ETV Bharat / state

ରାଜ୍ୟରେ ତେଜୁଛି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ, ଏନଏଚଆରସିକୁ ଗଲା ମାମଲା

author img

By ETV Bharat Odisha Team

Published : Sep 16, 2023, 10:36 PM IST

୮ଦିନ ହେଲାଣି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ସେପଟେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଆନ୍ଧକାର ଆଡକୁ ଗତି କଲାଣି। ପିଲାଙ୍କ ଭବିଷ୍ୟତ ଓ ଶିକ୍ଷକ ମାନଙ୍କର ଦାବିକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର ଆୟୋଗରେ ମାମଲା ରୁଜୁ। ଅଧିକ ପଢ଼ନ୍ତୁ

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ
ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟରେ ତେଜୁଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ପ୍ରାୟ ୮ଦିନ ହେଲାଣି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ। ସେପଟେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଆନ୍ଧକାର ଆଡକୁ ଗତି କଲାଣି। ଏନେଇ ପିଲାଙ୍କ ଭବିଷ୍ୟତ ଓ ଶିକ୍ଷକ ମାନଙ୍କର ଦାବିକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ରେ ମାମଲା ରୁଜୁ ହୋଇଛି।

ରାଜ୍ୟ ସରକାରଙ୍କ ବିରୋଧରେ ତେଜୁଛି ସରକାରୀ କର୍ମଚାରୀଙ୍କ ସ୍ଵର। ପ୍ରଥମେ ଅମଲା, ପରେ ପିଇଓ ଆଉ ଏବେ ପ୍ରାଥମିକ ସ୍କୁଲ୍‌ ଶିକ୍ଷକ କରିଛନ୍ତି ଆନ୍ଦୋଳନ। ରାଜ୍ୟ ସରକାରଙ୍କ ନୀତିକୁ ଟାର୍ଗେଟ କରିବା ସହ ଦାବି ପୂରଣ ନହେଲେ ସ୍କୁଲ ଫେରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ। ସେପଟେ ଶିକ୍ଷକମାନଙ୍କ ସମସ୍ୟା ନଶୁଣିବାରୁ ରାଜ୍ୟରେ ଏବେ ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଶିକ୍ଷାଦାନ ବନ୍ଦ କରିଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନହେବାରୁ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠରେ ମଧ୍ୟ ବ୍ରେକ୍‌ ଲାଗିଛି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଡାକାରାରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ୮ମ ଦିନରେ ପହଞ୍ଚିଛି। ଶିକ୍ଷକମାନେ ତାଲା ବନ୍ଦ ଆନ୍ଦୋଳନ କରି ସମୂହ ଛୁଟିରେ ଆସିବା ଫଳରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାରର ଠପ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି, ଏପଟେ ଜିଦରେ ଅଟଳ ଶିକ୍ଷକ


ତେବେ ପ୍ରାଥମିକ ଶିକ୍ଷକମାନେ ସ୍କୁଲ ବନ୍ଦ କରି ଧାରଣାରେ ବସିବା କାରଣରୁ ରାଜ୍ୟରୁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କର ପାଠପଢା ବନ୍ଦ ହୋଇଛି। ଏହି ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ କେସ ଦାୟର କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।


ତେବେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଦାବି ମୁତାବକ, ସେମାନଙ୍କ ଗ୍ରେଡ଼ ପେ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ୨୦୧୭ ମସିହାରୁ ପୁରୁଣା ପେନସନ ଲାଗୁ କରିବା ଇତ୍ୟାଦି ରହିଛି। ଅନ୍ୟ ପଟେ ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗ ଓ ଶିକ୍ଷା ମନ୍ତ୍ରୀ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର କୌଣସି ଦାବି ପୂରଣ କରିବା ବଦଳରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଚିଠି କରି ନାଲି ଆଖି ଦେଖେଇଛନ୍ତି। ଏନେଇ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଆନ୍ଦୋଳନ ସାରା ରାଜ୍ୟରେ ତୀବ୍ର ହେବାରେ ଲାଗିଛି। ଏହି ଘଟଣାକୁ ସାରା ରାଜ୍ୟରୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହା ସହ ପ୍ରାଥମିକ ଶିକ୍ଷକମାନଙ୍କ ସହିତ ମଧ୍ୟ ଓଷ୍ଟା ସଂଘ ସମେତ ଅଭିଭାବକ ମହାସଂଘ ସମର୍ଥମ କରିବା ସହ ଅନେକ ସଂଘ ଓ ରାଜନୈତିକ ଦଳ ମଧ୍ୟ ଏହାକୁ ସମର୍ଥନ କରିଛି। ତେଣୁ ରାଜ୍ୟ ସରକାର ଘଟଣାରେ ହସ୍ତକ୍ଷେପ କରି ଶିକ୍ଷକମାନଙ୍କ ଦାବି ପୁରଣ କରିବା ପାଇଁ ଅନୁରୋଧ କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.