ମନ୍ତ୍ରୀମାନେ ବ୍ୟୁରୋକ୍ରାଟଙ୍କ ପାଖରେ ହାତ ଯୋଡି ଠିଆ ହେଉଛନ୍ତି: ପ୍ରତାପ ଷଡ଼ଙ୍ଗୀ

author img

By

Published : May 29, 2023, 7:21 PM IST

୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଥିବା କହିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ୨୦୨୪ ସାଧାରଣ ନିର୍ବାଚନରେ ଆର୍‌ ପାର୍‌ ଲଢ଼େଇ ହେବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଥିବା କହିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ୩ ପ୍ରମୁଖ ରାଜନୈତିକ ଦଳ । ବିଭିନ୍ନ ଉପନିର୍ବାଚନରେ ବଡ଼ ବିଜୟ ହାସଲ କରି ଉତ୍ସାହିତ ଅଛନ୍ତି ଶାସକ ଦଳ ବିଜେଡିର ନେତା ଓ କର୍ମୀ । ସେପଟେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ୯ରୁ ୯୦ ମିଶନ ସଫଳ କରିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଏହାରି ଭିତରେ ବିଜେପି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ୨୦୨୪ ସାଧାରଣ ନିର୍ବାଚନରେ ଆର୍‌ ପାର୍‌ ଲଢ଼େଇ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ପାଖରେ ବହୁତ ବଡ ଅସ୍ତ୍ରଶସ୍ତ୍ର ବାହିନୀ ନଥିଲା । କିନ୍ତୁ ରାବଣ ପାଖରେ ସବୁ ଥିଲା । ତଥାପି ସତ୍ୟର ବିଜୟ ହେଲା । ସେମିତି ବ୍ରିଟିଶ ସରକାର ଶକ୍ତିଶାଳୀ ଥିଲେ । କିନ୍ତୁ ସେ ବି ଧୂଳି ଚାଟିକି ଚାଲିଗଲେ । ପରାକ୍ରମୀ ରାଜାମାନେ ଧୂଳି ଚାଟିଲେ । ତେଣୁ ବିଜେପି ତୃଣମୂଳସ୍ତରରୁ ସଙ୍ଗଠନ ସୁଦୃଢ କରୁଛି । ଲୋକ ଚେତନାର ସ୍ତର ଯେତେ ବ୍ୟାପକ ହେବ, ସେତେ ଗଣତନ୍ତ୍ର ସୁଦୃଢ ହେବ । ବିଜେପି ଏବେ ସେହି କାମରେ ଲାଗିଛି । ୱାର୍ଡସ୍ତର ପର୍ଯ୍ୟନ୍ତ ସଂଗଠନ କାମ ଚାଲିଛି । ଜନସାଧାରଣଙ୍କୁ ପ୍ରକୃତ ସତ୍ୟ ବୁଝାଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀମାନେ ସବୁ ଜିଲ୍ଲା ବୁଲୁଛନ୍ତି । ବରିଷ୍ଠ ପଦାଧିକାରୀମାନେ ବୁଲୁଛନ୍ତି । ମହା ଜନସଂପର୍କ ଅଭିଯାନରେ କୋଟିକୋଟି ଲୋକଙ୍କ ସହ ସମ୍ପର୍କ କରିବ ବିଜେପି । ପ୍ରତ୍ୟେକ ପରିବାର ପାଖକୁ ଯିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି ।"

