ETV Bharat / state

୫ରେ ପଞ୍ଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ, ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ

author img

By

Published : Mar 2, 2023, 8:59 PM IST

ଆସନ୍ତା ୫ ତାରିଖରେ ପଞ୍ଚାୟତିରାଜ ଦିବସ ସହ ବିଜୁ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

CM Naveen
CM Naveen

ଆସନ୍ତା ୫ରେ ପଞ୍ଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ, ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତା ୫ ତାରିଖ ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଥିରେ କିଛି ସରକାରୀ ଓ କିଛି ବେସରକାରୀ କାର୍ଯ୍ୟକ୍ରମ ରହିଛି । ଦିନକରେ ୩ ଜିଲ୍ଲା ଗସ୍ତ କରିବା ସହ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ ଉତ୍ସବରେ ସାମିଲ ହୋଇ ରୋଡ଼ ଶୋ' କରିବେ ।

ଆସନ୍ତା ରବିବାରରେ ପଞ୍ଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ୮ଟି କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବରରେ 5T କାର୍ଯ୍ୟକ୍ରମ ସହ ନୂଆପଡା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ରବିବାର ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ପାର୍କରେ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ତା' ପରେ ଏୟାରପୋର୍ଟ ଛକରେ ନବ ନିର୍ମିତ ବିଜୁ ଜନତା ଦଳର କାର୍ଯ୍ୟାଳୟର ତୃତୀୟ ଓ ଚତୁର୍ଥ ମହଲା ଉଦଘାଟନ କରିବେ ନବୀନ । ସେଠାରୁ ଭୁବନେଶ୍ବର ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ଜନାତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରବର୍ତ୍ତୀ ସମୟରେ ସିଧାସଳଖ ଓଡ଼ିଶାରୁ ଦୁବାଇ ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର କାର୍ଯ୍ୟକ୍ରମ ପରେ ପଶ୍ଚିମ ଓଡ଼ିଶାର ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନ ଓ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି । ବରଗଡ଼ର ସୋହେଲା ସମେତ ନୂଆପଡ଼ା, କଳାହାଣ୍ଡିର ଜୁନାଗଡ଼ ଓ ଆମ୍ବପାଣି ଆଦି ୪ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଦ୍ଵାରା ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୩ ପ୍ରଥମ ୨ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଞ୍ଚମ ପଶ୍ଚିମ ଓଡ଼ିଶା ଗସ୍ତ ହେବ । ଗସ୍ତ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ- BJD-BJP Face Off: 2024 ପର୍ଯ୍ୟନ୍ତ ଚାଲିବ କି ବିଜେଡି-ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ?

ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଖେଳ ପଡ଼ିଆରେ ପହଞ୍ଚିବେ । ସେଠାରେ ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିଜୁ ଏକ୍ସପ୍ରେସ ୱେ ଦେଇ ରୋଡ଼ ସୋ ଯୋଗେ କୋକସରା ବ୍ଲକ ଅନ୍ତର୍ଗତ ଆମପାଣିରେ ପହଞ୍ଚିବା ପରେ ଏକ ବୈଠକରେ ଯୋଗ ଦେବେ । ଆମପାଣିରେ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନପାଲିରେ ୧୮୨ କୋଟି ଟଙ୍କାରେ ନିର୍ମିତ ଦୀର୍ଘ ୭୧ କିଲୋମିଟର ବିଜୁ ଏକ୍ସପ୍ରେସ ୱେର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ଧର୍ମଗଡ଼ ସରକାରୀ ବସଷ୍ଟାଣ୍ଡ ଓ ୭ କୋଟି ୮୪ ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ ।

ଏହା ପରେ ନୂଆପଡ଼ା ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ । ଏହା ପରେ ସିନାପାଲି ଅଭିମୁଖେ ଏକ ସ୍ବତନ୍ତ୍ର ବସ ଯୋଗେ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଗସ୍ତ କରିବେ । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୌର୍ଘ୍ୟ ବିଶିଷ୍ଟ ୪ ଲେନ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସେଥିରୁ ୨୦୨୨-୨୩ରେ ୬୦୦ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡ଼ା ଘାଟିପଡ଼ାରୁ ଆମପାଣି ପର୍ଯ୍ୟନ୍ତ ୧୭୬ କିମି ରାସ୍ତାର ନିର୍ମାଣ ଶେଷ ହୋଇଛି । ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି ।

ଅନ୍ୟପଟେ ନୂଆପଡ଼ା ଏବଂ ଖରିଆର ରୋଡ଼ରେ ନବ ନିର୍ମିତ ଇନଡୋର ଷ୍ଟାଡିୟମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପ୍ରଶାସନିକ ଓ ଦଳୀୟ ପ୍ରସ୍ତୁତି ଜୋରଦାର ହୋଇଛି । ୩ ଜିଲ୍ଲା ବିଜୁ ଜନତା ଦଳରେ ମଧ୍ୟ ଉତ୍ସାହ ଦେଖା ଦେଇଛି । ଏହିପାଇଁ ଜିଲ୍ଲା ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଭାବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବୈଠକରେ ଆଲୋଚନା ହୋଇଛି । ନବୀନଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.