ETV Bharat / state

ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ: ଲେଖାଶ୍ରୀ

author img

By ETV Bharat Odisha Team

Published : Dec 22, 2023, 6:28 PM IST

BJP Press Meet: କଟକ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତରେ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବିରୋଧୀଙ୍କୁ ଦମନ କରିବାକୁ ବିଜେଡି ଅପଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet

BJP Press Meet

ଭୁବନେଶ୍ବର: ବିଜେପିର ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ଉଦ୍ଦେଶ୍ୟମୂଳକ ଭାବେ ଭଣ୍ଡୁର କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି । କଟକ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତରେ ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର । ଶାସନ ଓ ପ୍ରଶାସନ, ଆଇନକୁ ଫୁ କରି ଜୋର ଜବରଦସ୍ତି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ବିଜେଡି ଅପଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଯଦି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଆଗାମୀ ଦିନରେ ବିଜେପି କଟକ ଏସ୍‌ପି ଅଫିସକୁ ଘେରାଉ କରିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଲେଖାଶ୍ରୀ ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଲେଖାଶ୍ରୀ କହିଛନ୍ତି, "ଚଳିତ ମାସ ୧୦ ଡିସେମ୍ବରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଗାଡି ଥିଲା । ଏହି ଗାଡିରେ ମୋଦିଜୀଙ୍କ ଯୋଜନା ଦେଖାଇବା ପରିବର୍ତ୍ତେ ବିଜେଡିର କିଛି ମହିଳା, ଛୋଟ ପିଲା ଗାଡିରେ ଚଢ଼ି ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ଉଦଣ୍ଡ ନାଚ କରିଛନ୍ତି । ସେଠାକାର ପବିତ୍ର ବାତାବରଣ କ୍ଷୁର୍ଣ୍ଣ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିଛନ୍ତି । ଏହି ଘଟଣାକୁ ନେଇ ୧୨ ଡିସେମ୍ବର ଦିନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ବରେ କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ପୋଲିସକୁ ଆଗୁଆ ସୂଚନା ଦିଆଗଲା । ବିକ୍ଷୋଭ ପୂର୍ବରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ଜଣେ ପୋଲିସ ଅଧିକାରୀ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହ ଉପସ୍ଥିତ ଥିଲେ ।"

ହେଲେ ମାଣପୁର ପଞ୍ଚାୟତ ପହଞ୍ଚିଲା ପରେ ସେଠାରେ ପୋଲିସ ବ୍ୟତୀତ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ମହମ୍ମଦ ରୁସ୍ତମ ଏବଂ ଅନେକ ମହିଳା ଓ ଯୁବକ ଲାଠି, ସିମେଣ୍ଟ, କଡ଼େଇ, ଝାଡୁ ଓ ଚପଲ ଧରି ଉପସ୍ଥିତ ଥିଲେ । ବିଜେଡି କର୍ମୀ ମାରଣାସ୍ତ୍ରରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରି ଆକ୍ରମଣ କଲେ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଜାତିଆଣ ମନ୍ତବ୍ୟ ଦେଇ ବିଜେଡି କର୍ମୀମାନେ ଗାଳିଗୁଲଜ ମଧ୍ୟ କରିଥିବା ସେ କହିଛନ୍ତି । ବିଜେଡିର କାର୍ଯ୍ୟକର୍ତ୍ତାମାନେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ନିସ୍ତୁକ ମାଡ଼ ମାରୁଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜି ଠିଆ ହୋଇଥିଲା । ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ନିର୍ଦ୍ଦେଶରେ ଆମେ ଏଭଳି କାର୍ଯ୍ୟ କରୁଛୁ, ପୋଲିସ ଆମର କିଛି କରିପାରିବ ନାହିଁ ବୋଲି ମହମ୍ମହ ରୁସ୍ତମ ଓ ବିଜେଡିର ଅନ୍ୟମାନେ କହିଥିଲେ । ପୋଲିସ ଉପସ୍ଥିତିରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଏଭଳି ବର୍ବରକାଣ୍ଡ ଓ ଆତଙ୍କରାଜ ଚାଲିଥିଲା ବୋଲି ଲେଖାଶ୍ରୀ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବିଜେପି ବିଜେଡି ମୁହାଁମୁହିଁ

ଦଳ ପକ୍ଷରୁ ସେହିଦିନ କିଶନନଗର ଥାନାରେ ଏଫଆଇଆର ଦିଆଯାଇଥିଲା । ହେଲେ ଏହାର ପରଦିନ ମାଣପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତା ସେଠୀଙ୍କ ଦ୍ବାରା କାଉଣ୍ଟର ଏଫଆଇଆର୍‌ ଦିଆଗଲା । ଯେଉଁଥିରେ ନାନାଦି ପ୍ରକାର କପୋଳ କଳ୍ପିତ ଆରୋପ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଲଗାଗଲା ବୋଲି ଲେଖାଶ୍ରୀ କହିଛନ୍ତି । ସେ କହିଛନ୍ତି, "୧୨ ତାରିଖ ମାରପିଟ ବେଳେ ସରପଞ୍ଚ ରଞ୍ଜିତା ସେଠୀ ଉପସ୍ଥିତ ନଥିଲେ । ତେଣୁ କେଉଁ ଆଧାରରେ ରଞ୍ଜିତା ଏଫଆଇଆର୍‌ ଦେଇଛନ୍ତି ନା ବିଧାୟକଙ୍କ ପ୍ରରୋଚନା ଏଫଆଇଆର୍‌ ଦେଇଛନ୍ତି ? ଶାସନ ଓ ପ୍ରଶାସନ, ଆଇନକୁ ଫୁ କରି ଜୋର ଜବରଦସ୍ତି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ଅପଚେଷ୍ଟା କରୁଛନ୍ତି । ଯଦି ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତାହାଲେ ଆଗାମୀ ଦିରେ ଭାରତୀୟ ଜନତା ପାର୍ଟି କଟକ ଏସ୍‌ପି ଅଫିସ ଘେରାଉ କରିବ ।" ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିଭା ଶତପଥୀ, କଟକ ନିର୍ବାଚନ ମଣ୍ଡଳୀର ଆର୍‌ଟିଆଇ ସଂଯୋଜକ ଗୋକୁଳ ପ୍ରଧାନ, କଟକ ସଦର ଯୁବନେତା ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.