ETV Bharat / state

ବିଜେଡି ଶାସନରେ ମହିଳା ଅସୁରକ୍ଷିତ: ବିଜେପି ମହିଳା ମୋର୍ଚ୍ଚା

author img

By ETV Bharat Odisha Team

Published : Dec 9, 2023, 10:06 AM IST

BJP Mahila Morcha PC on Woman Safety: ବିଜେଡି ଶାସନରେ ମହିଳା ଅସୁରକ୍ଷିତ । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଏବଂ ସଚେତନତା ଅଭାବ କାରଣରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି । ବର୍ତ୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି ତାର ହିସାବ ନାହିଁ । ଆଗକୁ ପଢ଼ନ୍ତୁ

ମହିଳା ସୁରକ୍ଷାରେ ଓଡ଼ିଶା ପଛୁଆ
ମହିଳା ସୁରକ୍ଷାରେ ଓଡ଼ିଶା ପଛୁଆ

ମହିଳା ସୁରକ୍ଷାରେ ଓଡ଼ିଶା ପଛୁଆ

ଭୁବନେଶ୍ବର: ବିଜେଡି ଶାସନରେ ମହିଳା ଅସୁରକ୍ଷିତ । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଏବଂ ସଚେତନତା ଅଭାବ କାରଣରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି । ବର୍ତ୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି ତାର ହିସାବ ନାହିଁ । ମହିଳା ଓ ଶିଶୁ ସୁରକ୍ଷା ଯୋଜନାରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ । ଓଡିଶାରେ ଲିଙ୍ଗଗତ ତାରତମ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା ।

ମୋଦି ସରକାର ଶାସନକୁ ଆସିବା ପରେ ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ “ବେଟି ବଚାଓ ବେଟି ପଢ଼ାଓ” ଆରମ୍ଭ କରିଥିଲେ । ଏନେଇ ବିଭିନ୍ନ ରାଜ୍ୟ ମଧ୍ୟ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସଚେତନ ହୋଇଥିଲେ କିନ୍ତୁ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଓଡିଶାରେ ଲିଙ୍ଗଗତ ତାରତମ୍ୟ ଭୟଙ୍କର ଭାବେ ବଢ଼ିଛି । ଯାହା ଫଳରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୨୫କୁ ଖସି ଆସିଛି । ଗତ ୪ ବର୍ଷ ହେଲାଣି ଲଗାତାର ଭାବେ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି । ରାଜ୍ୟରେ କ୍ରମାଗତ ଭାବେ ମହିଳାଙ୍କ ସମସ୍ୟା ହ୍ରାସ ପାଇଚାଲିଥିବା ବେଳେ ରାଜ୍ୟ ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଆବଶ୍ୟକ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ କହିଛନ୍ତି ।

ବିଜେପି ମହିଳା ମୋର୍ଚ୍ଚାର ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି, ‘‘ନବୀନ ସରକାରରେ ମହିଳା ସୁରକ୍ଷିତ ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଭିନ୍ନ । ଓଡିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ । ଦୀର୍ଘ ୨୩ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜୁ ଜନତା ଦଳ ମହିଳାଙ୍କ ଉନ୍ନତି, ପ୍ରଗତି ଓ ସଶକ୍ତିକରଣ ପାଇଁ କିଛି କରିନାହିଁ । ମହିଳାମାନେ ସ୍ୱାବଲମ୍ବୀ ହୋଇନାହାନ୍ତି । ଆଜି ବି ଶିଶୁ କନ୍ୟାକୁ ହତ୍ୟା କରାଯାଉଛି । ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ କୌଣସି ପ୍ରଚେଷ୍ଟା ନକରିବା ଦୁର୍ଭାଗ୍ୟଜନକ । ବାସ୍ତବରେ ବିଜେଡି ସରକାର ମହିଳା ବିରୋଧୀ । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି । ବିଜୁ ଜନତା ଦଳ ଓଡ଼ିଶାର ମହିଳାଙ୍କ ପାଇଁ କାଳ ସାଜିଛି । ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ବାବୁ ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରନ୍ତୁ ।’’

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଅଶାନ୍ତ ବିଜେବି; ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ର

ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ରାଜ୍ୟରେ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ୨୦୨୨ରେ ୩୧୭ ଥିଲାବେଳେ ୨୦୨୩ ବେଳକୁ ତାହା ୨୬୯୧ ଛୁଇଁଛି । ଏହା ସହିତ ବିଭିନ୍ନ କାରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ୧୦୬ଟି ମାମଲା ରୁଜୁ ହୋଇଛି । ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି ।

ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷ ଲୋକରୁ ୩ଜଣ ହତ୍ୟାର ଶିକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶିକାର ହେଉଛନ୍ତି । ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ବିଧିବଦ୍ଧ ପଦକ୍ଷେପ ନେଇ ନାହାନ୍ତି କିମ୍ବା ମହିଳାଙ୍କ ହିତ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ରାଜ୍ୟ ସରକାରଙ୍କର ମହିଳାଙ୍କ ପ୍ରତି ଅଣଦେଖା ମନୋଭାବ କାରଣରୁ ଓଡିଶାରେ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ହ୍ରାସ ପାଇଛି, ଯାହାକି ଭବିଷ୍ୟତରେ ଓଡ଼ିଶାକୁ ଘୋର ବିପଦମୁହାଁ କରାଇବ ।

ଓଡ଼ିଶାରେ ମହିଳାଜନିତ ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮ପ୍ରତିଶତ । ଅଧିକାଂଶ କ୍ଷେତ୍ରରେ ପୋଲିସ ମହିଳାଙ୍କ ଅଭିଯୋଗ ରଖୁ ନାହାନ୍ତି । ଯାହାଫଳରେ ବାଧ୍ୟ ହୋଇ ମାନ୍ୟବର କୋର୍ଟଙ୍କ ନିକଟରେ ଫେରାଦ ହେବାକୁ ପଡୁଛି । ରାଜ୍ୟରେ ୱାନ-ସିସି ମାମଲା ସଂଖ୍ୟା ବହୁମାତ୍ରାରେ ବଢ଼ିଚାଲିଛି । ଏହା ସତ୍ୱେ ରାଜ୍ୟରେ ୨୦୨୨ ବର୍ଷରେ ୨୩୬୪୮ଟି ମହିଳା ବିରୋଧୀ ଓ ହିଂସା ମାମଲା ରୁଜୁ ହୋଇଛି । ସାଂପ୍ରତିକ ରାଜନୈତିକ ପରିସ୍ଥିତି, ମୋଦି ସରକାରଙ୍କ ବିଭିନ୍ନ ମହିଳାକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ, ରାଜ୍ୟରେ ଅସୁରକ୍ଷିତ ମହିଳା, ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଚରଣ ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.