ETV Bharat / state

Budget Session: କାଲିଠୁ କମ୍ପିବ ବିଧାନସଭା, ଜୟଙ୍କ ଇସାରା ପରେ ପ୍ରତିକ୍ରିୟା ରଖିଲା ବିଜେଡି

author img

By

Published : Feb 26, 2023, 6:12 PM IST

Updated : Feb 26, 2023, 6:18 PM IST

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିବା ନେଇ ବିରୋଧୀ ଦଳ ନେତା କହିବା ପରେ ପ୍ରତିକ୍ରିୟା ରଖିଲା ବିଜେଡି । ଅଧିକ ପଢନ୍ତୁ

Prasant Muduli
Prasant Muduli

ଜୟଙ୍କ ଇସାରା ପରେ ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ବର: ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆସନ୍ତାକାଲିଠୁ ପୁଣି କମ୍ପିବ ଗୃହ । ଏଭଳି ଇସାରା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁ ପର୍ଯ୍ୟନ୍ତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସତ୍ୟତାର ଖୁଲାସା ହୋଇନାହିଁ ସେ ପର୍ଯ୍ୟନ୍ତ ବିଜେପି ଆଲୋଚନାକୁ ଶାଣିତ କରିବ ବୋଲି ସେ କହିଛନ୍ତି । ତେବେ ଜୟଙ୍କ ଇସାରା ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି । ବିରୋଧୀ ଦଳକୁ ଟକ୍କର ଦେବା ଲାଗି ଶାସକ ଦଳ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।

ଯେଉଁ ପର୍ଯ୍ୟନ୍ତ ମନ୍ତ୍ରୀ ନବ ଦାସ ହତ୍ୟାର ସତ୍ୟତା ଖୁଲାସା ହୋଇନାହିଁ ସେପର୍ଯ୍ୟନ୍ତ ଗୃହରେ ଏହି ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜୟ ଏପରି କହିବା ପରେ ଏବେ ରାଜ୍ୟ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି । ବିଧାନସଭା ସୁରୁଖୁରୁରେ ଚାଲିବା ଓ ବଜେଟ ବିଷୟରେ ଗୃହରେ ଆଲୋଚନା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶାସକ ବିଜେଡି ଏହାକୁ ଟକ୍କର ଦେବାକୁ ପ୍ରସ୍ତୁତ ଅଛି ବୋଲି ବିଜେଡି କହିଛି । ଏନେଇ ପ୍ରଶାନ୍ତ ମୁଦୁଲି କହିଛନ୍ତି, " ବିରୋଧୀ ଦଳ ଯେତେ ପ୍ରସଙ୍ଗ ଆଣିଛନ୍ତି ତାକୁ ଶାସକ ଦଳ ଗ୍ରହଣ କରି ଆଲୋଚନା କରିଛନ୍ତି । ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ଯେତେ ପ୍ରସଙ୍ଗ ଉଠାଇଛି, ସେ ଘେରରେ ନିଜେ ପଡିଛି ।

ଏହା ବି ପଢନ୍ତୁ- Naba Das Murder Case: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ପୋଲ ଖୋଲିଲେ ବିରୋଧୀ ଦଳନେତା

କାରଣ ପ୍ରସଙ୍ଗ ତାଙ୍କ ପାଖରେ ନାହିଁ, ଆମ ପାଖରେ ଅଛି । ବଜେଟ୍ ଆଲୋଚନା ଭିତରେ ଅନେକ ପ୍ରସଙ୍ଗ ଆସିବ । ବିରୋଧୀଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ଦେବା ଲାଗି ଶାସକ ଦଳ ପ୍ରସ୍ତୁତ ରହିଛି ।" ସେପଟେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କଟକର ଆଇନ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ସରକାରଙ୍କୁ ତେରଚ୍ଛା ବାଣ ମାରିଥିଲେ । ଏହା ଉପରେ ପ୍ରତିକ୍ରିୟା ରଖି ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କହିଛନ୍ତି, "ସେ ତାଙ୍କର ନିଜସ୍ଵ ମତାମତ ହେଇପାରେ । ଆମେ ଯାହା ଦେଖୁ, ଆମେ ଯେମିତି ଲୋକଙ୍କ ସହ ମିଶି ପାରିବୁ, ଯେତେ କାମ କରେଇ ପାରିବୁ, ସେଟା ଆମ ଉପରେ ନିର୍ଭର କରେ । ଆମେ ଖୋଲା ହାତରେ କାମ କରୁଛୁ ।"

ସୂଚନା ଥାଉ କି ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ । ବିଜେପି ଏବଂ କଂଗ୍ରେସ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଅତ୍ୟନ୍ତ ଶୋଚନୀୟ ବୋଲି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଗୃହରେ ହୋ ହଲ୍ଲା କରିବା ସହ ଏହାକୁ ଅଚଳ କରିଥିଲେ । ବିରୋଧୀ ଦଳଗୁଡିକ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଥିଲେ ଏହି ହତ୍ୟାକାଣ୍ଡରେ FBI ତଦନ୍ତ ନେଇ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 26, 2023, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.