ETV Bharat / state

ଅପରାଜିତାଙ୍କୁ ସୁଲତାଙ୍କ କଡ଼ା ଜବାବ: ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ାନାହିଁ

author img

By

Published : Mar 5, 2023, 7:38 AM IST

ଅପରାଜିତାଙ୍କୁ କଡ଼ା ଜବାବ ଦେଲେ ସୁଲତା ଦେଓ । କହିଲେ ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ାନାହିଁ । ଅଧିକ ପଢନ୍ତୁ

ଅପରାଜିତାଙ୍କୁ ସୁଲତାଙ୍କ କଡ଼ା ଜବାବ
ଅପରାଜିତାଙ୍କୁ ସୁଲତାଙ୍କ କଡ଼ା ଜବାବ

ଭୁବନେଶ୍ବର: ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ''ଅପରାଜିତା ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ । ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କହନ୍ତି ।'' ଅପରାଜିତାଙ୍କ ମନ୍ତବ୍ୟ ଉପରେ ଏପରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ ।

ବିଜେଡି ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ସୁଲତା ଦେଓ କହିଛନ୍ତି ଯେ, ଅପରାଜିତା ଷଡଙ୍ଗୀ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ବର୍ଷ କାମ କରିଛନ୍ତି । ତେଣୁ ସେ ନିଶ୍ଚୟ ଭଲ ଭାବରେ ଅନୁଭବ କରିଥିବେ ଯେ, ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଓ ଆଜି ଓଡ଼ିଶା କେଉଁଠି ପହଞ୍ଚିଛି । କିନ୍ତୁ ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟବାଧକତାରେ ସେ ଏପରି କହୁଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ତେଣୁ ସେ କଥା କମ କାମ ବେଶି କରନ୍ତି । ଯାହାର ଫଳ ସ୍ୱରୂପ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି । ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ ଆମର ବ୍ରାଣ୍ଡିଂ ଲୋଡ଼ା ନାହିଁ । ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ଚାଉଳରେ ବଳକା ରାଜ୍ୟ ହୋଇପାରିଛି । ସରକାର କୃଷି ଓ ଜଳସେଚନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ କୃଷକଙ୍କ ଆୟ ଦ୍ୱିଗୁଣିତ କରିଛନ୍ତି । ସେହିପରି ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି ।

ମେକ ଇନ ଓଡ଼ିଶା କନକ୍ଲେଭ ଜରିଆରେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସାଢ଼େ ୯୬ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି ବୋଲି ସୁଲତା ଦେଓ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.