ମହିଳା ସଂରକ୍ଷଣ ବିଲକୁ ନେଇ ଜୋର୍ ଧରିଲା ଶ୍ରେୟ ରାଜନୀତି
ମହିଳା ସଂରକ୍ଷଣ ବିଲକୁ ନେଇ ଜୋର୍ ଧରିଲା ଶ୍ରେୟ ରାଜନୀତି
ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲା ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ
ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲକୁ ନେଇ ଜୋର୍ ଧରିଲା ଶ୍ରେୟ ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ସମସ୍ତ ଶ୍ରେୟ ଦେଇଥିବା ବେଳେ ବିଜେଡିକୁ ଟାର୍ଗେଟ କରିଛି ଦଳ । 23 ବର୍ଷ ଶାସନ ଭିତରେ ବିଜେଡିର ଘୋଷଣା ପରେ ବି ବିଧାୟକ ଟିକେଟ, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ଏବଂ ରାଜ୍ୟସଭାରେ 33% ସଂରକ୍ଷଣ ଦେଉଛି କି ବୋଲି ପ୍ରଶ୍ନ କଲା ବିଜେପି । ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲ୍ ପାରିତ ହେବା ପରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଏନେଇ ଐଶ୍ବର୍ଯ୍ୟା କହିଛନ୍ତି, "ମହିଳା ସଂରକ୍ଷଣ ବିଲ୍ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି । 75 ବର୍ଷ ସ୍ଵାଧୀନତା ପରେ ସଂସଦରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇନଥିଲା । ଏହି ନିଷ୍ପତ୍ତିକୁ ସମସ୍ତ ଦଳ ସମର୍ଥନ କରିବେ ବୋଲି ଆଶା । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ଵାରା ଦଳମତ ନିର୍ବିଶେଷରେ ସମସ୍ତ ମହିଳା ଉପକୃତ ହେବେ । ଏହାକୁ ହିଁ ମହିଳା ସଶକ୍ତିକରଣ କୁହାଯାଏ । ବିଜେଡି ଅନେକ କେନ୍ଦ୍ରୀୟ ଯୋଜନାକୁ ନିଜର ବୋଲି କହି ପ୍ରଚାର କରୁଛି । ହେଲେ ଲୋକ ବୁଝିଗଲେଣି ।"
ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ବିଲକୁ ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯିବ । ବୁଧବାର ଲୋକସଭାରେ ଏହି ବିଲକୁ ଆଗତ କରିପାରନ୍ତି ସରକାର । ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ । ବିଜେଡି ବି ବିଲ୍ ପାସ କରିବାକୁ ମତ ରଖିଥିଲା ।
ସୂଚନା ଥାଉ କି ଏହି ବିଲ୍ ଆଗତ ହୋଇଥିଲେ ସୁଦ୍ଧା ଆସନ୍ତା 2024 ନିର୍ବାଚନରେ ଏହା ଲାଗୁ କରାଯିବ ନାହିଁ । ଏହି ସଂରକ୍ଷଣ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ସଦ୍ୟତମ ତଥ୍ୟ ଅନୁସାରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି । ଏହି ଜନଗଣନା ଫଳାଫଳ ଆଧାରରେ ଦେଶରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପରିସୀମା ପୁନଃ ନିର୍ଦ୍ଧାରିତ ହେବ । ଅନେକ ନୂତନ ଆସନ ମଧ୍ୟ ଗଠନ ହେବ । ଏହା ପରେ ଏହି ଆଇନକୁ ଲାଗୁ କରାଯାଇପାରେ ।
ଇଟିଭି ଭାରତ, ଭୁବନେଶ୍ବର