ବିଜେଡି ସଶକ୍ତ କି ଦୁର୍ବଳ ଯୁଦ୍ଧରେ ଜଣାପଡ଼ିବ ବୋଲି କହିଛନ୍ତି ବିଜେପି ସାଂସଦ । ସେ କହିଛନ୍ତି, "କେହି ଶେଷ ପର୍ଯ୍ୟନ୍ତ ଦମ୍ଭ ଛାଡନ୍ତି କି । ସବୁଦିନେ ସତ୍ୟକୁ ଲୁଚାଇ ହେବନାହିଁ । ବିଜେଡି ଦୂରାଚାର, ଭ୍ରଷ୍ଟାଚାର, ଅନ୍ୟାୟ ଓ ଅତ୍ୟାଚାର ଲୋକଙ୍କ ଉପରେ କରିଛି, ଆଇନଶୃଙ୍ଖଳା ପରିସ୍ଥିତିର ହତ୍ୟା କରିଛି, ଗଣତନ୍ତ୍ରକୁ ହତ୍ୟା କରିଛି ବିଜେଡି । ପଞ୍ଚାୟତରାଜ ବିଭାଗରେ ହଜାରହଜାର କୋଟି ହରିଲୁଟ୍‌ ହେଉଛି । ସମ୍ବିଧାନର ୭୩ତମ ସଂଶୋଧନରେ ପଞ୍ଚାୟତରାଜକୁ ଯେଉଁ ଅଧିକାର ଦିଆଯାଇଥିଲା, ସେ ଅଧିକାରକୁ ବିଜେଡି ସରକାର ନେଇଗଲେ । କେବଳ ଇଞ୍ଜିନିୟର ଓ ଠିକାଦାରଙ୍କୁ ପୋଷିବା ପାଇଁ ଗ୍ରାମସଭା, ପଲ୍ଲୀସଭା ବନ୍ଦ ହୋଇଗଲା । ସବୁ ବିଭାଗରେ କେନ୍ଦ୍ର ଓ ରାଜ୍ୟ ପଇସା ହରିଲୁଟ ହୋଇଛି । ଏ ସବୁ ନେଇ ଲୋକଙ୍କୁ ଭେଟି ଜାଗ୍ରତ କରିବ ବିଜେପି । କୁମ୍ଭକର୍ଣ୍ଣ ଶୋଇଛି, କୁମ୍ଭକର୍ଣ୍ଣକୁ ଉଠାଇଲେ ସେ ଉଠି ପ୍ରଳୟ କରିବ । ଏଥର ଆର୍‌ ପାର୍ ଲଢେଇ ହେବ । ଲଢେଇ ପାଇଁ ପୂର୍ବ ପ୍ରସ୍ତୁତି ଚାଲିଛି । କେନ୍ଦ୍ରରୁ ନେତାମାନେ ଆସୁଛନ୍ତି । ଟାର୍ଗେଟ କରାଯିବ । ଯୁଦ୍ଧରେ ଅସ୍ତ୍ର ପ୍ରୟୋଗ ହେବ, ରଣନୀତି ପ୍ରୟୋଗ ହେବ ।"

ସେହିଭଳି ଓଡ଼ିଶାରେ ସରକାର କିଏ ଚଳାଉଛି ପ୍ରଶ୍ନକୁ ସେ ଦୋହରାଇଛନ୍ତି । ସେ କହିଛନ୍ତି, "ସରକାର ବର୍ତ୍ତମାନ ରାଜନୈତିକ ବ୍ୟକ୍ତି ଚଳାଉନାହାନ୍ତି । ମୁଷ୍ଟିମେୟ ଅଫିସରଙ୍କ ଦ୍ଵାରା ସରକାର ପରିଚାଳିତ ହେଉଛି । ମନ୍ତ୍ରୀମାନେ ବ୍ୟୁରୋକ୍ରାଟଙ୍କ ପାଖରେ ହାତ ଯୋଡ଼ି ଠିଆ ହେଉଛନ୍ତି । ପୂର୍ବରୁ ଜଣେ ବ୍ୟୁରୋକ୍ରାଟ ସରକାର ଚଳାଉଥିଲେ, ଏବେ ଆଉ ଜଣେ ଚଳାଉଛନ୍ତି । ଯାହାଙ୍କ ଚରଣ ତଳେ ଶାସକ ଦଳର ବିଧାୟକ, ସାଂସଦମାନେ ବସୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.