ETV Bharat / state

ଶୀତଦିନେ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା; ଖୁଆଡରେ ରୁମ ହିଟର, ସିମ୍ପାଜିଙ୍କ ପାଇଁ କମ୍ବଳ

author img

By ETV Bharat Odisha Team

Published : Dec 16, 2023, 4:50 PM IST

Updated : Dec 16, 2023, 6:58 PM IST

Blankets room heaters placed inside Nandankanan: ରାଜ୍ୟରେ ଶୀତ ବଢୁଥିବା ବେଳେ ପଶୁପକ୍ଷୀଙ୍କ ଲାଗି ନନ୍ଦନକାନନରେ କରାଯାଇଛି ବିଶେଷ ବ୍ୟବସ୍ଥା । ପ୍ରାଣୀମାନଙ୍କୁ ଉଷୁମ ଦେଉଛି କମ୍ବଳ ଓ ରୁମ ହିଟର । ଅଧିକ ପଢନ୍ତୁ

arrangements for winter at Nandankanan
arrangements for winter at Nandankanan

ଶୀତଦିନେ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା । ହାଡଭଙ୍ଗା ଜାଡରେ ଥରୁଛି ସାରା ରାଜ୍ୟ। ତେବେ ଏଥିରୁ ମଧ୍ୟ ବାଦ ପଡିନି ଭୁବନେଶ୍ବର । ଏବେ ଠାରୁ ଭୁବନେଶ୍ବରରେ ଶୀତ ବେଶ ଅନୁଭବ ହେଲାଣି । ଅସହ୍ୟ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଜୀବଜନ୍ତୁଙ୍କ କଥା ନକହିବା ଭଲ । ଏନେଇ ଶୀତ ସମୟ ପାଇଁ ନନ୍ଦନକାନନରେ ଜୀବଜନ୍ତୁଙ୍କ ପାଇଁ ସ୍ବତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି । ସରୀସୃପ ଓ ସିପାଞ୍ଜିଙ୍କ ଘର ଭିତରେ ରୁମ ହିଟର ଓ ଲାଇଟର ବ୍ୟବସ୍ଥା ହୋଇଛି ।

ଶୀତ ଦାଉରୁ ଜୀବଜନ୍ତୁଙ୍କ ରକ୍ଷା କରିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ପଶୁପକ୍ଷୀମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି । ନନ୍ଦନକାନନରେ କିଛି ଦିନ ହେବ ପର୍ଯ୍ୟଟକମାନଙ୍କର ଆକର୍ଷଣ ସାଜୁଥିବା ସିମ୍ପାଞ୍ଜିମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ରହୁଥିବା ଖୁଆଡରେ କମ୍ବଳ ଯୋଗାଇ ଦେବା ସହ ସନ୍ଧ୍ୟା ସମୟରେ ଖୁଆଡରେ ରୁମ ହିଟର ଲଗାଯାଇ ରୁମକୁ ଉଷୁମ କରାଯାଉଛି । ଯାହାଫଳରେ କି ସେମାନେ ଆଉ ବିଶେଷ ଭାବରେ ଶୀତ ଅନୁଭବ କରିପାରିବେ ନାହିଁ ।

ଏହା ବି ପଢନ୍ତୁ- ଶୀତ ପାଲିଙ୍କିରେ ଗାଁଠୁ ସହର... ଗରିବ ପାଇଁ କି ଅବା ଶୀତ କି ଅବା ବସନ୍ତ

ସେହିପରି ଭାବରେ ପକ୍ଷୀ ବସାମାନଙ୍କରେ ଛୋଟ ଛୋଟ ନଡ଼ା କଟାଯାଇ ରଖାଯାଇଛି। ସରୀସୃପମାନଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସଂଧ୍ୟା ହେଲେ ନନ୍ଦନକାନନର ସମସ୍ତ ଏନକ୍ଲୋଜର ଉପରେ ପରଦା ପଡିଯାଉଛି । ପକ୍ଷୀ ବିହାରରେ ତାପମତ୍ରା ନିୟନ୍ତ୍ରଣ ଯନ୍ତ୍ର ଲାଗିଛି । ସେପଟେ ବାଘ, ଭାଲୁ ସିଂହମାନଙ୍କ ପାଇଁ ରାତିରେ ଖୁଆଡ ଖୋଲା ରହୁଛି। ସରୀସୃପମାନଙ୍କ ପାଇଁ ସମୁଦ୍ର କୂଳ ଭଳି ବାଲି ବିଛାଯାଇଛି ।

ନନ୍ଦନକାନନରେ ମୋଟ ୨୧୮ଟି ଖୁଆଡରେ ୪ଟି ଶ୍ରେଣୀରେ ୧୫୧ ପ୍ରଜାତିର ପ୍ରାୟ ୨୦୭୫୮ ଜୀବଜନ୍ତୁ ବସବାସ କରୁଛନ୍ତି। ଶୀତଦିନ ପାଇଁ ଅଧିକାଂଶ ପଶୁପକ୍ଷୀମାନଙ୍କୁ ଉଷୁମ ଏବଂ ରନ୍ଧା ଖାଦ୍ୟ ଆଦି ଦିଆଯାଉଛି । ଶୀତ ଦିନରେ ବିଶେଷ ଭାବରେ ପର୍ଯ୍ୟଟନର ଋତୁ ହେଉଥିବାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ଯେପରି ଭାବରେ ପଶୁପକ୍ଷୀମାନେ ଛୋଟ ଛୁଆ ଏବଂ ପର୍ଯ୍ୟଟକମାନଙ୍କ ଦ୍ବାରା ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ଅଛନ୍ତି ନନ୍ଦନକାନନର କର୍ତ୍ତୃପକ୍ଷ ।

ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିସିଏଫ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, "ଖରା ବର୍ଷା ଶୀତ ସମୟରେ ପ୍ରାଣୀମାନଙ୍କର ସୁରକ୍ଷାକୁ ନେଇ ସବୁବେଳେ ନନ୍ଦନକାନନ ପ୍ରସ୍ତୁତ ରହିଛି । ବିଶେଷ ଭାବରେ ସରୀସୃପ ଖୁଆଡରେ ଲାଇଟ ଲଗାଯିବା ସହ ରୁମ ହିଟର ମଧ୍ୟ ରହିଛି । ଏହା ଛଡ଼ା ପ୍ରତ୍ୟେକଟି ରୁମରେ ତାପମାତ୍ରା ଜଣାଇବା ପାଇଁ ଏକ ମେସିନ ଲାଗିଛି । ଯାହା ପ୍ରତ୍ୟେକ ୨ ଘଣ୍ଟା ମଧ୍ୟରେ ଥରେ ତାପମାତ୍ରା ଦେଖାଯାଏ । ଏହାସହ ସିମ୍ପାଞ୍ଜି ଓ ପାଙ୍ଗୋଲିନମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 16, 2023, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.