ETV Bharat / state

Power Outage: 'ମୁଖ୍ୟ ଶାସନ ସଚିବଙ୍କ ନିଦ ହଜିଲାଣି, ମିଛ କହିବାର ବ୍ୟସ୍ତ ଶକ୍ତି ମନ୍ତ୍ରୀ'

author img

By

Published : Jun 11, 2023, 7:25 PM IST

ରାଜ୍ୟରେ ବିଦ୍ୟୁତ କାଟକୁ ନେଇ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ଘେରିଲା ବିଜେପି । ଗତ ୧୦ ବର୍ଷ ଭିତରେ ୨୦ ହଜାର କୋଟି ଟଙ୍କା କେଉଁ କ୍ଷେତ୍ରରେ ଖର୍ଚ୍ଚ କରାଯାଇଛି, ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat

ମିଛ କହିବାର ବ୍ୟସ୍ତ ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ବିଦ୍ୟୁତ କାଟକୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଦ୍ୟୁତ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ନିଦ ହଜିଥିବା ବେଳେ ଏପଟେ ଶକ୍ତିମନ୍ତ୍ରୀ ଭିତ୍ତିଭୂମି ଅଭାବ କହି କଥା ଟାଳୁଛନ୍ତି । ବାରମ୍ବାର ମିଛ କହୁଛନ୍ତି ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି । ଯଦି ଭିତ୍ତିଭୂମିର ଅଭାବ ଅଛି, ତେବେ ଏହାର ବିକାଶ ଲାଗି ଗତ ୧୦ ବର୍ଷ ଭିତରେ ୨୦ ହଜାର କୋଟି ଟଙ୍କା କେଉଁ କ୍ଷେତ୍ରରେ ଖର୍ଚ୍ଚ କରାଯାଇଛି, ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଅଣ୍ଡର କେବୁଲିଂରେ ଖର୍ଚ୍ଚ ହୋଇଥିବା ୨୦୦୦ କୋଟି କୁଆଡେ ଗଲା ? ରାଜ୍ୟ ସରକାର ଜାତୀୟ ସ୍ତରଠୁ ଅଧିକ ଟଙ୍କା ଦେଇ ବିଜୁଳି କିଣୁଛି । ହେଲେ ଫଳ ଶୂନ ବୋଲି କହିଛି ଦଳ । ଏନେଇ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "5-T ସଚିବଙ୍କ ଗସ୍ତ ଲାଗି ପାଇଁ ଶକ୍ତିମନ୍ତ୍ରୀ ମଞ୍ଚ ବାନ୍ଧୁଛନ୍ତି, କିନ୍ତୁ ଲୋକଙ୍କ ସମସ୍ୟା ପାଇଁ ଦେଖା ମିଳୁନି । ନିରବଚ୍ଛିନ୍ନ ବିଜୁଳି ଯୋଗାଣରେ ସରକାର ବିଫଳ । ସାଢେ 4କୋଟି ଲୋକଙ୍କୁ ସ୍ବାର୍ଥ ରକ୍ଷା ଲାଗି ଶକ୍ତି ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ମନ୍ତ୍ରୀ ଟାଟା କମ୍ପାନୀର ପ୍ରବକ୍ତା ଓ କର୍ମଚାରୀ ସାଜିଛନ୍ତି । ୨୪ ଘଣ୍ଟିଆ ବିଜୁଳି ଯୋଗାଣ ସ୍ଲୋଗାନ ନୁହେଁ କାର୍ଯ୍ୟରେ ପରିଣତ କର । ଯଦି ତାହା ନୁହେଁ ତେବେ ଆଗକୁ ବିଜେପି ଏକ ଲଢୁଆ ଆନ୍ଦୋଳନ କରିବ ।"

ଏହା ବି ପଢନ୍ତୁ- Weather Update: ରଜରେ ବି କଲବଲ କରିବ ତାତି, 15 ପରେ ପ୍ରାକ ମୌସୁମୀ ଆସିବା ସମ୍ଭାବନା

ସେ ଆହୁରି କହିଛନ୍ତି, "ଅଘୋଷିତ ବିଜୁଳି କାଟ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଘର ସମେତ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସ୍ପିଟାଲ ଅନ୍ଧକାରରେ ଥିବା କାରଣରୁ ତାଙ୍କ ନିଦ ହଜିଯାଇଛି । ଅନ୍ୟପଟେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଯାଇ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଗୋଟିଏ ପରେ ଗୋଟିଏ ମିଛ କହି ପ୍ରସଙ୍ଗକୁ ଟାଳୁଛନ୍ତି । ରାଜ୍ୟ ସରକାରଙ୍କ ନୁହେଁ ବରଂ ବିତରଣ କମ୍ପାନୀରର ପ୍ରବକ୍ତା ଭାବେ ପ୍ରତାପ ଦେବଙ୍କ ଭୂମିକା ସାମ୍ନାକୁ ଆସିଛି । ଓଡ଼ିଶା ସରକାରଙ୍କ ବିଦ୍ୟୁତ ବିଭାଗ ସମ୍ବେଦନହୀନ ଏବଂ ଶକ୍ତିମନ୍ତ୍ରୀଙ୍କ ଶକ୍ତିହରଣ ହୋଇଯାଇଛି । ରାଜ୍ୟବାସୀଙ୍କ ସ୍ବାର୍ଥ ଅପେକ୍ଷା ଟାଟା ପାୱାର ସ୍ବାର୍ଥ ରକ୍ଷା ପାଇଁ ପ୍ରତାପ ଦେବ କାର୍ଯ୍ୟ କରୁଛନ୍ତି ।"

ସେହିପରି ୨୦୧୬ ମସିହାରେ ଆରମ୍ଭ ହୋଇ ୫ ବର୍ଷ ଭିତରେ ଶେଷ ହେବାକୁ ଥିବା ଭୂତଳ ବିଜୁଳି ତାର ବସାଇବା କାର୍ଯ୍ୟ ୭ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏଥିପାଇଁ କେବଳ ରାଜଧାନୀ ଭୁବନେଶ୍ବରରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନପାରିବା ରାଜ୍ୟ ସରକାରଙ୍କ ବିଫଳତା ନୁହେଁ କି ? ସମସ୍ତ ସର୍ତ୍ତ ଓ ଚୁକ୍ତିକୁ ଖିଲାପ କରି ବେଦାନ୍ତ କମ୍ପାନୀ ବାର୍ଷିକ ୧୨୫୦ କୋଟି ଟଙ୍କାର ବିଜୁଳି ଲୁଟ୍ କରୁଥିବା ଓଇଆରସି କହିବା ପରେ ରାଜ୍ୟ ସରକାରଙ୍କ ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି । ଓଡ଼ିଶାରେ ଉତ୍ପାଦିତ ହେଉଥିବା ବିଜୁଳିକୁ ବାହାର ରାଜ୍ୟରେ କମ ଦରରେ ବିକ୍ରି କରି ଅନ୍ୟ ରାଜ୍ୟମାନଙ୍କଠାରୁ ଆମ ରାଜ୍ୟ ପାଇଁ ଅଧିକ ଦରରେ କିଣାଯିବା ପଛର ରହସ୍ୟ କଣ ବୋଲି ସତ୍ୟବ୍ରତ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.