ETV Bharat / state

ଅଦ୍ବିତୀୟ ଅପରାଜେୟ ନବୀନ, 78 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 16, 2023, 7:48 AM IST

ସମୟର ସ୍ରୋତ ଆଉ ବୟସର ପାହାଚ ତାଙ୍କୁ ଥକିବାକୁ ଦେଇ ନାହିଁ । ସମୟ ଗଡିଛି ଆଉ ତାଙ୍କର ଲୋକପ୍ରିୟତା ବଢିଛି । ରାଜନେତାରୁ ଜଣେ ଜନନେତା ପାଲଟିଛନ୍ତି । ବିପର୍ଯ୍ୟୟ ପରିଚାଳନାରେ ରୋଲ୍ ମଡେଲ ତଥା ଅପ୍ରତିଦ୍ବନ୍ଦ୍ବୀ ରାଜନେତା ନବୀନ ପଟ୍ଟନାୟକ ଆଜି 78 ବର୍ଷରେ ପାଦ ଥାପିଛନ୍ତି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ
78 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବୀନ ପଟ୍ଟନାୟକ । ସାଢେ 4 କୋଟି ଓଡିଶାବାସୀଙ୍କ ମୁଖ୍ୟମନ୍ତ୍ରୀ । ନୂଆ ଓଡିଶା ନିର୍ମାଣର ସ୍ବପ୍ନ ଦେଖିଥିବା ମହାନ ଜନନାୟକ, ବିଚକ୍ଷଣ, ଅପ୍ରତିଦ୍ବନ୍ଦୀ ଅପରାଜେୟ ଲଗାତାର 5 ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିବା ନବୀନ ପଟ୍ଟନାୟକ ଆଜି 78 ବର୍ଷରେ ପାଦ ଥାପିଛନ୍ତି । ରାଜନୀତିର 'ର' ଅକ୍ଷର ସହ ସମ୍ପର୍କ ନଥିଲା । ହେଲେ ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ଲୋକପ୍ରିୟ । ଲଗାତାର 23 ବର୍ଷ ଧରି ରାଜ୍ୟ ମୁଖିଆ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ଦାୟାଦ ଭାବେ ରାଜ୍ୟ ବିଜେତା ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ହୃଦୟରେ ଘର କରିଛନ୍ତି । ଲୋକପ୍ରିୟତା ବଢ଼ିଛି ନମ୍ବର ୱାନ୍‌ ସିଏମ ହୋଇଛନ୍ତି । ଘାତ ପ୍ରତିଘାତ ଭିତରେ ନିଜ ରାଜନୈତିକ ଶତ୍ରୁଙ୍କ ମୂଳୋତ୍ପାଟନ କରି ଅପରାଜେୟ ଭାବେ ନିଜକୁ ଉଭା କରିଛନ୍ତି ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ପିଲାଦିନ: 1946 ମସିହା ଅକ୍ଟୋବର 16 ତାରିଖରେ ନବୀନ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ସ୍ବର୍ଗତଃ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ଭାବେ କଟକରେ ଜନ୍ମ ନେଇଥିଲେ ନବୀନ । ଡେରାଡୁନରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସହ ପ୍ରତିଷ୍ଠିତ ଡୁନ ସ୍କୁଲରେ ପାଠ ପଢିଛିଲେ । ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ଲେଖା ଲେଖିରେ ତାଙ୍କର ଅଧିକ ରୁଚି ଥିଲା ।

ନବୀନଙ୍କ ରାଜନୀତି କ୍ୟାରିୟର: 1997 ମସିହା ପରେ ରାଜନୀତିରେ ପାଦ ଥାପିଥିଲେ ସେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଓଡିଶା ଆସିବା ସହ ସକ୍ରିୟ ରାଜନୀତିରେ ନିଜକୁ ସାମିଲ କରଥିଲେ । 1997 ମସିହା ଅପ୍ରେଲ 12 ତାରିଖରେ ସେ ଜନତା ଦଳ ଟିକେଟରେ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ବିଜୁ ଜନତା ଦଳ ଗଠନ କରି ପୁଣି ଲୋକସଭାକୁ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଖଣି ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ପରେ 2000 ମସିହାରେ ବିଜେପି ସହ ମେଣ୍ଟ କରି ଓଡିଶା ବିଧାନସଭା ନିର୍ବାଚନୀ ବୈତରଣୀ ପାର ହୋଇଥିଲେ । 2000 ମସିହାରେ କଂଗ୍ରେସକୁ ମାତ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ନନଷ୍ଟପ୍‌ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ।

