ETV Bharat / state

ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ: ଇସ୍ତଫା ଦାବି କଲା ବିଜେପି

author img

By

Published : Apr 14, 2023, 4:46 PM IST

Updated : Apr 14, 2023, 5:53 PM IST

ଗତକାଲି ରାଜ୍ୟର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଜଣେ ବିଜେଡି ନେତ୍ରୀ । ତେବେ ଏହାକୁ ନେଇ ବିରୋଧି ଶାସକ ଦଳକୁ ଘେରିବା ଆରମ୍ଭ କରିଛନ୍ତି । ତୁରନ୍ତ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି
ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ବର: ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଭଢ଼ିବାରେ ଲାଗିଛି ମନ୍ତ୍ରୀଙ୍କ ଅଡ଼ୁଆ । ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଲେଖାଶ୍ରୀ କହିଛନ୍ତି, "ଯେଉଁ କଥା ଆମେ ଲମ୍ବା ସମୟ ଧରି କହି ଆସୁଥିଲୁ ବିଜୁ ଜନତା ଦଳ ଅପରାଧୀ ମାନଙ୍କ ଦଳ ଏବଂ ଯୌନ ବ୍ୟଭିଚାରୀଙ୍କ ଦଳ ତାହା ଆଜି ପ୍ରମାଣିତ ହୋଇଛି । ଗତକାଲି ଯେଉଁ ଖବର ଆସିଛି ତାହା ଓଡ଼ିଶାର ମହିଳା ମାନଙ୍କୁ ବ୍ୟଥିତ କରିଛି । ବିଜୁ ଜନତା ଦଳର ଜନୈକା ମହିଳା ନେତ୍ରୀ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଛନ୍ତି । କିନ୍ତୁ ପୋଲିସ ଏତଲାକୁ ରଖିବା ସତ୍ତ୍ବେ ମନ୍ତ୍ରୀଙ୍କୁ ଡାକି ପଚରାଉଚରା କଲାନାହିଁ । ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ । ଯଦି ନିଜ ଦଳର ନେତ୍ରୀଙ୍କୁ ବିଜୁ ଜନତା ଦଳ ନ୍ୟାୟ ଦେଇ ପାରୁନି, ତେବେ ସାଧାରଣ ମହିଳାଙ୍କୁ କିଭଳି ନ୍ୟାୟ ଦେଇ ପାରିବେ ତାହା ସନ୍ଦେହ । ଜଣେ ମହିଳା ଅଭିଯୋଗ କରିବା ପାଇଁ ଥାନାକୁ ଆସି ଯେଉଁଭଳି ଦିନ ୧୦ରୁ ରାତି ୧୨ ପର୍ଯ୍ୟନ୍ତ କଲବଲ ହେଲେ, ସେ ପୁଣି ବିଜୁ ଜନତା ଦଳର ଜଣେ ୨୦ ବର୍ଷ ଧରି କାମ କରିଥିବା ମହିଳା । ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ ।" ମନ୍ତ୍ରୀ ବୋଲି କଣ ଆଇନ ଅଲଗା କି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ତେବେ ବିଜେପିର ଦାବି, ଶ୍ରମ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ମୁହଁ ଖୋଲନ୍ତୁ । ମହିଳାଙ୍କୁ ନ୍ୟାୟ ମିଳୁ । ମମିତା ହେଉ କିମ୍ବା ପ୍ରଫୁଲ ବିଶ୍ବାଳ, ଗୋବିନ୍ଦ ସାହୁ ଭଳି ଏହି ଘଟଣାରେ ଅଭିଯୋଗକାରୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତୁ ସରକାର । ଯଦି ବିଜୁ ଜନତା ଦଳର ସରକାର ଏହି ଘଟଣାକୁ ଚାପି ଦେବାପାଇଁ ଉଦ୍ୟମ କରିବ, ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ । ଯଦି ଏତଲା ହୋଇନାହିଁ, ତେବେ ପୋଲିସ ତାଙ୍କର ମେଡିକାଲ ଟେଷ୍ଟ କାହିଁକି କଲା । କେଉଁ ଅଭିଯୋଗ ନେଇ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରାତି ୧୨ଟା ପର୍ଯ୍ୟନ୍ତ ଜଣେ ମହିଳା ଥାନାରେ ବସିଥିଲେ ପୋଲିସ ସ୍ପଷ୍ଟ କରୁ । ନଚେତ ଜଣାଯିବ ପୋଲିସ କେବଳ ବିଜେଡିର ଦଲାଲି କରୁଛି । ପୋଲିସ ତାର ସମ୍ବିଧାନିକ ଦାୟିତ୍ବ ନିର୍ବାହ କରୁ ।" ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କୁ ପୋଲିସ ଡରୁଛି କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 14, 2023, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.