ETV Bharat / state

ଭୁବନେଶ୍ବରରେ ସ୍କୁଟିକୁ ଧକ୍କା ଦେଇ ଘୋଷାଡି ନେଲା କାର୍, ଅଳ୍ପକେ ବର୍ତ୍ତିଲେ ଯୁବକ

author img

By

Published : Mar 10, 2023, 8:44 AM IST

ରାଜଧାନୀରେ ସ୍କୁଟିକୁ ଧକ୍କା ଦେବା ପରେ ଘୋଷାଡି ନେଲା କାର୍ । ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ । ଅଧିକ ପଢନ୍ତୁ

ସ୍କୁଟିକୁ ଧକ୍କା ଦେବା ପରେ ଘୋଷାଡି ନେଲା କାର୍
ସ୍କୁଟିକୁ ଧକ୍କା ଦେବା ପରେ ଘୋଷାଡି ନେଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଟ୍ ଆଣ୍ଡ ଡ୍ରାଗ୍ ମାମଲା । ସ୍କୁଟିକୁ ଧକ୍କା ଦେବା ପରେ ଅନେକ ବାଟ ଯାଏଁ ଘୋଷାଡି ନେଲା କାର୍ । ପ୍ରଥମେ ଏଜି ଛକରେ ରଙ୍ଗ୍ ରୋଡରେ ଆସି କାର୍‌ ୪ ଜଣ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା । ଏହାପରେ ସେଠାରୁ ଗୋଟିଏ ସ୍କୁଟିକୁ ଧକ୍କା ଦେଇ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ଟାଣି ନେଇଥିଲା । ତେବେ ସୌଭାଗ୍ୟବଶତଃ ସ୍କୁଟି ଚାଳକ ଗାଡିରୁ ଡେଇଁ ପଡିବା କାରଣରୁ ତାଙ୍କର ଜୀବନ ବଞ୍ଚି ଯାଇଛି । ଏହି ସ୍କୁଟି ଚାଳକ ହେଉଛନ୍ତି ଭୁବନେଶ୍ବରର ଅନିମେଷ ସ୍ବାଇଁ । ଦୁର୍ଘଟଣାରେ ତାଙ୍କର ହାତଗୋଡରେ ଆଘାତ ଲାଗିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖିଛି ।

ସୂଚନା ମୁତାବକ, ଏଜି ଛକରେ ଟ୍ରାଫିକ ସିଗନାଲ୍‌ ରେଡ୍ ଥିବା ସତ୍ତ୍ବେ କାର୍ ଚାଳକ ଜଣକ ଦ୍ରୁତଗତିରେ ଆଗକୁ ମାଡି ଯାଇଥିଲେ । ଏହାପରେ ସେ ଅନ୍ୟ ପଟୁ ଆସୁଥିବା କେତେକ ଦୁଇ ଚକିଆ ଗାଡିକୁ ଧକ୍କା ଦେବା ପରେ ଜଣେ ସ୍କୁଟି ଚାଳକଙ୍କୁ ଘୋଷାଡି ନେଇଥିଲେ । ବାଟରେ ସ୍କୁଟି ଚାଳକ ଅନିମେଷ ଗାଡିରୁ ଡେଇଁ ପଡିବାରୁ ତାଙ୍କର ଜୀବନ ବଞ୍ଚିଯାଇଥିଲା । ଏହାଦେଖି ସ୍ଥାନୀୟ ଲୋକେ କାର୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଅଟକାଇ ପାରି ନଥିଲେ । ପରେ ଟ୍ରାଫିକ କର୍ମଚାରୀ ଗାଡ଼ିର ପିଛା କରି ରବୀନ୍ଦ୍ର ମଣ୍ଡପ ନିକଟରେ ତାହାକୁ ଅଟକାଇ ଥିଲେ । ପୋଲିସକୁ ଦେଖି ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଗାଡି ଓହ୍ଲାଇ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଧରିପକାଇଥିଲା । ଟ୍ରାଫିକ ପୋଲିସ କାରକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି ।

ଅନ୍ୟପଟେ ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଅନିମେଷଙ୍କ ହାତ ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି । ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏନେଇ ଅନିମେଷ କହିଛନ୍ତି, ''ମୋର ଗ୍ରୀନ ସିଗନାଲ ଥିବାବେଳେ ରେଡ ସିଗନାଲରୁ ଦ୍ରୁତଗତିରେ ଏକ କାର୍ ମାଡି ଆସିଥିଲା ଓ କେହି କିଛି ବୁଝିବା ପୂର୍ବରୁ ଧକ୍କା ଦେଇ ମୋତେ ଟାଣି ନେଇଥିଲା । ଭଗବାନଙ୍କ କୃପାରୁ ମୁଁ ବଞ୍ଚିଯାଇଛି ।''


ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଆମେ ପିପିଲିରୁ ଆସୁଥିଲୁ । ଏଜି ଛକ ପାଖରେ ଏକ କାର୍ ରେଡ୍ ସିଗନାଲ ଥିବା ସତ୍ତ୍ବେ ଦ୍ରୁତଗତିରେ ଆସି ସ୍କୁଟିକୁ ଅନେକ ବାଟ ଟାଣି ନେଇଥିଲା । ସ୍କୁଟି ଚାଳକ ଡେଇଁ ପଡିବା ଯୋଗୁଁ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି । ତେବେ ଗତକାଲି ରାଜଧାନୀରେ ଏହି ଦୁର୍ଘଟଣା ଉପସ୍ଥିତ ଲୋକଙ୍କୁ ସ୍ତବ୍ଧ କରିଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.