2000, 2004, 2009, 2014 ଓ 2019 ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ନବୀନ । ପ୍ରାଞ୍ଜଳ ଓଡ଼ିଆ ନଜାଣି ମଧ୍ୟ ଓଡିଆଙ୍କ ନେତା ଭାବେ ରାଜ୍ୟ ମୁ୍ଖିଆ ହୋଇ ରାଜ୍ୟ ରାଜନୀତିରେ ରାଜ୍‌ କରୁଛନ୍ତି । 2000ରୁ 2009 ମସିହା ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିବାବେଳେ 2009 ମସିହାରେ ବାମ ଦଳ ସହିତ ମେଣ୍ଟ କରି ନିର୍ବାଚନ ନଦୀ ପାର ହୋଇଥିଲେ ନବୀନ । 2014 ଓ 2019 ମସିହାରେ ବିଜେଡି ଏକାକୀ ଲଢି ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ଅପରାଜେୟ ଓ ଅପ୍ରତିଦ୍ବନ୍ଦ୍ବୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ ।

ସାଧାସିଧା ସରଳ ନବୀନ: ଗୋଟିଏ ରାଜ୍ୟର ମୁଖିଆ ସେ ହେଲେ ନା ଅଛି ଥାଟବାଟ ନା ନେତା ଠାଣି । ସ୍ବଳ୍ପ ଭାଷା କହୁଥିବା ନବୀନଙ୍କ ଜୀବନଯାପନ ଅତି ସରଳ । ଧଳା କୁର୍ତ୍ତା ପାଇଜାମାରେ ସବୁଥିରେ ଯୋଗ ଦିଅନ୍ତି । ଦିଲ୍ଲୀ ହେଉ କି ପଲ୍ଲୀ ସବୁଠି ସେହି ସମାନ୍‌ ଲୁକ୍‌ରେ ଥାଆନ୍ତି । ଓଡ଼ିଶାବାସୀ ତାଙ୍କୁ କେବେ ବି ସୁଟ୍‌ ବୁଟ୍‌ରେ ଦେଖିନାହାନ୍ତି । ସେ କେବେ ବିରୋଧୀଙ୍କ ନାମରେ କୁହନ୍ତି ନା ଗଳା ପଠାଇ ଭାଷଣା ଦିଅନ୍ତି । ତଥାପି ସେ ଲୋକପ୍ରିୟ । ହାତ ହଲେଇ ଅଭିଭାଦନ କରିଦେବା ହିଁ କାଫି । ତାଙ୍କର ଏହି ସରଳତା ପାଇଁ ସେ ଭାରତର ଦ୍ବିତୀୟ ସର୍ବାଧିକକାଳୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ବିପର୍ଯ୍ୟୟ ପରିଚାଳନାରେ ରୋଲ୍ ମଡେଲ: ବାତ୍ୟା ହେଉ କି ବନ୍ୟା । ଓଡିଶା ଏକ ବାତ୍ୟାପ୍ରବଣ ଅଞ୍ଚଳ । ତେଣୁ ବାତ୍ୟା ସ୍ଥିତିର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତ ଥାଆନ୍ତି ନବୀନଙ୍କ ସରକାର । ମହାବାତ୍ୟା ପରେ ରାଜ୍ୟକୁ ଅନାହାରରୁ ଉଦ୍ଧାର କରିବା ସହ ଗାଁ ଗାଁକୁ ସଡକ ଓ ଅନେକ ଗରିବ କଲ୍ୟାଣ ଯୋଜନା ପାଇଁ ସେ ନିଜକୁ ଅଦ୍ବିତୀୟ ନେତା ଭାବେ ଉପସ୍ଥାପିତ କରିଛନ୍ତି । ବିଶେଷ କରି ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ନବୀନ । ଏ ନେଇ ସେ ବେଶ ଖ୍ୟାତି ଅର୍ଜନ କରିଛିନ୍ତି । ବିପର୍ଯ୍ୟୟ ପରିଚାଳନାର ରୋଲ ମେଡଲ ସାଜିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ସରକାରରେ ଗାଁର ଚିତ୍ର ବଦଳିିଛି । ଘରେ ଘରେ ପାଣି ଗାଁକୁ ସଡକ ପଥ ତିଆରି ହୋଇଛି । ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବାକୁ ମିଶନ ଶକ୍ତି ତିଆରି କରିଛନ୍ତି ।

CM Naveen Patnaik B'Day: ଏ ବର୍ଷ ଜନ୍ମଦିନ ପାଳିବେନି ନବୀନ

ଏଥର ପାଳିବେନି ଜନ୍ମଦିନ: 78 ବର୍ଷରେ ପାଦ ଥାପିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ୍ମଦିନ ପାଳନ କରିବେ ନାହିଁ । ଚଳିତ ବର୍ଷ ତାଙ୍କ ବଡ଼ ଉଭଣୀ ଗୀତା ମେହେଟ୍ଟାଙ୍କ ଦେହାନ୍ତ ହୋଇଛି । ତେଣୁ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ । ନବୀନ ନିବାସ ଆସି ଶୁଭେଚ୍ଛା ନଜଣାଇବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.