାଇବା ପରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ।

ଏହାସହିତ ଲାଇସେନ୍ସ ପ୍ରାପ୍ତ ସର୍ଭେୟରମାନଙ୍କୁ ସରକାରୀ ଓ ବେସରକାରୀ ପଲିଟେକନିକ କଲେଜ ସହ ଅନୁବନ୍ଧିତ କରାଯିବା ପରେ ଏକ ତିନି ମାସିଆ ତାଲିମ ପ୍ରଦାନ ବ୍ୟବସ୍ଥା କରାଯାଇ ସାର୍ଟିଫିକେଟ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ନିମନ୍ତେ ଧାର୍ଯ୍ୟ କାର୍ଯ୍ୟସୂଚୀକୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶଶଧର ନାୟକ ଉପସ୍ଥାପନ କରିଛନ୍ତି ।

ଗତଥର ଅନୁଷ୍ଠିତ ହୋଇଥିବା ବୈଠକରେ ସଭାର ନିଷ୍ପତ୍ତିଗୁଡିକ ଉପରେ ନିଆଯାଇଥିବା ପଦକ୍ଷେପ ସବୁକୁ ଗ୍ରହଣ କରଯାଇଛି । ଉକ୍ତ ବୈଠକରେ ବିଧି ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ଵର ମଲ୍ଲିକ, ଓରସାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ, ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ବିଏସଏନଲର ଡିଜିଏମ ଓ ଏନଆଇସିର ବରିଷ୍ଠ ପଦାଧିକାରୀ ଏବଂ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.