ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି, ଏପଟେ ଜିଦରେ ଅଟଳ ଶିକ୍ଷକ
ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି, ଏପଟେ ଜିଦରେ ଅଟଳ ଶିକ୍ଷକ
ଦାବି ପୂରଣ କରିବା ପରିବର୍ତ୍ତେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି । ଏପଟେ ଜିଦରେ ଅଟଳ ଶିକ୍ଷକ । ଅଧିକ ପଢନ୍ତୁ
ଭୁବନେଶ୍ବର: ଆନ୍ଦୋଳନରତ ଶିକ୍ଷକମାନଙ୍କ ବିରୋଧରେ ପ୍ରାଥମିକ ଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ । ସମସ୍ତ DEO ଓ BEOଙ୍କୁ ଚିଠି ଲେଖିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ । ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏପଟେ ପ୍ରଥମିକ ଶିକ୍ଷକମାନେ ନିଜ ଦାବିକୁ ନେଇ ଜିଦରେ ଅଟଳ ରହିଛନ୍ତି । ଏହାକୁ ନେଇ ଅଭିଭାବକ ମହାସଂଘ ଏବଂ ଓଷ୍ଟା ସମର୍ଥନ କରିଥିବା ଦେଖିବାକୁ ମିଳିଛି ।
ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ସ୍କୁଲରେ ପିଲାମାନଙ୍କ ପାଠପଢା ବନ୍ଦ ହୋଇପଡ଼ିଛି । ଦୀର୍ଘ ୬ ଦିନ ହେଲାଣି ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ । ପିଲାମାନେ କେବଳ ମଧ୍ୟାହ୍ନ ଭୋଜନ କରୁଛନ୍ତି ଆଉ ଘରକୁ ଫେରୁଛନ୍ତି । ନିଜର ଦାବିକୁ ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ପ୍ରାଥମିକ ଶିକ୍ଷକ ଏବେ ନିଜ ଜିଦରେ ଅଟଳ । ଏପଟେ ସମସ୍ତ ସ୍ଥାନରୁ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ।
ନିର୍ଦ୍ଦେଶରେ ରହିଛି ଯେ, ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି। ଏହା ସହ ବର୍ଷକୁ ୨୨୦ ଦିନ କାର୍ଯ୍ୟ ଦିବସ ପୂରଣ ନହେଲେ ପରବର୍ତ୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକମାନେ ଭରଣା କରିବେ ବୋଲି କୁହାଯାଇଛି । ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସବ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଜାରି ରଖିଛି । ଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଏନେଇ ଜଣେ ଆନ୍ଦୋଳନରତ ଶିକ୍ଷକ କହିଛନ୍ତି, "ଦାବି ସମାଧାନର ବିକଳ୍ପ କେବେ ହେଲେ ନାଲି ଆଖି ନୁହେଁ । ଏହି ଦାବି ଏବେକାର ନୁହେଁ ଏହି ଦାବି ବହୁ ପୁରୁଣା । ହେଲେ ବାରମ୍ବାର ଦାବି ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର ସବୁ ସମୟରେ ପ୍ରତିଶୃତି ଉପରେ ପ୍ରତିଶୃତି ଦେଉଛନ୍ତି । ପିଲାଙ୍କ ଭବିଷ୍ୟତକୁ ନେଇ କେବେହେଲେ କେହି ଖେଳିବା ନାହିଁ । ଯଥାଶୀଘ୍ର ଦାବି ପୂରଣ ହେଉ । ସରକାରଙ୍କର ନାଲି ଆଖିରେ ଶିକ୍ଷକ କେବେହେଲେ ଡରିବେ ନାହିଁ । ଦାବି ପୂରଣ ନହେଲେ ଉଠିବୁ ନାହିଁ । ଆବଶ୍ୟକ ପଡିଲେ ପିଲାଙ୍କର ପାଠପଢା ନେଇ ଏକ୍ସଟ୍ରା କ୍ଳାସ୍ କରିବା ସହ ଛୁଟି ଦିନଗୁଡ଼ିରେ କ୍ଳାସ ହେବ ।"
ଏପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, "ଗତ ୮ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ବିଇଓ, ଡିଇଓ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଦାବି ପୂରଣ କରିଦେଲେ ପୁଣିଥରେ ସ୍କୁଲକୁ ଯିବାକୁ ପ୍ରସ୍ତୁତ । ନାଲି ଆଖିକୁ ଶିକ୍ଷକ ସଂଗଠନ ଖାତିର କରିବ ନାହିଁ । ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।" ଅଭିଭାବକ ମହାସଂଘ ମଧ୍ୟ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଛି । ପାଠପଢ଼ା କୌଣସି ପରିସ୍ଥିତିରେ ବନ୍ଦ ନକରି ସରକାର ତୁରନ୍ତ ଶିକ୍ଷକ ମାନଙ୍କର ଦାବି ପୂରଣ କରନ୍ତୁ । ସରକାରଙ୍କର ଅବହେଳା ପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ।
ସୂଚନା ଥାଉ କି ପ୍ରାଥମିକ ଶିକ୍ଷକ ସଂଘର ଦାବିଗୁଡିକ ହେଲା, ଠିକା ବ୍ୟବସ୍ଥା ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ ଭଳି ୩ ଦଫା ଦାବି ରହିଛି । କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟରେ ଥିବା ପ୍ରାୟ 56 ହଜାର ସ୍କୁଲ୍ରେ ପାଠପଢ଼ା ଠପ ହୋଇଛି । ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଯାହାକୁ ନେଇ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
