ETV Bharat / state

ବିଜେପିର ମହା ଜନସମ୍ପର୍କ ଅଭିଯାନ; ଓଡ଼ିଶାରେ ହେବ ୪ ମହାସମାବେଶ, ଆସିବେ ମୋଦି-ଶାହା

author img

By

Published : May 31, 2023, 4:47 PM IST

ଆଜିଠାରୁ ସାରା ଦେଶରେ ବିଜେପି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଅବସରରେ ମାସେ ବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିବ ବିଜେପି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମହା ଜନସମ୍ପର୍କ ଅଭିଯାନ ବିଜେପିର ପ୍ରେସ୍‌ମିଟ୍‌
ମହା ଜନସମ୍ପର୍କ ଅଭିଯାନ ବିଜେପିର ପ୍ରେସ୍‌ମିଟ୍‌

ମହା ଜନସମ୍ପର୍କ ଅଭିଯାନ ବିଜେପିର ପ୍ରେସ୍‌ମିଟ୍‌

ଭୁବନେଶ୍ବର: ମହା ଜନସମ୍ପର୍କ ଅଭିଯାନ ଆରମ୍ଭ କଲା ବିଜେପି । ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦି ସରକାରଙ୍କ ସଫଳତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କହିବାକୁ ଗଲେ ଏହାଦ୍ବାରା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ମାଧ୍ୟମରେ ସାରା ଦେଶରେ ୫୧ଟି ମହାସମାବେଶ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ସମାବେଶ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବେ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଅବସରରେ ମାସେ ବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିବ ବିଜେପି । ୩୧ମେରୁ ୩୦ ଜୁନ ପର୍ଯ୍ୟନ୍ତ ହେବ ଏହି ଜନ ସଂପର୍କ ଅଭିଯାନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆହ୍ଵାନ କ୍ରମେ ମାସେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହେବ । ୯ ବର୍ଷ ଭିତରେ ମୋଦି ସରକାର ହାସଲ କରିଥିବା ସଫଳତାକୁ ନେଇ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଦଳ । ରାଜସ୍ଥାନର ଅଜମେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନସମ୍ପର୍କ ଅଭିଯାନ ଆରମ୍ଭ କରିଥିବା ବେଳେ ସବୁ ବର୍ଗର ଲୋକଙ୍କ ପାଖକୁ ଯିବ ବିଜେପି । ଏହି କ୍ରମରେ ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି । ଓଡ଼ିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି । କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କୁ ଲିଫଲେଟ୍ ଦେବେ ଏବଂ ଖୋଲା ଆଲୋଚନା କରିବେ । ରାଜ୍ୟରେ ପ୍ରାୟ ୫ ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟରେ ଲାଗିବେ । କେନ୍ଦ୍ରୀୟ ନେତୃତ୍ବଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ଏବଂ ବୁଥସ୍ତରର କାର୍ଯ୍ୟକର୍ତ୍ତା ମାନେ ମାସେ ବ୍ୟାପୀ ଏଥିରେ ନିୟୋଜିତ ରହିବେ । କେନ୍ଦ୍ରର ଶୀର୍ଷ ନେତୃତ୍ବ ଆସିବେ । ଦେଶରେ ୫୧ଟି ମହାସମାବେଶ ହେବ । ଓଡ଼ିଶାରେ ମଧ୍ୟ ୪ଟି ମହାସମାବେଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

୨୩ ଜୁନ ଭାରତୀୟ ଜନତା ପାର୍ଟି ସଂସ୍ଥାପକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟର ସବୁ ବୁଥରେ ଡିଜିଟାଲ ମାଧ୍ୟମରେ ସିଧା ସଳଖ ଲୋକଙ୍କ ସହ ଯୋଡ଼ି ହେବେ କାର୍ଯ୍ୟକର୍ତ୍ତା । ୫୪୩ ସଂସଦୀୟ କ୍ଷେତ୍ରରେ ୧୪୩ଟି କ୍ଲଷ୍ଟର ହୋଇଛି । ସବୁ କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶାକୁ ଆସିବେ । କେନ୍ଦ୍ରମନ୍ତ୍ରୀ ମାନେ ୮ ଦିନ ଓ ୮ ରାତି ଏହି କ୍ଲଷ୍ଟରରେ ସମୟ ବିତାଇବେ । ସେହିପରି ୨୧ ଜୁନରେ ଯୋଗ ଦିବସରେ ୯ ବର୍ଷ ପୂର୍ତ୍ତି ପାଇଁ ପ୍ରଦର୍ଶନୀ ଆୟୋଜନ କରାଯିବ । www.9yearsofseva.bjp.org ୱେବସାଇଟରେ ସବୁ ଦେଖିପାରିବେ ଏବଂ ଲୋକମାନେ 9090902024 ନମ୍ବରରେ ମିସ କଲ କରି ଜାଣିପାରିବେ । ଓଡ଼ିଆରେ ପ୍ରଚାର ପତ୍ର ସମସ୍ତଙ୍କୁ ଦିଆଯିବ । କୋରାପୁଟ ଓ ବ୍ରହ୍ମପୁର ଭଳି ଅଞ୍ଚଳରେ ତେଲୁଗୁ ଭାଷାରେ ମଧ୍ୟ ଲିଫଲେଟ ଦିଆଯିବ । ଏହି କମିଟିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.